ଇତି ଊଣେଇଶ: ବଜରଙ୍ଗ ଓ ଦୀପାଙ୍କୁ ଖେଳରତ୍ନ

ହକିରେ ଯୁଗଳ ହସ

ବଜରଙ୍ଗ ଓ ଦୀପା ଖେଳରତ୍ନ
ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାର ପାରାଆଥଲେଟ୍ ଦୀପା ମଲ୍ଲିକ ଏବଂ କୁସ୍ତି ତାରକା ବଜରଙ୍ଗ ପୁନିଆ ଲାଭ କରିଥିଲେ। ଏମାନଙ୍କ ଛଡ଼ା କ୍ରିକେଟର୍‌ ରବୀନ୍ଦ୍ର ଜାଦେଜା, ପୁନମ ଯାଦବ, ଧାବକ ମହମ୍ମଦ ଆନସ, ଧାବିକା ସ୍ବପ୍ନା ବର୍ମନ, ଓଡ଼ିଶା ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ, ସୁନ୍ଦର ସିଂହ ଗୁର୍ଜର ପ୍ରମୁଖ ୧୯ ଜଣ ଖେଳାଳି ଅର୍ଜୁନ ପୁରସ୍କାର ପାଇଥିଲେ। ମହିନ୍ଦର ସିଂହ ଢିଲୋଁ, ସନ୍ଦୀପ ଗୁପ୍ତା ଓ ବିମଳ କୁମାରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା। କୁସ୍ତିରେ ମନୋଜ କୁମାର, ତୀରନ୍ଦାଜିରେ ସି ଲାଲରେମସାଙ୍ଗ, ଟେବୁଲ ଟେନିସ୍‌ରେ ଅନୂପ ବସାକ, ଟେନିସ୍‌ରେ ନିତିନ କିର୍ତନେ ଓ ହକିରେ ମାନୁଏଲ ଫେଡରିକ୍ସଙ୍କୁ ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଶିରୋନାମାରେ ସଚିନ
୨୦୧୯ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଇସିସି ହଲ୍ ଅଫ୍ ଫେମ୍‌ରେ ସ୍ଥାନ ପାଇବା ଭାରତୀୟ କ୍ରିକେଟ୍ ପାଇଁ ଗର୍ବ ଏବଂ ଗୌରବର ବିଷୟ ଥିଲା। ଏହି କ୍ଲବ୍‌ରେ ସାମିଲ ହେବାରେ ସେ ସୁନୀଲ ଗାଭାସ୍କର, ବିସନ ସିଂହ ବେଦୀ, କପିଳ ଦେବ, ଅନିଲ କୁମ୍ବଲେ ଓ ରାହୁଲ ଦ୍ରାବିଡ଼ଙ୍କ ପରେ ଷଷ୍ଠ ଭାରତୀୟ ହୋଇଥିଲେ। ସଚିନଙ୍କ ସହ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଆଲାନ ଡୋନାଲ୍ଡ ମଧ୍ୟ ଆଇସିସି ହଲ୍ ଅଫ୍ ‌ଫେମ୍‌ରେ ସାମିଲ ହୋଇଥିଲେ।

ମହକିଲେ ଫୁଟ୍‌ବଲ୍ ଫୁଲ
ସମ୍ମାନଜନକ ଲୌରିଅସ୍ କ୍ରୀଡ଼ା ପୁରସ୍କାରରେ କିଛି କୁନି ମହିଳା ଫୁଟ୍‌ବଲର୍‌ ସ୍ବତନ୍ତ୍ର ଭାବେ ସମ୍ମାନିତ ‌ହେବା ଭାରତୀୟ କ୍ରୀଡ଼ା ପାଇଁ ଗର୍ବ ଏବଂ ଗୌରବର ବିଷୟ ଥିଲା। ମହିଳାଙ୍କ ଭିତରେ ଫୁଟବଲ୍ ଖେଳର ଆଗ୍ରହ ଜାଗ୍ରତ କରି ଝାଡ଼ଖଣ୍ଡର ‘ୟୁୱା’ ସଂଗଠନ ଲୌରିଅସ ପୁରସ୍କାର ଲାଭ କରିଥିଲା। ଶାନ୍ତିବା‌ର୍ତା ପାଇଁ ଭାରତୀୟ କ୍ରିକେଟ୍ ଦଳ ଲୌରିଅସ୍ ପୁରସ୍କାର ଜିତିବାର ଦୀର୍ଘ ୧୫ ବର୍ଷ ପରେ କୌଣସି ଭାରତୀୟ ସଂଗଠନ ଏହି ପୁରସ୍କାର ଲାଭ କରିଥିଲା। ସଂଗଠନର ଚାରି ଜଣ ବାଳିକା ଫୁଟ୍‌ବଲ୍ ଖେଳାଳି ଏବଂ ସେମାନଙ୍କ ପ୍ରଶିକ୍ଷକ ଏହି ପୁରସ୍କାର ଗ୍ରହଣ କରିଥିଲେ।

ମେରି ମିରାକଲ୍‌ ଜାରି
୨୦୧୮ ଭଳି ୨୦୧୯ରେ ମଧ୍ୟ ମହାନ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମଙ୍କ ଯାଦୁ ଜାରି ରହିଥିଲା। ଏ ବର୍ଷ ମେରି ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ୮ ପଦକ ଜିତିବାରେ ପ୍ରଥମ ମୁଷ୍ଟିଯୋଦ୍ଧା ହେବାର ଗୌରବ ଅର୍ଜନ କରିଥିଲେ। ଉଲାନରେ ଆୟୋଜିତ ବିଶ୍ବ ପ୍ରତିଯୋଗିତାର ୫୧ କିଲୋଗ୍ରାମ ବର୍ଗରେ ଅଂଶଗ୍ରହଣ କରି କାଂସ୍ୟ ପଦକ ଜିତିବା ସହ ସେ ଏହି ଐତିହାସିକ କୀର୍ତ୍ତି ନିଜ ନାମରେ ଲିପିବଦ୍ଧ କରି ନେଇଥିଲେ। ଟୋକିଓ ଅଲିମ୍ପିକ୍ସ ଟିକେଟକୁ ନେଇ ନିଖତ ଜରିନ ଓ ତାଙ୍କ ମଧ୍ୟରେ ହେଉଥିବା ଟଣାଓଟରା ମଧ୍ୟ ଭାରତୀୟ ବକ୍ସିଂ ଜଗତର ଅନ୍ୟତମ ଚର୍ଚ୍ଚିତ ଘଟଣା ଥିଲା।

ବିଦର୍ଭକୁ ରଣଜୀ, ଇଣ୍ଡିଆନ୍ସକୁ ଆଇପିଏଲ୍
କର୍ଣ୍ଣାଟକ, ତାମିଲନାଡୁ ଓ ମୁମ୍ବାଇ ଭଳି ଶକ୍ତିଶାଳୀ ଦଳକୁ ପଛରେ ପକାଇ ବିଦର୍ଭ ଏ ବର୍ଷ ଦ୍ବିତୀୟ ଥର ପାଇଁ ରଣଜୀ ବିଜେତା ହୋଇଥିଲା। ୱାସିମ ଜାଫର ଖେଳିଥିବା ପ୍ରତ୍ୟେକ ଫାଇନାଲ୍‌ରେ ବିଜୟୀ ଦଳରେ ରହିବାର ଗୌରବ ଅର୍ଜନ କରିଥିଲେ। ଫାଇନାଲରେ ବିଦର୍ଭ ୭୮ ରନ୍‌ରେ ସୌରାଷ୍ଟ୍ରକୁ ପରାସ୍ତ କରିଥିଲା। ଜାଫର ମଧ୍ୟ ପ୍ରଥମ ଖେଳାଳି ଭା‌ବେ ୧୫୦ରୁ ଅଧିକ ରଜଣୀ ମ୍ୟାଚ୍ ଖେଳିଥିଲେ। ସେପଟେ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ‘ଆଇପିଏଲ୍‌’ରେ ମୁମ୍ବାଇ ଇଣ୍ଡିଆନ୍ସ ରୋମାଞ୍ଚକର ଭାବେ ୧ ରନ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ବିଜେତା ହୋଇଥିଲା।

ଜୋକୋଭିକ ଜମେଇଲେ
ସର୍ବିୟା ତାରକା ନୋଭାକ ଜୋକୋଭିକ ସର୍ବାଧିକ ସପ୍ତମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଜିତିବାର ଐତିହାସିକ କୀର୍ତ୍ତିମାନ କରିଥିଲେ। ଏହି କ୍ରମରେ ସେ ରୋଜର ଫେ‌ଡେରର ଓ ରଏ ଏମରସନ୍‌ଙ୍କୁ ଟପିଥିଲେ। ଜାପାନର ନାଓମି ଓସାକା ଏହି ଗ୍ରାଣ୍ଡସ୍ଲାମର ମହିଳା ଏକକ ଟ୍ରଫି ଜିତିଥିଲେ। ସେହିଭଳି ଫ୍ରେଞ୍ଚ ଓପନ୍‌ର ପୁରୁଷ ଏକକରେ ରାଫେଲ ନାଦାଲ ଓ ମହିଳାରେ ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି, ୱିମ୍ବଲଡନରେ ଜୋକୋଭିକ ଓ ରୋମାନିଆର ସିମୋନା ହାଲେପ ଏବଂ ୟୁଏସ୍ ଓପନରେ ପୁଣି ନାଦାଲ ଏବଂ କାନାଡାର ବିୟାଙ୍କା ଆନ୍ଦ୍ରେସ୍କୁ ବିଜେତା ଆଖ୍ୟା ଅର୍ଜନ କରିଥିଲେ।

ଯୁବି ଯୁଗାନ୍ତ
ଦୀର୍ଘ ୨୮ ବର୍ଷ ପରେ ଅର୍ଥାତ୍ ୨୦୧୧ରେ ଭାରତକୁ ଦ୍ବିତୀୟ ଥର ବିଶ୍ବକପ୍ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ଷ୍ଟାଇଲିସ୍ ବାମହାତୀ ବ୍ୟାଟ୍ସମ୍ୟାନ୍ ତଥା ଅଲ୍‌ରାଉଣ୍ଡର୍‌ ଯୁବରାଜ ସିଂହ ୨୦୧୯ରେ ନିଜ ଘଟଣା ବହୁଳ କ୍ରିକେଟ୍ ଜୀବନରେ ପୂର୍ଣ୍ଣଛେଦ ଟାଣିଥିଲେ। ୩୭ ବର୍ଷ ବୟସରେ ସେ କ୍ରିକେଟ୍‌କୁ ଅଲବିଦା କହିଥିଲେ। ଫଳରେ ଭାରତୀୟ କ୍ରିକେଟରେ ଯୁବି ଯୁଗର ଅବସାନ ଘଟିଥିଲା। ଅବସର ବେଳକୁ ସେ ୪୦ ଟେଷ୍ଟ୍‌, ୩୦୪ ଦିନିକିଆ, ୫୮ ଟ୍ବେଣ୍ଟି-୨୦ ଖେଳିଥିଲେ। ଯୁବିଙ୍କ ସହ ଦକ୍ଷିଣ ଆଫ୍ରିକାର ହାସିମ ଆମଲା, ଇମ୍ରାନ ତାହିର, ଜେପି ଡୁମିନି, ଡେଲ ଷ୍ଟେନ୍, ଜୋହାନ ବୋଥା, ଅମ୍ବାତି ରାୟୁଡୁ, ସୋଏବ ମଲ୍ଲିକ (ଦିନିକିଆ), ଭେନୁଗୋପାଳ ରାଓ, ନୁଆନ କୁଳସେକରା ପ୍ରମୁଖ ମଧ୍ୟ କ୍ରିକେଟକୁ ଅଲବିଦା କହିଥିଲେ।

ମଙ୍କଡ଼ିଂ ମହାଭାରତ
ବିବାଦ, ବିଦ୍ରୋହ, ବିଚ୍ଛେଦ ଓ ଆଲୋଡ଼ନରୁ ‘ଊଣେଇଶ’ ବର୍ତି ନଥିଲା। ଆଇପିଏଲ୍‌ରେ ରବିଚନ୍ଦ୍ରନ୍ ଅଶ୍ବିନ ରାଜସ୍ଥାନ ରୟାଲ୍ସ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ମଙ୍କଡିଂ କରିବାଠାରୁ ଆରମ୍ଭ କରି ବିଶ୍ବକପ୍ ଫାଇନାଲ୍‌ର ଟାଇବ୍ରେକର ନିୟମ, କର୍ଣ୍ଣାଟକ କ୍ରିକେଟ୍‌ରେ ମ୍ୟାଚ୍ ଫିକ୍ସିଂ, ପୁଲବାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ପାକିସ୍ତାନ ସୁଟରଙ୍କୁ ଭିସା ଦେବାକୁ ଭାରତ ମନା କରିବା, ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ହାର୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ବାସନ୍ଦ ହେବା, ଦ୍ବୈତ ସ୍ବାର୍ଥ ଦଉଡ଼ିରେ ଅନେକ ଭାରତୀୟ କିଂବଦନ୍ତି କ୍ରିକେଟର ଛନ୍ଦି ହେବା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବନ୍ଧୁକଚାଳନା ବାଦ ପଡ଼ିବା ପର୍ଯ୍ୟନ୍ତ ବହୁ ବିବାଦୀୟ ଏବଂ ଚର୍ଚ୍ଚିତ କ୍ରୀଡ଼ା ଦୃଶ୍ୟପଟ୍ଟକୁ ରହି ରହି ଦୋହଲାଇଥିଲା। ଲିଙ୍ଗଭେଦ ଅଭିଯୋଗ ଆଣି ଆମେରିକୀୟ ମହିଳା ଫୁଟ୍‌ବଲ୍‌ର ସେହି ଦେଶର ଫୁଟବଲ୍ ସଂଘ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଏ ବର୍ଷର ଅନ୍ୟତମ ବିବାଦୀୟ କ୍ରୀଡ଼ା ଅଧ୍ୟାୟ ଥିଲା।

ହକିରେ ଯୁଗଳ ହସ
ହକି ପାଇଁ ୨୦୧୯ ମଧ୍ୟ ସଫଳତାର ଆଉ ଏକ ବର୍ଷ ଥିଲା। ଭାରତୀୟ ମହିଳା ଏବଂ ପୁରୁଷ ହକି ଦଳ ୧୯୮୦ ଓ ୨୦୧୬ ପରେ ତୃତୀୟ ଥର ପାଇଁ ଏକାଠି ଅଲିମ୍ପିକ୍ସ ଯୋଗ୍ୟତାଅର୍ଜନ କରିଥିଲେ। କ୍ରୀଡ଼ା କ୍ୟାପିଟାଲ ଭୁବନେଶ୍ବରରେ ଉଭୟ ଦଳ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିବା ଆଉ ଏକ ସ୍ମରଣୀୟ ସଫଳତା ଥିଲା। ବିଦେଶରେ ଏକାଧିକ ଶୃଙ୍ଖଳା ବିଜୟ ସହ ମହିଳା ହକି ଦଳ ଲଗାତାର ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବା ଭାରତୀୟ ହକିକୁ ନୂଆ ସ୍ତରକୁ ନେଇଥିଲା।

ସମ୍ବନ୍ଧିତ ଖବର