ଭୁବନେଶ୍ୱର: ଲଗାଣ ବର୍ଷା ବି ମୋହନ ବାଗାନ ବିଜୟକୁ ରୋକି ପାରିଲାନି। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଏକାଦା ପଛୁଆ ଥିବା ଏହି ଦଳ ଉଭୟାର୍ଧରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭିଜା ଭିଜା ବିଜୟ ହାସଲ କଲା। ଏସିଆ ମହାଦେଶର ଅନ୍ୟତମ ଏବଂ ଭାରତର ସର୍ବ ପୂରାତନ ଫୁଟବଲ୍ କ୍ଲବ୍ କଳିଙ୍ଗ ଷ୍ଟାଡିୟମରେ ତାର ଅସଲ କମାଲ ଦେଖାଇଲା। ରବିବାର ରାତିରେ ଝିପି ଝିପି ବର୍ଷାରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ସମୟ ଗଡ଼ିବା ସହ ଏହା ଉଗ୍ର ରୂପ ନେଇଥିଲା। ହେଲେ ବାଗାନ ଖେଳାଳିଙ୍କ ବିଜୟ ଭୋକକୁ କମାଇ ପାରି ନଥିଲା। ବିଶେଷ କରି କାମେରୁନରୁ ଆସିଥିବା ଅଗ୍ରଭାଗ ଖେଳାଳି ଦୀପନ୍ଦା ଡିକା (୩୧, ୬୯)ଙ୍କ ଆକ୍ରମଣରେ ପ୍ରତିପକ୍ଷ ଚର୍ଚିଲ ବ୍ରଦର୍ସ ଧୂଳି ଚାଟିଲା। ଏକାକି ଯୁଗଳ ଗୋଲ୍ ଦେଇ ସେ ହିଁ ବାଗାନ ବିଜୟକୁ ପକ୍କା କରି ନେଲେ। ମୋହନ ବାଗାନ ରବିବାରର ଦ୍ୱିତୀୟ ମୁକାବିଲାରେ ଚର୍ଚିଲ ବ୍ରଦର୍ସକୁ ୨-୧ ଗୋଲ୍ରେ ହରାଇ ତୃତୀୟ ଦଳ ଭାବେ ସୁପରକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଯୋଗ୍ୟତା ପର୍ଯ୍ୟାୟରେ ଜବରଦସ୍ତ ବିଜୟ ହାସଲ କରିଥିବା ଚର୍ଚିଲ କିନ୍ତୁ ଲଢ଼ୁଆ ଖେଳ ଖେଳିବା ସତ୍ତ୍ୱେ ପ୍ରି-କ୍ୱାର୍ଟରରୁ ବିଦାୟ ନେଲା। ବାଗାନ ବିଜୟର ନାୟକ ଡିକା ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ୨୫,୦୦୦ ଟଙ୍କାର ଚେକ୍ ପାଇଥିଲେ।
ପ୍ରଥମାର୍ଧର ପ୍ରଥମ ୨୦ ମିିନଟ୍କୁ ଉଭୟ ଦଳ ପରସ୍ପରର ଶକ୍ତି ତଉଲିବାରେ ବିତାଇଥିଲେ। ଶେଷ ୨୫ ମିିନିଟ୍ କିନ୍ତୁ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ବିଶେଷ କରି ୩୧ ମିନିଟ୍ରେ ଓ୍ଵିଲିସି ପ୍ଲାଜା ଚର୍ଚିଲ ବ୍ରଦର୍ସକୁ ଆଗୁଆ କରିବା ପରେ ମୋହନ ବାଗାନ ତା ଖେଳର ସ୍ତର ବଢ଼ାଇବାକୁ ବାଧ୍ୟ ହୋଇଥିଲା। ତଥାପି ନିର୍ଧାରିତ ୪୫ ମିିନିଟ୍ ଭିତରେ ଗୋଲ୍ କରି ପାରି ନଥିଲା। ତେବେ ଆହତ ସମୟ ପାଇଁ ମିଳିଥିବା ଅତିରିକ୍ତ ଦୁଇ ମିନିଟ୍ରେ ଚର୍ଚିଲ ମଧ୍ୟଭାଗ ଖେଳାଳି ନିକୋଲାସ୍ ଫର୍ନାଣ୍ଡୋଙ୍କ ନିର୍ବୋଧତା ପାଇଁ ବାଗାନ ମ୍ୟାଚ୍କୁ ଫେରିଥିଲା। ଅତିରିକ୍ତ ସମୟର ଦ୍ୱିତୀୟ ମିନିଟ୍ରେ ନିକୋଲାସ ଡି’ ଅଞ୍ଚଳରେ ମୋହନ ବାଗାନର ମଧ୍ୟଭାଗ ଖେଳାଳି ଏସ୍ କେ ଫୟାଜଙ୍କୁ ଅଟକାଇବା ଚର୍ଚିଲ ପାଇଁ କାଳ ହୋଇଥିଲା। ନିକୋଲାସଙ୍କ ଏହି ଭୁଲ ପାଇଁ ମୋହନ ବାଗାନକୁ ରେଫରି ପେନାଲ୍ଟି କିକ୍ ପ୍ରଦାନ କରିଥିଲେ। ଯାହାର ପୂରା ଫାଇଦା ଏହି ଦଳର ଅଗ୍ରଭାଗ ଖେଳାଳି ଅସେର ପିଏରିକ୍ ଦୀପନ୍ଦା ଡିକା ଉଠାଇଥିଲେ। ଦ୍ୱିତୀୟ ପ୍ରୟାସରେ ସଫଳ ହୋଇ ସେ ସ୍ଥିତି ସମାନ ସ୍ତରକୁ ନେଇ ଆସିଥିଲେ। ବଲ୍ ଚର୍ଚିଲ ଗୋଲ୍ ରକ୍ଷକ ରିକାର୍ଡୋ କାର୍ଡୋଜୋଙ୍କ ହାତରେ ବାଜି ଆଗକୁ ପ୍ରତିଫଳିତ ହେବା ପରେ ଦୀପନ୍ଦା ଏହାକୁ ଚତୁରତାର ସହ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ସ୍ଥିତି ୧-୧ କରି ନେଇଥିଲେ। ମୋହନ ବାଗାନ ପ୍ରଶଂସକଙ୍କ ଉତ୍ସବ ପାଳନରେ କଳିଙ୍ଗ ଷ୍ଟାଡିୟମ୍ କମ୍ପି ଉଠିଥିଲା। ଦ୍ୱିତୀୟାର୍ଧର ପ୍ରଥମ କିଛି ମିନିଟ୍ ଟିକିଏ ମାନ୍ଦା ରହିଥିଲା। ହେଲେ ୬୯ ମିନିଟ୍ରେ ଡିକା ପୁଣି ଥରେ ସଫଳ ହେବା ପରେ ମ୍ୟାଚ୍ ପୂରା ବାଗାନ ନିୟନ୍ତ୍ରଣକୁ ଚାଲି ଯାଇଥିଲା। ବ୍ୟକ୍ତିଗତ ଭାବେ ଡିକାଙ୍କର ଏହା ଦ୍ୱିତୀୟ ଏବଂ ମ୍ୟାଚ୍ର ତୃତୀୟ ଗୋଲ୍ ଥିଲା। ରବିବାର ଖେଳା ଯାଇଥିବା ଦୁଇଟି ଯାକ ମ୍ୟାଚ୍ରେ ଦୁର୍ଭାଗ୍ୟଜନକ ଭାବେ ପ୍ରଥମେ ଗୋଲ୍ ଦେଇଥିବା ଦଳ ପରାଜିତ ହୋଇଥିଲେ।
ପଡ଼ିଆରେ ଛିଞ୍ଚାହେଲା ସାର
ଲାଇନ ଚିହ୍ନଟ ପାଇଁ ବ୍ୟବହାର କରାଯାଇଥିବା ରଙ୍ଗର ରସାୟନିକ ପ୍ରତିକ୍ରିୟା ପାଇଁ କଳିଙ୍ଗ ଷ୍ଟାଡିୟମ ଫୁଟବଲ୍ ପଡ଼ିଆର ଘାସ ସବୁଜରୁ ହଳଦିଆ ପଡ଼ି ଯାଇଥିଲା। ଶନିବାର ସୁପର କପର ପ୍ରଥମ ଦିନରେ ରଙ୍ଗ ବୋଳି ଏବଂ ହଳଦିଆ ଘାସକୁ ମୂଳରୁ ଓପାଡ଼ି କାମ ଚଳାଇ ଦିଆ ଯାଇଥିଲା। ଦ୍ୱିତୀୟ ଦିନରେ ବି ଏହି ସ୍ଥିତି ଜାରି ରହିଥିଲା। ହେଲେ ଘାସର ପୁରୁଣା ସ୍ଥିତି ଫେରାଇ ଆଣିବା ଲାଗି ରବିବାର ରାତି ମ୍ୟାଚ୍ ସରିବା ପରେ ଘାସ ଉପରେ ୟୁରିଆ ସାର ଛିଞ୍ଚା ଯାଉଥିବା ଦେଖିବାକୁ ମିଳିଥିଲା। ୟୁରିଆ ପାଇଁ ଘାସର ସ୍ୱାସ୍ଥ୍ୟ ଏବଂ ରଙ୍ଗ ବଦଳିବାର ଆଶା ଥିଲେ ମଧ୍ୟ ବର୍ଷା ଏହାକୁ ଧୋଇ ନେବାର ଆଶଙ୍କା ଅଧିକ ରହିଥିଲା। ତଥାପି ସୋମବାର ବେଳକୁ ସ୍ଥିତି ଟିକିଏ ସୁଧୁରିଥିବ ବୋଲି ଆୟୋଜକ ଆଶା ରଖିଥିଲେ।