ଘଣ୍ଟାକ ଭିତରେ ଶତକ କରି‌ବେ କହି ସତରେ କରିଥିଲେ ବଦ୍ରିନାଥ

ନୂଆଦିଲ୍ଲୀ : ୨୦୦୦ ଦଶକ ମଧ୍ୟଭାଗ ବେଳକୁ ମହାନ‌ ଖେଳାଳିଙ୍କ ସଂପୃକ୍ତି ଯୋଗୁଁ ଭାରତୀୟ ଦଳ ବ୍ୟାଟିଂ ପୂରା ଜାମ୍‌ ଥିଲା। ସୌରଭ ଗାଙ୍ଗୁଲି, ସଚିନ୍‌ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ଭିଭିଏସ୍‌ ଲକ୍ଷ୍ମଣ ଭାରତୀୟ ଟେଷ୍ଟ୍‌ ଦଳର ମଧ୍ୟକ୍ରମକୁ ପୂରା ମାଡ଼ି ବସିଥିଲା ବେଳେ ବୀରେନ୍ଦ୍ର ସେହବାଗ ଏବଂ ଗୌତମ ଗମ୍ଭୀର ପାଳି ଆରମ୍ଭ କରୁଥିଲେ। ସେମାନେ ସମସ୍ତେ କ୍ରିକେଟ୍‌ର ଜଣେ ଜଣେ କିଂବଦନ୍ତି ଏବଂ ଦେଶ ପାଇଁ ଅଧିକାଂଶ ମ୍ୟାଚ୍‌ ଜିତିଛନ୍ତି। ଖାସ୍‌ ସେମାନଙ୍କ ଉପସ୍ଥିତି ପାଇଁ ହିଁ ଏକାଧିକ ଅନ୍ୟ ଦକ୍ଷ ବ୍ୟାଟ୍‌ସମ୍ୟାନ୍‌ ଭାରତୀୟ ଦଳରେ ପ୍ରବେଶ କରିବାର ସୁଯୋଗରୁ ବଞ୍ଚିତ ହୋଇଥିଲେ। ଏପରିକି ଦ୍ରାବିଡ଼, ଗାଙ୍ଗୁଲି, ସଚିନ୍‌ ଓ ଲକ୍ଷ୍ମଣଙ୍କ ଭଳି ବ୍ୟାଟ୍‌ସମ୍ୟାନ୍‌ଙ୍କୁ ହଟାଇ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଅକ୍ତିଆର କରିବା ନବାଗତଙ୍କ ପାଇଁ କଷ୍ଟକର ବ୍ୟାପାର ଥିଲା। ସେଭଳି ନବାଗତଙ୍କ ମଧ୍ୟରେ ଥିବା ଜଣେ ଦକ୍ଷ ଖେଳାଳି ହେଲେ ସୁବ୍ରମଣ୍ୟମ ବଦ୍ରିନାଥ। ରନ୍‌ର ପାହାଡ଼ ନିଜ ନାମରେ ରଖି ଘରୋଇ କ୍ରିକେଟ୍‌ରେ ଜଣେ ମହାରଥୀ ବୋଲି ବିବେଚିତ ହେଉଥିଲେ। ଘରୋଇ କ୍ରିକେଟ୍‌ ଜୀବନରେ ୫୪.୪୯ ହାରରେ ୧୦,୨୪୫ ରନ୍‌ ସଂଗ୍ରହ କରିଥିବା ବଦ୍ରିନାଥ ନିଜ ରାଜ୍ୟକୁ ସଂଖ୍ୟାଧିକ ମ୍ୟାଚ୍‌ରେ ବିଜୟ ଦେଇଛନ୍ତି। ଏତେସବୁ ପ୍ରଦର୍ଶନ ସତ୍ତ୍ବେ ସେ ଭାରତୀୟ ଦଳରେ ପ୍ରବେଶ ପାଇଁ ସଂଘର୍ଷ କରିଥି‌ଲେ। ତଥାପି କ୍ରିକେଟ୍‌ ପ୍ରତି ତାଙ୍କ ଅବଦାନ ଏବଂ ସଫଳତାକୁ କଦାପି ନ୍ୟୁନ ମଣାଯାଇନଥିଲା। ଯଦିଓ ସେ ମୁଖ୍ୟତଃ ଜଣେ ଟେଷ୍ଟ୍‌ କ୍ରିକେଟର୍‌ ଥିଲେ, ବଦ୍ରିନାଥ କିନ୍ତୁ ନିଜକୁ ସୀମିତ ଓଭରରେ ବିନିଯୋଗ କରିଥିଲେ। ସେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍‌ସର ଆଭ୍ୟନ୍ତରିଣ ଅଙ୍ଗ ପାଲଟିଯାଇଥିଲେ ଏବଂ ଟ୍ରଫି ଜିତିବାର ଗୌରବ ବହନ କରିଥିଲେ।

ଏହି ବଦ୍ରିନାଥଙ୍କ ସହ ଏକ ଘଟଣାର ସ୍ମୃତିଚାରଣ କରିଛନ୍ତି ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀ। ଗୋଟିଏ ସେସନ୍‌‌ରେ ସେ କେତେ ରନ୍‌ ସ୍କୋର୍‌ କରିପାରିବେ ବୋଲି ବାଲାଜୀ ତାଙ୍କୁ ପଚାରିଥିଲା ବେଳେ ସେ ଗୋଟିଏ ଘଣ୍ଟା ମଧ୍ୟରେ ଶତକ ଜମାଇପାରିବେ ବୋଲି ପ୍ରକାଶ କରିଥିଲେ। ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ୟୁଟ୍ୟୁବ୍‌‌ ସୋ ‘ଫର୍ମୁଲା ଫର୍‌ ସକ୍ସେସ୍‌’ରେ ବାଲାଜୀ ଏହା କହିଥିଲେ। ସେତେବେଳେ ବଦ୍ରିନାଥ ଭିନ୍ନ ରୂପରେ ଥିଲେ, ଭିନ୍ନ ପର୍ଯ୍ୟାୟରେ ପ୍ରଦର୍ଶନ କରୁଥିଲେ ଏବଂ ବୋଲରଙ୍କ ପାଇଁ ଭୟ ସଞ୍ଚାର କରୁଥିଲେ। ୨୦୦୫ ମସିହାର ଗୋଟିଏ ମ୍ୟାଚ୍‌ ବେଳେ ଶ୍ରେଷ୍ଠ ସ୍ପିନରମାନେ ବୋଲିଂ କରୁଥିଲେ। ସେ ମୋତେ କହିଲେ କି ମୁଁ ଗୋଟିଏ ଘଣ୍ଟାରେ ଶତକ ହାସଲ କରିନେବି। ଆଉ ସେହି ମୁତାବକ ବୋଲରଙ୍କୁ ପ୍ରହାର କରିବାରେ ଲାଗିପଡ଼ିଥିଲେ। ସତରେ ସେ ଏହା କରି ଦେଖାଇଥିଲେ ବୋଲି ବାଲାଜୀ ପ୍ରକାଶ କରିଥିଲେ। ନିଜର ରଣଜୀ ଟ୍ରଫି ପଦାର୍ପଣ ମ୍ୟାଚ୍‌ରେ ହିଁ ସେ ଗୋଟିଏ ସେସନ୍‌ରେ କିପରି ଶତକ ଜମାଇହୁଏ ତାହା ମଧ୍ୟ ଦେଖାଇ ଦେଇଥିଲେ।

ଥରେ ବଦ୍ରିନାଥ ବଦହଜମି ଯୋଗୁଁ ଚିକିତ୍ସିତ ହେବା ପରେ ଗୋଟିଏ ମ୍ୟାଚ୍‌କୁ ଫେରିଥିଲେ। ଡ୍ରିପ୍‌ ସେଟ୍‌ଅପ୍‌ ସହ ଆମ୍ବୁଲାନ୍‌ସରେ ଆସିଥିଲେ ଏବଂ ମ୍ୟାଚ୍‌ ଖେଳିଥିଲେ। ସେହି ମ୍ୟାଚ୍‌ରେ ଦଳ ଭୁଶୁଡ଼ି ପଡ଼ିଥଲା। ହେଲେ ବଦ୍ରିନାଥ ଟେକ୍ନିକାଲ ଦୃଷ୍ଟିରୁ ସୁସ୍ଥ ଥିଲେ ଏବଂ ନିଜ ୱିକେଟ୍‌ ହରାଇବାକୁ ଦେଇନଥିଲେ। ବରଂ ରକ୍ଷଣାତ୍ମକ ଢଙ୍ଗ ଆପ‌ଣେଇ ଶତକ ହାସଲ କରିବା ସାଙ୍ଗକୁ ମ୍ୟାଚ୍‌ ବଞ୍ଚାଇ ଦେଇଥିଲେ। କେହି ବି ସେହି କଥା ହୁଏତ ଜାଣିନଥିବେ। ବଦ୍ରିନାଥ କିନ୍ତୁ ସେଭଳି ବହୁ କିଛି କରିପାରିବେ ବୋଲି ବାଲାଜୀ କହିଥିଲେ। ସୂଚନାଯୋଗ୍ୟ, ବଦ୍ରିନାଥ ଭାରତ ପାଇଁ ମାତ୍ର ୨ ଟେଷ୍ଟ୍‌ ଏବଂ ୭ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ସେ ମଧ୍ୟ ଭାରତ ପାଇଁ ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର