ନୂଆଦିଲ୍ଲୀ: ନାର୍କୋ‌ ଟେଷ୍ଟ୍‌ ଦାବିକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭାରତୀୟ କୁସ୍ତି ମହାସଂଘ (ଡବ୍ଳୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହ। ନିଜ ‌ପରୀକ୍ଷା ସହିତ ଅଭିଯୋଗକାରୀଙ୍କ ନାର୍କୋ‌ ଟେଷ୍ଟ୍‌ କରାଯିବାକୁ ବ୍ରିଜଭୂଷଣ ଦେଇଥିବା ଆହ୍ବାନକୁ ବଜରଙ୍ଗ ସ୍ବୀକାର କରିଛନ୍ତି। ନାର୍କୋ ‌ଟେଷ୍ଟ୍‌ ପାଇଁ ସମସ୍ତେ ପ୍ରସ୍ତୁତ ଥିବା ବଜରଙ୍ଗ କହିଛନ୍ତି। ରବିବାର ଏକ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ବ୍ରିଜଭୂଷଣ ନିଜ ନିରୀହତା ପ୍ରମାଣିତ କରିବା ପାଇଁ ନାର୍କୋ ଟେଷ୍ଟ୍‌ କିମ୍ବା ପଲିଗ୍ରାଫ୍‌ ଟେଷ୍ଟ୍‌ କିମ୍ବା ଲାଏ ଡିଟେକ୍ଟର ଟେଷ୍ଟ୍‌ ପାଇଁ ପ୍ରସ୍ତୁତ ଥିବା ଉଲ୍ଲେଖ କରିଥିଲେ। କିନ୍ତୁ ଏଥିପାଇଁ ସେ ଏକ ସର୍ତ୍ତ ରଖିଥିଲେ। ଭିନେଶ ଫୋଗତ ଓ ବଜରଙ୍ଗ ପୁନିଆ ମଧ୍ୟ ତାଙ୍କ ସହିତ ଏହି ପରୀକ୍ଷା ଦିଅନ୍ତୁ ବୋଲି ବ୍ରିଜଭୂଷଣ ଦାବି କରିଥିଲେ। ଯଦି ଉଭୟ କୁସ୍ତିଯୋଦ୍ଧା ଏଥିରେ ରାଜି ହୁଅନ୍ତି, ତାହେଲେ ସାମ୍ବାଦିକ ସମ୍ମିଳନୀ ଡାକି ଏହା ଉପରେ ଘୋଷଣା କରନ୍ତୁ। ଏହାପରେ ଯାଇ ସେ ସବୁପ୍ରକାରର ଟେଷ୍ଟ୍‌ ଦେବା ପାଇଁ ପ୍ରସ୍ତୁତ ରହିବେ ବୋଲି ବ୍ରିଜଭୂଷଣ ଆହ୍ବାନ ଦେଇଥିଲେ।

Advertisment

ବ୍ରିଜଭୂଷଣଙ୍କ ଏହି ପୋଷ୍ଟ୍‌ର ଜବାବ ରଖିବାକୁ ଯାଇ ବଜରଙ୍ଗ ମଧ୍ୟ ଏଥିପ୍ରତି ସମ୍ମତି ଜଣାଇଛନ୍ତି। ସୁପ୍ରିମ ‌କୋର୍ଟଙ୍କ ନିରୀକ୍ଷଣରେ ଏବଂ ଜାତୀୟ ଟିଭି ଚ୍ୟାନେଲ୍‌ରେ ନାର୍କୋ ଟେଷ୍ଟର ସିଧାପ୍ରସାରଣ ପାଇଁ ବ୍ରିଜଭୂଷଣ ଆଗକୁ ଆସନ୍ତୁ ବୋଲି ବଜରଙ୍ଗ ପାଲଟା ଆହ୍ବାନ ଦେଇଛନ୍ତି। ଟେଷ୍ଟ୍‌ରେ କ’ଣ ପ୍ରଶ୍ନ କରାଯାଉଛି ତାହା ସମସ୍ତେ ଜାଣିବା ଦରକାର। ଏଥିପାଇଁ କେବଳ ଭିନେଶ ଓ ମୁଁ କାହିଁକି, ସମସ୍ତ ଅଭିଯୋଗକାରୀ ଝିଅମାନଙ୍କର ମଧ୍ୟ ଟେଷ୍ଟ୍‌ କରାଯାଉ। ଗତ କିଛି ବର୍ଷ ଧରି ‌କୁସ୍ତିଯୋଦ୍ଧାମାନଙ୍କ ସହ କ’ଣ ସବୁ ଅନ୍ୟାୟ କରାଯାଇଛି, ତାହା ସମଗ୍ର ଦେଶ ଜାଣିବା ଦରକାର ବୋଲି ବଜରଙ୍ଗ କହିଛନ୍ତି। ଏଥିସହ ବ୍ରିଜଭୂଷଣ ଜଣେ ଅଭିଯୁକ୍ତ, ହେଲେ ତାଙ୍କୁ ଗଣମାଧ୍ୟମରେ ଜଣେ ତାରକା ଭଳି ଦର୍ଶାଯାଉଥିବାରୁ ବଜରଙ୍ଗ କ୍ଷୋଭ ପ୍ରକାଶ କରିଛନ୍ତି।