ଭୁବନେଶ୍ବର: ବାହାରିନର ମାନମାରେ ଚାଲିଥିବା ବାହାରିନ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଶା ଖେଳାଳି ପ୍ରମୋଦ ଭଗତ ଚମକ ଚାରି ରଖିଛନ୍ତି। ରବିବାର ପ୍ରମୋଦ ଏକାଦିକ୍ରମେ ୩ଟି (ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ) ବର୍ଗର ସେମିଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ଦୀପରଞ୍ଜନ ବିଶୋୟୀ ଯୁଗଳ ସେମିରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଏକକ କ୍ବାର୍ଟର ଫାଇନାଲ୍‌ରେ ପ୍ରମୋଦ ୨୧-୧୪ ଓ ୨୧-୧୦ରେ ୟୁକ୍ରେନ୍‌ର ଓଲେକ୍‌ଜାନ୍ଦ୍ର ଚିର୍‌କୋଭଙ୍କୁ ପରାସ୍ତ କରିଥିଲା ବେଳେ ଯୁଗଳରେ ସୁକାନ୍ତ କଦମଙ୍କୁ ସାଥୀ କରି ୨୧-୧୪ ଓ ୨୧-୧୯ରେ ନ୍ୟୁଜିଲାଣ୍ଡ-ସ୍ବୀଡେନ ଯୋଡ଼ି ଓଜେକ୍‌ ସିଜ୍‌ ଓ ଦିଲାନ ଜାକୋବସନ୍‌ଙ୍କୁ ଏବଂ ମିଶ୍ରିତ ଯୁଗଳରେ ମନୀଷା ରାମଦାସଙ୍କୁ ସାଥୀ କରି ୨୧-୧୪ ଓ ୨୧-୧୩ରେ ଫ୍ରାନ୍ସ ଯୋଡ଼ି ମେରିଲ ଲୋକ୍ବେଟ ଓ କୋରାଲିନେ ବର୍ଗେରନଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ପକ୍କା କରିନେଇଛନ୍ତି। ସେହିପରି ଅନ୍ୟତମ ଓଡ଼ିଆ ଦୀପରଞ୍ଜନ ବିଶୋୟୀ ଓ ମନୋଜ ସରକାର ଯୋଡ଼ି ଯୁଗଳରେ କୋରିଆ ପ୍ରତିଦ୍ବନ୍ଦ୍ବୀ ଜୁ ଡଙ୍ଗ୍‌ଜାଇ ଓ ସିନ୍‌ କ୍ୟୁଙ୍ଗ୍‌ ହ୍ବାଙ୍ଗ୍‌ ଯୋଡ଼ିକୁ ୧୬-୨୧, ୨୧-୧୪ ଓ ୨୧-୧୬ରେ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି।