ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ଗାବା ଟେଷ୍ଟ୍‌

ବ୍ରିସ୍‌ବନ୍‌: ଗାବାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ଅଷ୍ଟ୍ରେଲିଆ ନିଜ ନିୟନ୍ତ୍ରଣରେ ରଖିଛି। ପ୍ରଥମ ଦିବସରେ ଭ୍ରମଣକାରୀ ସିଂହଳୀ ଦଳକୁ ୧୪୪ ରନ୍‌ରେ ଆଉଟ୍ କରିଥିବା ଟିମ୍ ପେନ୍‌ଙ୍କ ଦଳ ଶୁକ୍ରବାର ନିଜ ପ୍ରଥମ ପାଳିରେ ୩୨୩ ରନ୍ କରିଛି। ଏଥି ସହିତ ପ୍ରଥମ ପାଳିରେ ଘରୋଇ ଦଳକୁ ୧୭୯ ରନ୍ ଅଗ୍ରଣୀ ମିଳିଛି। ଦ୍ବିତୀୟ ଦିନ ଖେଳ ଶେଷ ବେଳକୁ ଶ୍ରୀଲଙ୍କା ଦ୍ବିତୀୟ ପାଳିରେ ୧୭ ରନ୍‌ରେ ୧ ୱିକେଟ୍ ହରାଇ ପ୍ରାରମ୍ଭିକ ସଙ୍କଟରେ ରହିଛି। ଶୁକ୍ରବାର ଅଷ୍ଟ୍ରେଲିଆ ୭୨/୨ରୁ ଖେଳି ହଠାତ୍‌ ୮୨/୪ରେ ସଂଘର୍ଷ କରିଥିଲା। କିନ୍ତୁ ମାର୍ନସ ଲବୁସାନ୍‌ (୮୧, ୧୫୦ ବଲ, ୩ ଚୌକା) ଏବଂ ଟ୍ରାଭିସ ହେଡ୍‌ (୮୪, ୧୮୭ ବଲ୍‌, ୧୦ ଚୌକା) ପଞ୍ଚମ ୱିକେଟ୍‌ ପାଇଁ ଦ୍ରୁତ ବେଗରେ ୧୫୬ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଏହି ଯୋଡ଼ିକୁ ସାମୟିକ ବୋଲର ତଥା ଅଫସ୍ପିନର ଧନଞ୍ଜୟ ଡି’ସିଲଭା ଅଲଗା କରିବା ପରେ ଅଷ୍ଟ୍ରେଲିଆ ନିଜର ଶେଷ ୫ ୱିକେଟ୍‌କୁ ୫୧ ରନ୍‌ରେ ହରାଇ ଦେଇଥିଲା। ଏଥି ସହିତ ୧୧୩ ବ୍ୟକ୍ତିଗତ ଟେଷ୍ଟ୍ ପାଳି ପରେ କୌଣସି ଅଷ୍ଟ୍ରେଲୀୟ ଶତକ ହାସଲ ନ କରିବା ଧାରା ଆଗକୁ ବଢ଼ିଲା। ଶେଷ ଥର ପାଇଁ ଗତ ଅକ୍ଟୋବରରେ ଉସ୍‌ମାନ ଖୱାଜା ଦୁବାଇରେ ଶତକ ହାସଲ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି ୧୪୪ (ନିରୋସନ ଡିକୱାଲା-୬୪, ଦିମୁଥ କରୁଣାରତ୍ନେ-୨୪, ପ୍ୟାଟ୍ କମିନ୍ସ-୪/୩୯, ଝାଏ ରିଚାର୍ଡସନ-୩/୨୬, ମିଚେଲ୍‌ ଷ୍ଟାର୍କ-୨/୪୧, ନାଥନ୍ ଲାୟନ୍‌-୧/୩୮)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୦୬.୨ ଓଭରରେ ୩୨୩ (ଟ୍ରାଭିସ୍ ହେଡ୍‌-୮୪, ମାର୍ନସ ଲବୁସାନ୍‌-୮୧, ମାର୍କସ ହାରିସ୍‌-୪୪, କୁର୍ଟିସ ପାଟରସନ୍‌-୩୦, ମିଚେଲ ଷ୍ଟାର୍କ-୨୬*, ସୁରଙ୍ଗା ଲକମଲ-୫/୭୫, ଦିଲ୍‌ରୁୱାନ ପେରେରା-୨/୮୪)। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୬ ଓଭରରେ ୧୭/୧ (ଦିମୁଥ କରୁଣାରତ୍ନେ-୩, ଲାହିରୁ ଥିରିମାନେ-୬*, ପ୍ୟାଟ୍ କମିନ୍ସ-୧/୦)।

ସମ୍ବନ୍ଧିତ ଖବର