ଟୋକିଓ: ଭାରତୀୟ ତାରକା ଏଚ୍ଏସ୍ ପ୍ରଣୟ ଓ ଲକ୍ଷ୍ୟ ସେନ୍ଙ୍କ ସହିତ ପୁରୁଷ ଯୁଗଳ ଯୋଡ଼ି ଏମ୍ଆର୍ ଅର୍ଜୁନ-ଧ୍ରୁବ କପିଳା ଓ ଚିରାଗ ସେଟ୍ଟୀ-ସାତ୍ତ୍ବିକ ସାଇରାଜ ରାଙ୍କିରେଡୀ ଏଠାରେ ଚାଲିଥିବା ବିଡବ୍ଲୁଏଫ୍ ବିଶ୍ବ ଚାମ୍ପିଅନ୍ସିପ୍ରେ ପ୍ରିକ୍ବାର୍ଟର ଫାଇନାଲ୍ ସୁରକ୍ଷିତ କରିନେଇଛନ୍ତି। ଅଣମାନ୍ୟତାପ୍ରାପ୍ତ ପ୍ରଣୟ ଆଶାଠୁ ଅଧିକ ପ୍ରଦର୍ଶନ ଜରିଆରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ କେଣ୍ଟୋ ମୋମୋଟୋଙ୍କୁ ପରାସ୍ତ କରିଛନ୍ତି। ପ୍ରଣୟ ବୁଧବାର ଦ୍ବିତୀୟ ରାଉଣ୍ଡରେ ଦୁଇ ଥର ପୂର୍ବତନ ବିଶ୍ବ ବିଜେତା ମୋମୋଟୋଙ୍କୁ ୨୧-୧୭ ଓ ୨୧-୧୬ ସିଧାସଳଖ ଗେମ୍ରେ ପରାସ୍ତ କରିଥିଲେ। ଏହା ମଧ୍ୟ ୮ ମୁକାବିଲା ମଧ୍ୟରେ ମୋମୋଟୋଙ୍କ ବିପକ୍ଷରେ ପ୍ରଣୟଙ୍କର ପ୍ରଥମ ବିଜୟ ଥିଲା। ଏହା ପୂର୍ବରୁ ଯୁବ ତାରକା ଲକ୍ଷ୍ୟ ବୁଧବାର ଜାପାନ ପ୍ରତିଦ୍ବନ୍ଦ୍ବୀ ଲୁଇସ ପେନାଲଭରଙ୍କ ବିପକ୍ଷରେ ସିଧାସଳଖ ଗେମ୍ ବିଜୟ ହାସଲ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଲକ୍ଷ୍ୟ ଏଠାରେ ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ୭୨ ମିନିଟ୍ ଲଢ଼ି ଲୁଇସ୍ଙ୍କୁ ୨୧-୭ ଓ ୨୧-୧୦ରେ ପରାସ୍ତ କରିଥିଲେ। ଗୁରୁବାର ପ୍ରିକ୍ବାର୍ଟର ଫାଇନାଲ୍ରେ ଉଭୟ ଭାରତୀୟ ପ୍ରଣୟ ଓ ଲକ୍ଷ୍ୟ ମୁହାଁମୁହିଁ ହେବେ। ତେବେ ଏକକ ବର୍ଗରେ ଗତଥରର ଉପବିଜେତା କିଦାମ୍ବି ଶ୍ରୀକାନ୍ତ ପରାଜୟ ବରଣ କରିଛନ୍ତି। ସେ ବିଶ୍ବ ମାନ୍ୟତାର ୩୨ ଚୀନ୍ ତାରକା ଝାଓ ଜୁନ୍ ପେଙ୍ଗ୍ଙ୍କଠାରୁ ୧୮-୨୧ ଓ ୧୭-୨୧ ସିଧାସଳଖ ଗେମରେ ହାରିଯାଇଛନ୍ତି।
ଅନ୍ୟପକ୍ଷରେ ପୁରୁଷ ଯୁଗଳରେ ଅଣମାନ୍ୟତାପ୍ରାପ୍ତ ଯୋଡ଼ି ଅର୍ଜୁନ-କପିଳା ଦ୍ବିତୀୟ ରାଉଣ୍ଡରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଡେନ୍ମାର୍କ ଯୋଡ଼ି କିମ୍ ଅସ୍ତୃପ-ଆଣ୍ଡର୍ସ ସ୍କାରୁପଙ୍କୁ ୨୧-୧୭ ଓ ୨୧-୧୬ ସିଧାସଳଖ ଗେମ୍ରେ ପରାସ୍ତ କରିଛନ୍ତି। ତୃତୀୟ ରାଉଣ୍ଡରେ ଏହି ଭାରତୀୟ ଯୋଡ଼ି ସିଙ୍ଗାପୁର ଯୋଡ଼ି ହି ୟଙ୍ଗ୍ ଟେରି-ଲୋହ କିନ୍ ହିନ୍ଙ୍କୁ ଭେଟିବେ। ସେହିପରି ଅନ୍ୟ ଏକ ପୁରୁଷ ଯୁଗଳ ମୁକାବିଲାରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଚିରାଗ-ସାତ୍ତ୍ବିକ୍ ଯୋଡ଼ି ୨୧-୮ ଓ ୨୧-୧୦ରେ ଗୁଏଟମାଲାର ସୋଲିସ ଜୋନାଥନ୍ ଓ ଆନିବଲ ମାରୋକ୍ବିନ୍ଙ୍କୁ ପରାସ୍ତ କରିଛନ୍ତି। ଏହି ଭାରତୀୟ ଯୋଡ଼ି ପ୍ରିକ୍ବାର୍ଟରରେ ଡେନ୍ମାର୍କ ଯୋଡ଼ି ଜେପି ବେ ଓ ଲାସେ ମୋଲ୍ହେଦ୍ଙ୍କୁ ଭେଟିବେ।