ସଂଗୀତାଙ୍କୁ ବାହା ହେବେ ବଜରଙ୍ଗ

ନୂଆଦିଲ୍ଲୀ: ଗୀତା ଫୋଗଟ-ପୱନ୍‌ କୁମାର, ସାକ୍ଷୀ ମଲ୍ଲିକ-ସତ୍ୟବ୍ରତ କାଦିଆନ୍‌ ଏବଂ ଭିନେଶ ଫୋଗଟ-ସୋମବୀର ରାଠୀ କୁସ୍ତିବିତ୍‌ରୁ ପରେ ଜୀବନ ସାଥୀ ବନିଯାଇଛନ୍ତି। ଏବେ ଏହି କ୍ଲବ୍‌ ଖୁବ୍‌ ଶୀଘ୍ର ଆଉ ଏକ କୁସ୍ତିବିତ୍‌ ଦମ୍ପତ୍ତିକୁ ସ୍ବାଗତ କରିବାକୁ ଯାଉଛି। ଭାରତର ଶ୍ରେଷ୍ଠ ମାନ୍ୟତା (୬୫ କେଜି ବର୍ଗ) କୁସ୍ତିବିତ୍‌ ବଜରଙ୍ଗ ପୂନିଆ ଏବଂ ଫୋଗଟ୍‌ ଭଉଣୀଙ୍କ ସବୁଠୁ ସାନ ସଂଗୀତା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବାରୁ ଏହି କ୍ଲବ୍‌ର ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି। ବଜରଙ୍ଗ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରମୁଖ ପଦକ ଆଶାୟୀ ରହିଥିଲା ବେଳେ ସଂଗୀତା ୫୯ କେଜି ବର୍ଗରେ ପୂର୍ବତନ ଜାତୀୟ ପଦକ ବିଜୟିନୀ। ଦୁହେଁ ସେମାନଙ୍କ ସଂପର୍କ ଏବଂ ବିବାହ କରିବାର ଇଛାକୁ ନିଜ ନିଜ ପରିବାରବର୍ଗଙ୍କୁ ଜଣାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଏବେ ନିଜ ନିଜର ପେସାକୁ ନେଇ ବ୍ୟସ୍ତ ଅଛନ୍ତି। ବଜରଙ୍ଗ ଅଲିମ୍ପିକ୍‌ ଉପରେ ପୂରା ଧ୍ୟାନ ଦେଇ ପ୍ରଶିକ୍ଷକ ସାକୋ ବେଣ୍ଟିନିଡିସ୍‌ଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ଚଳାଇଛନ୍ତି। ଅନ୍ୟପକ୍ଷରେ ସଂଗୀତା ଆହତରୁ ମୁକୁଳିବା ପରେ ପୂର୍ଣ୍ଣ ଫିଟ୍‌ନେସ୍‌ ଫେରିପାଇବା ପାଇଁ ଜାତୀୟ ଶିବିରରେ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏକ ସୂତ୍ରରୁ ଯାହା ଜଣାପଡ଼ିଛି ଟୋକିଓ ଅଲିମ୍ପିକ୍‌ ପରେ ବିବାହ କାର୍ଯ୍ୟ ସଂପନ୍ନ ହୋଇପାରେ। ଉଭୟ ପରସ୍ପରକୁ ତିନି ବର୍ଷ ହେଲା ନିକଟରୁ ଭଲ ଭାବେ ପରଖିଛନ୍ତି ଏବଂ ଟୋକିଓ ଅଲିମ୍ପିକ୍‌ ପରେ ବିବାହ କରିବେ ବୋଲି ସଂଗୀତାଙ୍କ ଟ୍ରେନର୍‌ ତଥା ବାପା ମହାବୀର ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର