ବଜରଙ୍ଗ ‘ଖେଳରତ୍ନ’

ନୂଆଦିଲ୍ଲୀ: ଏସୀୟ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୂନିଆଙ୍କୁ ମିଳିବ ଚଳିତ ବର୍ଷର ଖେଳରତ୍ନ ପୁରସ୍କାର। ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଶୁକ୍ରବାର ତାଙ୍କ ନାମରେ ପ୍ରାୟତଃ ମୋହର ଲାଗିଛି। ଜଷ୍ଟିସ୍‌ (ଅବସରପ୍ରାପ୍ତ) ମୁକୁନ୍ଦକମ୍‌ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ୧୨ ଜଣିଆ ମନୋନୟନ ସମିତି ଶୁକ୍ରବାର ଏହି ପୁରସ୍କାର ପାଇଁ ତାଙ୍କ ନାମ ଚୂଡାନ୍ତ କରିଥିବା ଜଣାପଡ଼ିଛି। ବାଇଚୁଙ୍ଗ୍‌ ଭୂତିଆ ଓ ଏମ୍‌ସି ‌ମେରି କମ୍‌ଙ୍କ ଭଳି ତାରକା ମଧ୍ୟ ଏହି ସମିତିରେ ରହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ତାଙ୍କୁ ଏହି ସମ୍ମାନ ପ୍ରଦାନରେ ପାତରଅନ୍ତର କରିଥିବା ଅଭିଯୋଗ କରି ବଜରଙ୍ଗ ପୂନିଆ ଗତବର୍ଷ ଅଦାଲତ ଯିବାକୁ ଧମକ ଦେଇଥିଲେ। ହେଲେ ଏଥର ତାଙ୍କ ନାମ ଖେଳରତ୍ନ ପାଇଁ ସର୍ବସମ୍ମତକ୍ରମେ ଗୃହୀତ ହୋଇଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଫଳରେ ସେ ତାଙ୍କ ହକ୍‌ ପାଇବେ ବୋଲି ବଜରଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ବାବଦରେ ବଜରଙ୍ଗଙ୍କୁ ସାଢ଼େ ୭ ଲକ୍ଷ ଟଙ୍କା ସାଙ୍ଗକୁ ସାର୍ଟିଫିକେଟ ଓ ପ୍ରତିକୃତି ମିଳିବ। ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ତଥା ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରୀଡ଼ା ଦିବସ ଅବସରରେ ବଜରଙ୍ଗଙ୍କୁ ଏହି ସମ୍ମାନ ମିଳିବ। ସୁଶୀଲ କୁମାର, ଯୋଗେଶ୍ବର ଦତ୍ତ ଏବଂ ସାକ୍ଷୀ ମଲ୍ଲିକଙ୍କ ପରେ ଖେଳରତ୍ନ ପାଇବାରେ ବଜରଙ୍ଗ ଚତୁର୍ଥ କୁସ୍ତିଯୋଦ୍ଧା ହେବେ। ଅବଶ୍ୟ ଖେଳରତ୍ନ ପାଇଁ ସମିତି ଅନ୍ୟ ଜଣେ ଆଥ୍‌ଲେଟ୍‌ଙ୍କୁ ନାମ ଯୋଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। ମନୋନୟନ ସମିତି ତାଙ୍କୁ ସ୍ବୀକୃତି ଦେଇଥିବାରୁ ବଜରଙ୍ଗ ସ୍ବାଗତ କରିଛନ୍ତି। ଅନ୍ୟପକ୍ଷରେ ଶନିବାର ଚୟନ ସମିତି ଅର୍ଜୁନ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ନାମ ଚୂଡାନ୍ତ କରିବ।

ବଜରଙ୍ଗ ଗତବର୍ଷ ଜାକର୍ତା ଏସୀୟ କ୍ରୀଡ଼ାରେ ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ମଧ ଗୋଲ୍‌ଡ କୋଷ୍ଠ ରାଜ୍ୟଗୋଷ୍ଠୀ କ୍ରୀଡାରେ ସମାନ ବର୍ଗରେ ସ୍ବର୍ଣ୍ଣ ଜିତିଥିଲେ। ଏହା ବ୍ୟତୀତ ବିଶ୍ବ ପ୍ରତିଯୋଗିତାରେ ଦୁଇ ଥର ପଦକ ଜିତିଥିବା ବଜରଙ୍ଗ ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରମୁଖ ପଦକ ଆଶାୟୀ ଅଛନ୍ତି। ୨୦୧୩ ବିଶ୍ବ ପ୍ରତିଯୋଗିତାରେ ୬୦ କେଜି ବର୍ଗରେ କାଂସ୍ୟ ଜିତିଥିଲା ବେଳେ ବଜରଙ୍ଗ ଗତବଷଁ ୬୫ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ। ଏବେ କାଜାଖସ୍ତାନର ନୁର୍‌ ସୁଲ୍‌ତାନଠାରେ ସେପ୍ଟେମ୍ବର ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଶ୍ବ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ନେଇ ମୁଁ ପ୍ରସ୍ତୁତି ଚଳାଇଛି। ତେବେ ଏହା ପୂର୍ବରୁ ଏଭଳି ଖବର ଖୁସୀ ଆଣିଛି ବୋଲି ବଜରଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର