ଜର୍ଜିଆରେ ବଜରଙ୍ଗଙ୍କୁ ପୁଣି ସ୍ବର୍ଣ୍ଣ

ନୂଆଦିଲ୍ଲୀ: ଭାରତର ପ୍ରମୁଖ କୁସ୍ତିଯୋଦ୍ଧାମାନେ ଆକର୍ଷଣୀୟ ପ୍ରଦର୍ଶନ ଜାରି ରଖିଛନ୍ତି। ଯାହାର ଫଳସ୍ବରୂପ ବଜରଙ୍ଗ ପୂନିଆ ଜର୍ଜିଆରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ବେଳେ ବେଲାରୁଷରେ ଭିନେଶ ଭୋଗଟ ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଜର୍ଜିଆ ରାଜଧାନୀ ତିବିଲିସ୍‌ଠାରେ ଆୟୋଜିତ ତିବିଲିସ୍‌ ଗ୍ରାଁ ପ୍ରିରେ ବଜରଙ୍ଗ ପୁରୁଷ ଫ୍ରିଷ୍ଟାଇଲ୍‌ ୬୫ କେଜି ବର୍ଗ ଫାଇନାଲ୍‌ରେ ଇରାନ୍‌ ପ୍ରତିଦ୍ବନ୍ଦ୍ବୀ ପିମାନ୍‌ ବିବ୍ୟାନିଙ୍କୁ ୨-୦ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଫଳରେ ଗତବର୍ଷ ମଧ୍ୟ ସମାନ ବର୍ଗରେ ଏଠାରେ ସ୍ବର୍ଣ୍ଣ ଜିତିଥିବା ବଜରଙ୍ଗ ଏହି ପଦକ ବଜାୟ ରଖିଲେ। ଏସୀୟ ବିଜେତା ବଜରଙ୍ଗଙ୍କ ପାଇଁ ଚଳିତ ଋତୁରେ ଏହା ଚତୁର୍ଥ ସ୍ବର୍ଣ୍ଣ। ଏହା ପୂର୍ବରୁ ଚଳିତ ଋତୁରେ ସେ ଡାନ୍‌ କୋଲୋଭ୍‌, ଏସୀୟ ପ୍ରତିଯୋଗିତା ଏବଂ ଅଲ୍ଲୀ ଅଲିଭ୍‌ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ।

ଅନ୍ୟପକ୍ଷରେ ବେଲାରୁଷର ମିନ୍‌ସ୍କରେ ଚାଲିଥିବା ମେଡ୍‌ଭେଡ୍‌ ପ୍ରତିଯୋଗିତାରେ ଭିନେଶ ୫୩ କେଜି ବର୍ଗ ସେମିଫାଇନାଲ୍‌ରେ ସ୍ଥାନୀୟ କୁସ୍ତିଯୋଦ୍ଧା ୟାଫ୍ରେମେଙ୍କାଙ୍କୁ ୧୧-୦ରେ ପରାସ୍ତ କରି ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛନ୍ତି। ଏଥି ସହିତ ଭିନେଶ ମଧ୍ୟ ଚତୁର୍ଥ କ୍ରମାଗତ ସ୍ବର୍ଣ୍ଣ ପଦକ ହାସଲ ସମ୍ଭାବନା ସୃଷ୍ଟି କରିଛନ୍ତି। ଫାଇନାଲ୍‌ରେ ଭିନେଶଙ୍କ ଲଢ଼େଇ ରୁଷିଆର ଏନ୍‌ ମାଲିସେଭାଙ୍କ ସହ ହେବ।

ସମ୍ବନ୍ଧିତ ଖବର