ଭୁବନେଶ୍ବର: ବାହାରିନର ମାନମାରେ ଚାଲିଥିବା ବାହାରିନ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିବା ଦୁଇ ଓଡ଼ିଶା ଖେଳାଳି ପ୍ରମୋଦ ଭଗତ ଓ ଦିଲେଶ୍ବର ରାଓ ବିଜୟ ଧାରାରେ ରହିଛନ୍ତି। ଉଭୟେ ତୃତୀୟ ଦିବସରେ ନିଜ ନିଜର ମୁକାବିଲା ଜିତି ଏକକ ବର୍ଗ ପ୍ରିକ୍ବାର୍ଟର ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଶୁକ୍ରବାର ବାହାରିନ୍ର ହୁସେନ ଅବ୍ଦୁଲ ରହମାନ୍ଙ୍କୁ ୨୧-୮ ଓ ୨୧-୪ରେ ପରାସ୍ତ କରି ଲଗାତାର ତୃତୀୟ ବିଜୟ ସହ ପ୍ରମୋଦ ଏକକ ପ୍ରିକ୍ବାର୍ଟରରେ ପହଞ୍ଚିଛନ୍ତି। କ୍ବାର୍ଟର ଫାଇନାଲ୍ରେ ସ୍ଥାନ ପକ୍କା କରିବା ପାଇଁ ଇଣ୍ଡୋନେସିଆର ଦ୍ବିୟୋକୋଙ୍କ ସହ ମୁକାବିଲା କରିବେ ପ୍ରମୋଦ। ଅନ୍ୟପକ୍ଷରେ ପ୍ରମୋଦ ଯୁଗଳ ଏବଂ ମିଶ୍ରିତ ଯୁଗଳରେ ମଧ୍ୟ ଶୁକ୍ରବାର ବିଜୟ ହାସଲ କରିଛନ୍ତି। ସୁକାନ୍ତ କଦମଙ୍କ ସହ ଯୁଗଳରେ କାମେରୁନ୍ ଯୋଡ଼ି ଏମାନୁଏଲ ପିନୋଚେଟ୍ ଅମୋଗୁଲ ଓ ଇତିନେ ସୋଙ୍ଗା ବିଜୋକାଙ୍କୁ ୨୧-୭, ୨୧-୮ରେ ଏବଂ ମନୀଷା ରାମଦାସଙ୍କ ସହ ମିଶ୍ରିତ ଯୁଗଳରେ ଫ୍ରାନ୍ସ ଯୋଡ଼ି ମାଥିଉ ଥୋମାସ ଓ ମଉଦ ଲିଫୋର୍ଟଙ୍କୁ ୨୧-୧୮, ୨୧-୧୨ରେ ପରାସ୍ତ କରିଛନ୍ତି।
ଅନ୍ୟପକ୍ଷରେ ଦିଲେଶ୍ବର ଶୁକ୍ରବାର ୟୁକ୍ରେନ୍ର ଓଲେକ୍ଜାନ୍ଦ୍ର ଚିର୍କୋଭ୍ଙ୍କ ନିକଟରୁ ୧୦-୨୧ ଓ ୧୩-୨୧ରେ ମୁକାବିଲା ହାରିଯାଇଥିଲେ ମଧ୍ୟ ୩ରୁ ୨ ବିଜୟ ପାଇଥିବାରୁ ପ୍ରିକ୍ବାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଏହି ପର୍ଯ୍ୟାୟରେ ତାଙ୍କର ମୁକାବିଲା ନିଜ ଦେଶ ଭାରତର ବିକ୍ରମ କୁମାରଙ୍କ ସହ ହେବ। ଅନ୍ୟପକ୍ଷରେ ଯୁଗଳରେ ଶୁଭ୍ରଜିତ ମହାରଣାଙ୍କ ସହ ପେରୁ ଯୋଡ଼ି ରେଞ୍ଜୋ ଡିକ୍ବେଜ ବାନ୍ସେସ ମୋରାଲେସ୍ ଓ ପେଡ୍ରୋ ପାବ୍ଲୋ ଡି ଭିନେତିଆଙ୍କୁ ୨୧-୯, ୨୧-୧୯ରେ ପରାସ୍ତ କରିଛନ୍ତି।
ଅନ୍ୟ ଦୁଇ ଓଡ଼ିଆ ଶୁଭ୍ରଜିତ ମହାରଣା ଓ ଦୀପରଂଜନ ବିଶୋଇ ଗୁରୁବାର ମ୍ୟାଚ୍ ଜିତିଥିଲା ବେଳେ ଶୁକ୍ରବାର ପରାଜୟ ସହ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ତେବେ ମନୋଜ ସରକାରଙ୍କ ସହ ଯୁଗଳ ଖେଳୁଥିବା ଦୀପରଞ୍ଜନ ବିଶୋଇ ଶୁକ୍ରବାର ଚୀନ୍ ଯୋଡ଼ି ଗାଓ ୟୁୟାଙ୍ଗ୍ ଓ ୟାଙ୍ଗ୍ ଜିଆନୟୁଆନଙ୍କୁ ୨୧-୧୫, ୨୧-୮ରେ ଏବଂ ଅନ୍ୟତମ ଚୀନ୍ ଯୋଡ଼ି ଡୋମିନିକ ବଜ୍ବର୍ଗର ଓ ମରିନ୍ ଷ୍ଟବିଙ୍କୁ ୨୧-୧୦ ଓ ୨୧-୬ରେ ପରାସ୍ତ କରିଛନ୍ତି।