ସ୍ବର୍ଣ୍ଣ ସହ ଶୀର୍ଷରେ ବଜରଙ୍ଗ

ନୂଆଦିଲ୍ଲୀ: ରୋମରେ ଚାଲିଥିବା ମାଟେଓ ପେଲିକୋନ୍‌ ରୢାଙ୍କିଙ୍ଗ ସିରିଜ୍‌ରେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ (୬୫ କେଜି) ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଥି ସହ ସେ ତାଙ୍କ ଓଜନ ବର୍ଗରେ ବିଶ୍ବର ୧ ନମ୍ବର ସ୍ଥାନକୁ ପୁଣି ଥରେ କବ୍‌ଜା କରିଛନ୍ତି। କରୋନା ଯୋଗୁଁ ୧ ବର୍ଷର ବିରତି ପରେ ଫେରିଥିବା ବଜରଙ୍ଗ ଫାଇନାଲ୍‌ରେ ମଙ୍ଗୋଲିଆର ତୁଲ୍‌ଗା ତୁମୁର ଓଚିରଙ୍କୁ ପରାସ୍ତ କରିଥି‌ଲେ। ଶେଷ ରାଉଣ୍ଡ ପର୍ଯ୍ୟନ୍ତ ୦-୨ରେ ପଛୁଆ ଥିବା ବଜରଙ୍ଗ ଶେଷ ୩୦ ସେକେଣ୍ଡ୍‌ରେ ୨ ପଏଣ୍ଟ୍‌ କରାୟତ୍ତ କରି ମ୍ୟାଚ୍‌ ସମାନସ୍ତରକୁ ଆଣିଥିଲେ। ଶେଷ ପଏଣ୍ଟ୍‌ ବଜରଙ୍ଗ ପାଇଥିବାରୁ ବିଜେତା ଘୋଷିତ ହୋଇଥିଲେ।

ଏହି ପ୍ରତିଯୋଗିତା ପୂର୍ବରୁ ୨୭ ବର୍ଷୀୟ ବଜରଙ୍ଗ ବିଶ୍ବର ଦ୍ବିତୀୟ ସ୍ଥାନରେ ଥିଲାବେଳେ ଏଠାରୁ ୧୪ ପଏଣ୍ଟ୍‌ ପାଇ ଶୀର୍ଷରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଅନ୍ୟତମ ଭାରତୀୟ କୁସ୍ତି ଯୋଦ୍ଧା ବିଶାଲ କାଲିରମନା ୭୦ କେଜି ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। କାଂସ୍ୟ ମୁକାବିଲାରେ ସେ ୫-୧ରେ କାଜକସ୍ତାନର ସିର୍ବାଜ ତାଲଗାଟଙ୍କୁ ହରାଇଥିଲେ। ତେବେ‌ ୪ ବର୍ଷର ଡୋପିଂ ବାସନ୍ଦ ପରେ ଫେରିଥିବା ନରସିଂହ ପଞ୍ଚମ ଯାଦବ ୦-୫ରେ କାଜକସ୍ତାନର ଡାନିୟାର କାଇସାନୋଭଙ୍କଠୁ ହାରି କାଂସ୍ୟ ପଦକରୁ ବଞ୍ଚିତ ହୋଇଥିଲେ। ଗ୍ରିକୋ ରେମାନ କୁସ୍ତିରେ ନୀରଜ (୬୩ କେଜି), କୁଲଦୀପ ମଲିକ (୭୨ କେଜି) ଓ ନବୀନ (୧୩୦ କେଜି) ଭାରତ ପାଇଁ ୩ କାଂସ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର