ପ୍ରମୋଦଙ୍କ ସହ ଟୋକିଓ ଗଲା ବ୍ୟାଡ୍‌ମିଣ୍ଟନ୍‌ ଦଳ

ନୂଆଦିଲ୍ଲୀ: ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ସହ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଦଳ ଶୁକ୍ରବାର ଟୋକିଓ ପାରାଲିମ୍ପିକ୍ସ ଲାଗି ସେଠାକୁ ଗସ୍ତ କରିଛି। ଏହି ଦଳରେ ପ୍ରମୋଦ ଭଗତ (ଏସ୍‌ଏଲ୍‌-୩), ମନୋଜ ସରକାର (ଏସ୍‌ଏଲ୍‌-୩), ତରୁଣ ଧିଲନ (ଏସ୍‌ଏଲ୍‌-୪), ସୁହାସ ଲି (ଏସ୍‌ଏଲ୍‌-୪), କୃଷ୍ଣ ନଗର (ଏସ୍‌ଏଲ୍‌-୬), ପାରୁଲ ପରମାର (ଏସ୍‌ଏଲ୍‌-୩), ପଲକ କୋହଲି (ଏସ୍‌ୟୁ-୬)ଙ୍କ ପ୍ରଶିକ୍ଷକ, ଫିଜିଓ ମଧ୍ୟ ଟୋକିଓ ଯାଇଛନ୍ତି। ପ୍ରମୋଦ ଦୁଇଟି ଇଭେଣ୍ଟ୍‌ରେ ଅଂଶଗ୍ରହଣ କରିବେ। ‌ସେ ଏକକ ଏବଂ ମିଶ୍ରିତ ଯୁଗଳରେ ପଲକଙ୍କୁ ସାଥୀ କରି ଖେଳିବେ। ପ୍ରମୋଦ ବିଶ୍ବ ମାନ୍ୟତାର ଶୀର୍ଷରେ ଥିବାରୁ ତାଙ୍କଠୁ ଦୁଇଟି ପଦକ ଆଶା ରହିଛି।

ମନୋଜ, ତରୁଣ, ସୁହାସ ଓ କୃଷ୍ଣ କେବଳ ଏକକ ବର୍ଗରେ ଭାଗନେବେ। ପାରୁଲ ଏକକ ସହ ମହିଳା ଯୁଗଳରେ ‌ପଲକଙ୍କୁ ସାଥୀ କରି‌ ଖେଳିବେ। ପଲକ ୩ଟି ଇଭେଣ୍ଟ୍‌ ଏକକ, ମହିଳା ଯୁଗଳ ଏବଂ ମିଶ୍ରିତ ଯୁଗଳରେ ପ୍ରତିଦ୍ବନ୍ଦ୍ବିତା କରିବେ। ସେପ୍ଟେମ୍ବର ୧ ତାରିଖରୁ ବ୍ୟାଡ୍‌ମିଣ୍ଟନ ଅଭିଯାନ ଆରମ୍ଭ ହେବ। ବ୍ୟାଡ୍‌ମିଣ୍ଟନ୍‌ ଦଳ ସହ କାନୋଇଂ, ସନ୍ତରଣ ଏବଂ ଟାଇକୋଣ୍ଡୋ ଖେଳାଳି ମଧ୍ୟ ଶୁକ୍ରବାର ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନରୁ ଟୋକିଓ ଗସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର