ବେୟାରଷ୍ଟୋ ବିସ୍ଫୋରଣ

ବର୍ମିଂହାମ: ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିଲା। ଆଘାତ ଜନିତ ସମସ୍ୟାରୁ ମୁକଳିବା ପରେ ରବିବାର କ୍ରିକେଟ୍‌କୁ ଫେରିଥିବା ଜାସନ ରଏ (୬୬)ଙ୍କ ସହ ଜନି ବେୟାରଷ୍ଟୋ(୧୧୧) ପାଳି ଆରମ୍ଭ କରିଥିଲେ। ପୁରୁଣା ସାଥୀ ରଏଙ୍କୁ ପାଖରେ ପାଇ ବେୟାର‌ଷ୍ଟୋଙ୍କ ଶକ୍ତି ଯେମିତି ଦ୍ବିଗୁଣିତ ହୋଇ ଯାଇଥିଲା। ଭାରତୀୟ ବୋଲରଙ୍କୁ ସେ ଆରମ୍ଭରୁ ନିଧୁର୍ମ ପ୍ରହାର କରିଥିଲେ। ରାଏ ବି କିଛି କମ୍ ନଥିଲେ। ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଫଳରେ ପ୍ରଥମ ୧୦ ଓଭରରେ ୪୭ ରନ୍ କରିଥିବା ଇଂଲଣ୍ଡ ୧୫.୩ ଓଭରରେ ଶତକ ଛୁଇଁଥିଲା। ବେୟାରଷ୍ଟୋ-ରଏ ପ୍ରତି ଓଭରରେ ଛକା ଚୌକା ବର୍ଷା କରିଥିଲେ। ଦୁଇ ଜଣ ଯାକ ପ୍ରଥମ ୱିକେଟ୍‌ରେ ମାତ୍ର ୨୨.୩ ଓଭର ଖେଳି ୧୬୦ ରନ୍ ସଂଗ୍ରହ କରି ନେଇଥିଲେ। ବେୟାରଷ୍ଟୋ ୯୦ ବଲ୍‌ରୁ ୮ ଚୌକା ଓ ୬ ଛକା ବଳରେ ଚଳିତ ବିଶ୍ବକପ୍‌ର ପ୍ରଥମ ଶତକ ଅର୍ଜନ କରିଥିଲେ। ଗୋଟିଏ ଜୀବନଦାନ ପାଇଥିବା ରଏ ୪୧ ବଲ୍‌ରୁ ଅର୍ଧଶତକ ପୂରଣ କରିଥିଲେ। ସେଥିମଧ୍ୟରେ ସେ ୭ ଚୌକା ଓ ଗୋଟିଏ ଛକା ମାରିଥିଲେ।

ସ୍ପିନର ଦେଲେ ୧୬୦
ଇଂଲଣ୍ଡ ପାଳି ଶେଷ ବେଳକୁ ଭାରତର ଦୁଇ ତାରକା ସ୍ପିନର ୟୁଜବେନ୍ଦ୍ର ଚହଲ (୧୦-୦-୮୮-୦) ଓ କୁଲଦୀପ ଯାଦବ (୧୦-୦-୭୨-୧) ମିଳିତ ଭାବେ ୨୦ ଓଭରରେ ୧୬୦ ରନ୍ ବ୍ୟୟ କରିଥିଲେ। ଉଭୟ ମିଶି କେବଳ ଗୋଟିଏ ୱିକେଟ୍ କରାୟତ କରିଥିଲେ। ଭାରତ ଅବଶ୍ୟ ୩୧ରୁ ୪୦ ଓଭରର ୧୦ ଓଭର ଅବଧି ଭିତରେ ବହୁତ ଭଲ ବୋଲିଂ କରିଥିଲା। ଫଳରେ ଏକଦା ୩୬୦ ରନ୍ ଟପିଯିବା ସ୍ଥିତିରେ ଥିବା ଇଂଲଣ୍ଡ ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୩୭ ରନ୍ କରିଥିଲା। ରଏ, ବେୟାରଷ୍ଟୋଙ୍କ ଛଡ଼ା ଜୋ ରୁଟ୍ (୪୪) ଦାୟିତ୍ବବାନ ବ୍ୟାଟିଂ କରିଥିଲେ। ତେବେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ (୭୯)ଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ହିଁ ଇଂଲଣ୍ଡ ୩୦୦ ରନ୍ ଟପିଥିଲା। ‌ଜୋସ୍ ବଟଲର ଦ୍ରୁତ ୨୦ ରନ୍ କରିଥିଲେ। ଇଂଲଣ୍ଡ ପାଳିରେ ୨୭ ଚୌକା ଓ ୧୩ ଛକା ଦେଖିବାକୁ ମିଳିଥିଲା।

ରିଭ୍ୟୁ ନନେଇ ରଏଙ୍କୁ ଜୀବନ ଦାନ
ଭାରତ ରିଭ୍ୟୁ ନେବାରେ କରିଥିବା ମସ୍ତବଡ଼ ଭୁଲ ପାଇଁ ହିଁ ବେୟାରଷ୍ଟୋ-ରଏ ଇଂଲଣ୍ଡ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ରଏ ଆଉଟ୍ ଥିଲେ ମଧ୍ୟ ଧୋନିଙ୍କ ପରାମର୍ଶକ୍ରମେ କୋହଲି ରିଭ୍ୟୁ ନେଇ ନଥିଲେ। ବୋଲର ହାର୍ଦିକ ପାଣ୍ଡ୍ୟା କିନ୍ତୁ ଏହା ସପକ୍ଷରେ ଥିଲେ। ହେଲେ ଧୋନି ଅମଙ୍ଗ ହେବା ପରେ ଉଭୟ ଚୁପ୍ ରହିଯାଇଥିଲେ। ୨୧ ରନ୍‌ରେ ଜୀବନ ଦାନ ପାଇବା ପରେ ରଏ ଅର୍ଧଶତକ ପୂରଣ କରିବା ସହ ଇଂଲଣ୍ଡ ମଜବୁତ ମୂଳଦୁଆ ପାଇଥିଲା। ଏହି ଘଟଣା ଇଂଲଣ୍ଡ ପାଳିର ଏକାଦଶ ଓଭରରେ ଘଟିଥିଲା। ପାଣ୍ଡ୍ୟାଙ୍କ ଲେଗ୍ ଷ୍ଟିକରେ ଥିବା ବଲ୍ ରଏଙ୍କ ଗ୍ଲୋଭ୍ସ ଛୁଇଁ ଧୋନିଙ୍କ ହାତକୁ ଯାଇଥିଲା। ହେଲେ ଧୋନି ଏକଥା ଜାଣି ପାରି ନଥିଲେ। ଅମ୍ପାୟାର ମଧ୍ୟ ବଲ୍‌କୁ ୱାଇଡ୍ ସଙ୍କେତ ଦେଇଥିଲେ। ଟେଲିଭିଜନ୍ ରିପ୍ଲେରୁ କିନ୍ତୁ ରାଏ ଆଉଟ୍ ଥିବା ଜଣାପଡ଼ିଥିଲା। ଭାରତର ରିଭ୍ୟୁ ଭୁଲ ହିଁ ରଏ ଓ ଇଂଲଣ୍ଡ ପାଇଁ ସଂଜୀବନୀ ସଦୃଶ ହୋଇଥିଲା।

ସମ୍ବନ୍ଧିତ ଖବର