ବାଧାଦୌଡ଼ର ବାଜିଗର ବାପି

ପ୍ରଫୁଲ୍ଲ କିଶୋର ସାହୁ

ଭୁବ‌ନେଶ୍ବର: ଓଡ଼ିଶା କ୍ରୀଡ଼ା ଜଗତରେ ଏକ ନୂଆ ପ୍ରତିଭା ଭାବେ ଉଭା ହୋଇଛନ୍ତି ବାପି ହାଂସଦା। ନିକଟରେ ଶେଷ ହୋଇଥିବା ୧୮ତମ ଜାତୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତାରେ ନିଜର ଚମତ୍କାରିତା ଦେଖାଇଥିଲେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ଝିଙ୍କିରିଆ ଗାଁର ଏହି ଯୁବକ। ଏକ ଗରିବ ପରିବାରରେ ଜନ୍ମିତ ବାପି ସବୁ ବାଧାବିଘ୍ନକୁ ପଛରେ ପକାଇ ଏହି ପ୍ରତିଯୋଗିତାର ୪୦୦ ମିଟର ବାଧାଦୌଡ଼ରେ ୫୧.୯୦‌ ସେକେଣ୍ଡ ସମୟ ସହ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ଏହି ସ୍ବର୍ଣ୍ଣ ସହ ‌ସେ ୧୮ ବର୍ଷରୁ କମ୍ ବୟସ ବର୍ଗରେ ବିଶ୍ବର ୧ ନମ୍ବର ହୋଇ ରାଜ୍ୟ ପାଇଁ ନୂଆ ଗୌରବ ଆଣିଛନ୍ତି। ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଖାଲି ଏତିକି ନୁହେଁ ‌ରୌପ୍ୟ ପଦକ ବିଜେତା ମିଡ୍‌ଲେ ରିଲେ ଦଳର ସଦସ୍ୟ ରହିଥିଲେ ସେ। ତାଙ୍କର ଏହି ସଫଳତା ଲାଗି ତାଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରି ଉତ୍ସାହିତ କରିଛନ୍ତି।

ଫୁଟ୍‌ବଲର୍‌ରୁ ଆଥ୍‌ଲେଟ୍‌
ଗାଁରେ ପଢ଼ୁଥିଲା ବେଳେ ଦୌଡ଼କୁଦ ଖେଳ କ’ଣ ଜାଣି ନଥିଲେ ବାପି। ଫୁଟ୍‌ବଲ୍‌ ପ୍ରତି ଭାରି ଆଗ୍ରହ ଥିଲା। ଗାଁ ପିଲାଙ୍କ ସହ ଫୁଟ୍‌ବଲ୍‌ ଖେଳୁଥିଲେ। ୨୦୧୮ରେ ଯାଜପୁର ଆସିଲା ପରେ ଦୌଡ଼କୁଦ ଖେଳ ବିଷୟରେ ଅବଗତ ହୋଇଥିଲେ। ବଡ଼ ଭାଇ ବାପୁନ ଖେଳୁଥିବାରୁ ତାଙ୍କର ଖେଳିବାକୁ ଆଗ୍ରହ ଆସିଥିଲା। ବାପୁନ କଟକ ସାଇ ଛାତ୍ରାବାସରେ ସ୍ଥାନ ପାଇବାରୁ ବାପି ଜଣେ ଭଲ ଆଥ୍‌ଲେଟ୍‌ ହେବାର ଆଗ୍ରହ ଦୁଇ ଗୁଣ ବଢ଼ିଗଲା। କିନ୍ତୁ ବାପୁନ ୨ ବର୍ଷ ‘ସାଇ’ରେ ରହିବା ପରେ ପିଠି ଜନିତ ଆଘାତ ସମସ୍ୟା ପାଇଁ ଛାତ୍ରାବାସ ଛାଡ଼ିଥିଲେ। କିନ୍ତୁ ବାପୁନଙ୍କ ପରେ ୨୦୧୯ରେ ସାଇରେ ସାମିଲ ହୋଇଥିଲେ ବାପି। ଆରମ୍ଭରୁ ୧୪ ବର୍ଷରୁ କମ୍‌ ବର୍ଗରେ ଥିବାରୁ ସେ ୬୦୦ ମିଟର ଦୌଡ଼ରେ ଅଭ୍ୟାସ କରିଥିଲେ। ତାଙ୍କର ସୁନ୍ଦର ଖେଳ ଯୋଗୁଁ ୨୦୨୦ ଅଗଷ୍ଟରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍‌ ‌ଆଥ୍‌‌ଲେଟିକ୍‌ ଏଚ୍‌ପିସିରେ ଯୋଗ ଦେଇଥିଲେ। ଆରମ୍ଭରୁ ଏଚ୍‌ପିସିରେ ୮୦୦ ମିଟର ଦୌଡ଼ରେ ତାଙ୍କୁ ପରଖା ଯାଇଥିଲା। ଗତ ବର୍ଷ ରାଜ୍ୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ସେ ୮୦୦ ମିଟର ଦୌଡ଼ରେ ଭାଗ ନେଇ ରୌପ୍ୟ ଜିତି ଜାତୀୟ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ସେହି ବର୍ଷ କନିଷ୍ଠ ଓ ଯୁବ ଜାତୀୟ ପ୍ରତିଯୋଗିତାରେ ୮୦୦ ମିଟର ହିଟ୍‌ରେ ହିଁ ତାଙ୍କ ଅଭିଯାନ ଶେଷ ହୋଇଥିଲା। ଏଥିରେ ସଫଳ ନହେବାରୁ ତାଙ୍କର ଫିଟ୍‌ନେସ୍‌ ଓ ଷ୍ଟ୍ରେନ୍ଥ ଦେଖି ପ୍ରଶିକ୍ଷକ ଅଜିତ ମାର୍କସ ବାଧାଦୌଡ଼ରେ ମନୋନିବେଶ କରିବାକୁ ବାପିଙ୍କୁ ପରାମର୍ଶ ଦେଇଥିଲେ। ଅଜିତଙ୍କ ପ୍ରଶିକ୍ଷଣରେ ବାପି ମାତ୍ର ୩ ମାସ ମଧ୍ୟରେ ବାଧାଦୌଡ଼ରେ ନିଜକୁ ପ୍ରମାଣିତ କରିଥିଲେ। ସେ ଅଭ୍ୟାସ ବେଳେ ୫୩.୨୬ ସେକେଣ୍ଡ ସମୟ ପାଇଥିଲେ। ଏହାପରେ ତାଙ୍କୁ ଜାତୀୟ ଯୁବ ଦୌଡ଼କୁଦରେ ଖେଳିବାକୁ ସୁଯୋଗ ମିଳିଥିଲା। ଏଠାରେ ସେ ସ୍ବର୍ଣ୍ଣ ଜିତି ବାଧାଦୌଡ଼ରୁ ବାଜିଗର ହୋଇଗଲେ।

ଲକ୍ଷ୍ୟ ଅଲିମ୍ପିକ୍‌
ଆସନ୍ତା ମାସରେ ଉଜବେକିସ୍ତାନରେ ଏସୀୟ ଯୁବ‌ ଦୌଡ଼କୁଦ ପ୍ରତିଯୋଗିତା ରହିଛି। ଏଥିପାଇଁ ମୁଁ ଯୋଗ୍ୟତା ଅର୍ଜନ କରିସାରିଛି। ଏହାକୁ ନଜରରେ ରଖି ମୋର କଠିନ ପରିଶ୍ରମ ଜାରି ରହିଛି। ସଂପ୍ରତି ସାମାନ୍ୟ ଆଘାତ ସମସ୍ୟା ରହିଛି। ପ୍ରଶିକ୍ଷକ, ଫିଜିଓ ଓ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଚାଲିଛି। ଶୀଘ୍ର ସୁସ୍ଥ ହୋଇଯିବି। ତଥାପି ସକାଳେ ଓ ସନ୍ଧ୍ୟ‌ା‌ରେ ଅଢ଼େଇ ଅଢ଼େଇ ଘଣ୍ଟା ପରିଶ୍ରମ କରୁଛି। ଏସୀୟ ପ୍ରତିଯୋଗିତାରେ ଆହୁରି ଭଲ କରି ଟାଇମିଂକୁ ୫୦ ସେକେଣ୍ଡ ତଳକୁ ଆଣିବାକୁ ଚେଷ୍ଟା କରିବି। ଏସୀୟ ପରେ ଯୁବ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲକ୍ଷ୍ୟ ରହିଛି। ଏହି ସବୁ ପ୍ରତିଯୋଗିତାରେ ଭଲ କରିବା ସହ ମୋ ମୁଖ୍ୟ ଲକ୍ଷ୍ୟ ହେଉଛି ଅଲିମ୍ପିକ୍‌ ଖେଳିବା। ଅଲିମ୍ପିକ୍‌ ପାଇଁ ବହୁ ପରିଶ୍ରମ ଦରକାର। ତାହା ମୁଁ କରିବାକୁ ବଦ୍ଧ ପରିକର ଅଛି। ଓଡ଼ିଶା ସରକାର ଏବଂ ରିଲାଏନ୍ସ ଏଚ୍‌ପିସି ଏଥିପାଇଁ ମୋତେ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି। ଏଚ୍‌ପିସି ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ଓଏନ୍ସଙ୍କ ମାର୍ଗଦର୍ଶନରେ ମୁଁ ଅଲିମ୍ପିକ୍‌ ଖେଳିବାର ଆଶା ରଖିଛି ବୋଲି ବାପି କହିଛନ୍ତି।

କଠିନ ପରିଶ୍ରମ ଦେବ ସଫଳତା
ବଡ଼ ଘରର ପିଲା କିମ୍ବା ପ୍ରଚୁର ଅର୍ଥ ଜଣେ ଖେଳାଳିକୁ ଭଲ ଆଥ୍‌ଲେଟ୍‌ କରିପାରିବନି। ଗରିବ କି ଧନୀ ‌ହେଉ କଠିନ ପରିଶ୍ରମ ହିଁ ତା’ଙ୍କୁ ଭଲ ଖେଳାଳି ଭାବେ ଗଢ଼ି ତୋଳିବ। ଜଣେ ଖେଳାଳି ହେବାକୁ ହେଲେ ସଠିକ ଖାଦ୍ୟ ସାରଣୀ ସହ ଜୋର୍‌ଦାର ଅଭ୍ୟାସ ଆବଶ୍ୟକ। ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଏହା ସହ ଭଲ କିଟ୍‌ର ଆବଶ୍ୟକ ରହୁଛି। ସଂପ୍ରତି ଆମ ସରକାରଙ୍କ ଯେଉଁ ଯୋଜନା ରହିଛି ଜଣେ ପ୍ରତିଭାବାନ ଗରିବ ପିଲା ମଧ୍ୟ ଭଲ ଖେଳାଳି ହେବାରେ ଅସୁବିଧାରେ ପଡ଼ିବନି। ସରକାରଙ୍କ ତରଫରୁ ମିଳୁଥିବା ପ୍ରୋତ୍ସାହନ ରାଶି ଅନ୍ୟମାନଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରୁଛି। ମୋ ଦେଖିବାରେ ଏବେ ଗା’ ଗହଳିରେ ବି ଖେଳ ପ୍ରତି ପିଲାଙ୍କ ଆଗ୍ରହ ବହୁତ ବଢ଼ିଛି। ଆମର ଘ‌ର ନଥିବାରୁ ମୋତେ ସଂପ୍ରତି ମିଳିଥିବା ପୁରସ୍କାର ରାଶିରେ ପ୍ରଥମେ ଗାଁରେ ଘର କରିବି ବୋଲି ବାପି କହିଛନ୍ତି।

୨ ବର୍ଷରୁ ବାପାଙ୍କ ସ୍ନେହରୁ ବଞ୍ଚିତ
ମୋତେ ମାତ୍ର ଦୁଇ ବର୍ଷ ହୋଇଥିବା ବେଳେ ମାନସିକ ରୋଗୀ ଥିବା ବାପା ରବି ୨୦୦୮ ମସିହାରେ କୁଆଡ଼େ ପଳେଇଲେ। ଆଉ ଫେରିଲେନି। ଏବେ ସୁଧା ଫେରିନାହାନ୍ତି। ଆମେ ୫ ଭାଇ କେହି ରୋଜଗାର କ୍ଷମ ନଥିଲୁ। ସମସ୍ତଙ୍କ ଦାୟିତ୍ବ ମା’ ସୁକାନ୍ତିଙ୍କ ଉପରେ ପଡ଼ିଥିଲା। ବିଲବାଡ଼ି ବି ଖଣ୍ଡିଏ ନଥିବାରୁ ମା’ ଶ୍ରମିକ ଭାବେ ରାଜମିସ୍ତ୍ରୀଙ୍କ ପାଖରେ କାମକରି ଆମଙ୍କୁ ବଡ଼ କରନ୍ତି। ମା’ର ମଜୁରୀରେ ଘର ଠିକ୍‌ରେ ନଚଳିବାରୁ ବଡ଼ ଭାଇ ୧୫ ବର୍ଷ ବୟସରେ ଗାଁ ଛାଡ଼ି ଯାଜପୁର ଚାଲିଗଲେ। ସେଠାରେ ରେଳବାଇରେ ଝାଡ଼ୁଦାର ଭାବେ କାମ କଲେ। ଘରେ ଅସୁବିଧା ଥିବାରୁ ସାନ ଦୁଇ ଭାଇକୁ ବଡ଼ ଭାଇ ତା’ପାଖକୁ ନେଇଗଲା। ସେଠାରେ ଆମେ ଭାଇ ପାଖରେ ରହି ପଢ଼ିଲୁ। ମୋ ଉପର ଭାଇ ବାପୁନ ଭଲ ଖେଳୁଥିବାରୁ ମୁଁ ତା’ ସାଙ୍ଗରେ ଖେଳିବାକୁ ଗଲି। ସେ କିଛି ଦିନ ପରେ ଖେଳରେ ନିଜର ଦକ୍ଷତା ଦେଖାଇ ସାଇ ଛାତ୍ରାବାସରେ ସ୍ଥାନ ପାଇଗଲା। ବାପୁନ ଭାଇ ‘ସାଇ’ରେ ପାଇଯିବାରୁ ମୁଁ ତାକୁ ଦେଖି ଭଲ ଖେଳାଳି ହେବାକୁ ଚାହିଁଲି।

ସମ୍ବନ୍ଧିତ ଖବର