ବେୟାରଷ୍ଟୋ-ଷ୍ଟୋକ୍ସ ଲେଖିଲେ ନୂଆ ଟେଷ୍ଟ ଇତିହାସ: ୧୬ ଓଭରରେ ୧୬୦ ରନ୍‌

ନଟିଂହାମ: ନଟିଂହାମ ଟେଷ୍ଟ୍‌ରେ ଇଂଲଣ୍ଡ ଅବିଶ୍ବସନୀୟ ବିଜୟ ହାସଲ କରିଥିଲା। ପଞ୍ଚମ ଦିନ ପିଚ୍‌ରେ ୨୯୯ ରନ୍‌ର କଷ୍ଟକର ଓ ଅସାଧାରଣ ବିଜୟ ଲକ୍ଷ୍ୟକୁ ହାସଲ କରି ସମସ୍ତଙ୍କୁ ଚକିତ କରି ଦେଇଥିଲା। ଆଉ ଏହି ଅନନ୍ୟ ବିଜୟରେ ଇଂଲଣ୍ଡର ଦୁଇ ମହାରଥୀ ଜନି ବେୟାରଷ୍ଟୋ (୧୩୬ ରନ୍, ୯୨ ବଲ୍) ଏବଂ ଅଧିନାୟକ ବେନ୍ ଷ୍ଟୋକ୍ସ (୭୫* ରନ୍, ୭୦ ବଲ୍) ପ୍ରମୁଖ ଭୂମିକା ତୁଲାଇଥିଲେ। ଉଭୟ ମିଳିତ ଭାବେ ୧୬ ଓଭରରେ ୧୬୦ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡ ବୋଲରଙ୍କୁ ତୋବା କରି ଦେଇଥିଲେ। ଇଂଲଣ୍ଡ ମାତ୍ର ୫୦ ଓଭରରେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ବେୟାରଷ୍ଟୋ ଗତ ୧୨୦ ବର୍ଷ ଭିତରେ ଇଂଲଣ୍ଡ ପାଇଁ ଦ୍ରୁତତମ ଟେଷ୍ଟ୍ ଶତକ ହାସଲ କରିଥିଲେ। ଇଂଲଣ୍ଡର ସର୍ବକାଳୀନ ଦ୍ରୁତତମ ଟେଷ୍ଟ୍ ଶତକ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ସେ। ବେୟାରଷ୍ଟୋ ଏହି ମ୍ୟାଚ୍‌ରେ ୭୭ ବଲ୍‌ରୁ ଶତକ ହାସଲ କରିଥିଲା ବେଳେ ୧୯୦୨ ମସିହାରେ ଗିଲବର୍ଟ ଯୋଶେଫ ଅଷ୍ଟ୍ରେଲିଆ ବିପକ୍ଷରେ ଦି ଓଭାଲରେ ମାତ୍ର ୭୫ ବଲ୍‌ରୁ ଶତକ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ମଧ୍ୟ ଟେଷ୍ଟ୍ ଇତିହାସର ସର୍ବାଧିକ ଛକା ଚୌକା ଦେଖିବାକୁ ମିଳିଥିଲା। ୨୪ ଛକା ସହ ଏହି ମ୍ୟାଚ୍‌ରେ ମୋଟ ୨୫୦ ବାଉଣ୍ଡରି ହାସଲ କରିଥିଲେ ଉଭୟ ଦଳର ଖେଳାଳି।

ସମ୍ବନ୍ଧିତ ଖବର