କୁସ୍ତିରେ କାଂସ୍ୟ ଦେଲେ ବଜରଂଗ

ଟୋକିଓ: ଅଲିମ୍ପିକ୍ ମଇଦାନରେ ପୁଣିଥରେ ଚମକ ଦେଖାଇଛନ୍ତି ଭାରତୀୟ ମଲ୍ଲଯୋଦ୍ଧା। ଟୋକିଓ ଅଲିମ୍ପିକ୍‌ ୬୫ କେଜି ବର୍ଗ ଫ୍ରି-ଷ୍ଟାଇଲ୍‌ରେ ଦ୍ବିତୀୟ ସିଡ୍‌ ମାନ୍ୟତା ପାଇଥିବା ଭାରତର ତାରକା ଖେଳାଳି ବଜରଂଗ ପୁନିଆ ଏକ ସହଜ ବିଜୟ ସହ କାଂସ୍ୟ ପଦକ ହାସଲ କରିଛନ୍ତି। ଶନିବାର କାଂସ୍ୟ ପଦକ ମ୍ୟାଚ୍‌ରେ ପୁନିଆ ୮-୦ ବ୍ୟବଧାନରେ କାଜାକ୍‌ସ୍ତାନର ଦଉଲେତ୍‌ ନିୟାବେକୋଭ୍‌ଙ୍କୁ ଏକତରଫା ଭାବେ ପରାସ୍ତ କରିଥିଲେ। ଏଥି ସହ କୁସ୍ତି ମ୍ୟାଟ୍‌ର ପୋଡିୟମ୍‌ ସମ୍ମୁଖରେ ପୁଣିଥରେ ତ୍ରିରଂଗା ଉଡ଼ିଥିଲା। ବଜରଂଗଙ୍କ ବିଜୟରେ ସମଗ୍ର ଦେଶବାସୀ ଖୁସିରେ ଝୁମି ଉଠିଥିଲେ। ନିଜର ପ୍ରଥମ ଅଲମ୍ପିକ୍ ଖେଳୁଥିବା ୨୭ ବର୍ଷୀୟ ହରିଆନା ତାରକା ବଜରଂଗ ଚଳିତ ଅଲିମ୍ପିକ୍‌ରେ ଖେଳିଥିବା ୪ଟି ଯାକ ଲଢ଼େଇ ମଧ୍ୟରୁ ଶୁକ୍ରବାର ସର୍ବାଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଯଦିଓ ଅଧିକ ଆକ୍ରମଣ ଦେଖିବାକୁ ମିଳିନଥିଲା, କିନ୍ତୁ ପ୍ରଥମେ ପାସିଭିଟି ପାଇଁ ଓ ପରେ ପ୍ରତିଦ୍ବନ୍ଦ୍ବୀଙ୍କୁ ନାରଂଗୀ ବୃତ୍ତ ବାହାରକୁ ଠେଲି ୨ ପଏଣ୍ଟ ହାସଲ କରି ନେଇଥିଲେ। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ସେ ୨-୦ରେ ଆଗୁଆ ଥିଲେ। କିନ୍ତୁ ଦ୍ବିତୀୟ ରାଉଣ୍ଡରେ ଆଖଡ଼ାର ଦୃଶ୍ୟ ବଦଳି ଯାଇଥିଲା।

ପଦକର ଭୋ‌କରେ ଆଉଟୁପାଉଟୁ ବଜରଂଗ ଲଗାତାର ଭାବେ ନିୟାବେକୋଭ୍‌ଙ୍କ ଗୋଡ଼କୁ ଆକ୍ରମଣ କରି ଚାଲିଥିଲେ। ପ୍ରଥମେ ୨ ଥର ପ୍ରତିଦ୍ବନ୍ଦ୍ବୀଙ୍କ ଡାହାଣ ଗୋଡ଼କୁ ଆକ୍ରମଣ କରି ତଳେ ପକାଇ ୨ ପଏଣ୍ଟ ଲେଖାଏଁ କରି ମୋଟ ୬ ପଏଣ୍ଟ ହାସଲ କରିଥିଲେ। ଏହାପରେ ସେ ବାମ ଗୋଡ଼କୁ ଆକ୍ରମଣ କରି ନିୟବେକୋଭ୍‌ଙ୍କ ଉପରେ ସବାର ହୋଇ ଆଉ ୨ ପଏଣ୍ଟ ଲାଭ କରିବା ସହ ବିଜୟ ଏକପ୍ରକାର ସୁନିଶ୍ଚିତ କରିଥିଲେ। ବଜରଂଗଙ୍କ କୌଶଳ ଓ ଶକ୍ତି ଆଗରେ ନିଷ୍ପ୍ରଭ ମନେ ହୋଇଥିବା କାଜାଖ୍ ପହିଲ୍‌ମାନ୍ ଏକ ପ୍ରକାର ଆତ୍ମସମର୍ପଣ କରିଥିଲେ। ତାଙ୍କର ଗୋଟିଏ ଦୁଇଟି ପ୍ରୟାସକୁ ନିଜ ଚମତ୍କାର ପ୍ରତିରକ୍ଷା କୌଶଳ ବଳରେ ବଜରଂଗ ଅକାମୀ କରି ଦେଇଥିଲେ। ଏହା ପୂର୍ବରୁ ବଜରଂଗ ପ୍ରଥମ ରାଉଣ୍ଡରେ କିର୍ଗିଜ୍‌ସ୍ତାନର ଏର୍‌ନଜର୍‌ ଅକ୍‌ମାତାଲେଭ୍‌ଙ୍କୁ ପଏଣ୍ଟ ବ୍ୟବଧାନରେ ଓ ଦ୍ବିତୀୟ ରାଉଣ୍ଡରେ ଇରାନ୍‌ର ମରତେଜା ଚେକା ଗିଆସିଙ୍କୁ ଚିତ୍‌ କରି ପରାସ୍ତ କରିଥିଲେ। ସେମିଫାଇନାଲ୍‌ରେ ସେ ଆଜରବୈଜାନ୍‌ର ହାଜି ଅଲିଏଭ୍‌ଙ୍କଠାରୁ ହାରି ଯାଇଥିଲେ।

ହକିରେ ସ୍ବର୍ଣ୍ଣିମ ଇତିହାସ ଥିଲେ ବି ଚଳିତ ଶତାବ୍ଦୀରେ କୁସ୍ତି ଯେ ଭାରତର ଶ୍ରେଷ୍ଠ ଅଲିମ୍ପିକ୍‌ କ୍ରୀଡ଼ା, ତାହା ପୁଣି ଥରେ ପ୍ରମାଣିତ କରିଛନ୍ତି ଭାରତର ଏହି ତାରକା ପହିଲମାନ ବଜରଂଗ ପୁନିଆ। ସେ ଟୋକିଓ ଅଲିମ୍ପିକ୍‌ରେ ଦେଶ ପାଇଁ ଷଷ୍ଠ ପଦକ ଜିତିଛନ୍ତି। ଏଥି ସହ ଅଲିମ୍ପିକ୍‌ ଇତିହାସରେ ଭାରତ ‌କୁସ୍ତିରୁ ସପ୍ତମ ପଦକ ହାସଲ କରିଛି। ସେହିପରି ଗତ ୪ଟିଯାକ ଅଲିମ୍ପିକ୍‌ରେ ଏକମାତ୍ର କ୍ରୀଡ଼ା ଭାବେ କୁସ୍ତି ହିଁ ଦେଶ ପାଇଁ ଲଗାତାର ପଦକ ଆଣିଛି। ଚଳିତ ଅଲିମ୍ପିକ୍‌ରେ ଭାରତବାସୀ ସର୍ବାଧିକ ଆଶା ଓ ଅପେକ୍ଷା କୁସ୍ତିରୁ ହିଁ ରଖିଥିଲେ। ଏଥିରେ ନିଜନିଜ ବର୍ଗ‌ରେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସିଡ୍‌ ଥିବା ଭିନେଶ ଫୋଗଟ୍‌ ଏବଂ ବଜରଂଗ ପୁନିଆଙ୍କଠାରୁ ନିଶ୍ଚିତ ପଦକ ଆଶା ରଖିଥିଲା ଭାରତ। କିନ୍ତୁ ଭିନେସ୍ ହାରି ଯାଇଥିଲେ ବି ଅନ୍ୟତମ ତାରକା ଭାବେ ରବି କୁମାର ଦାହିଆ ନିଜ ବର୍ଗରେ ରୌପ୍ୟ ପଦକ ଜିତି ସମ୍ମାନ ରଖିଥିଲେ। ଦୀପକ ପୁନିଆ ଅଳ୍ପକେ ପଦକ ହାତଛଡ଼ା କରିଥିଲେ। କିନ୍ତୁ ବଜରଂଗ ପୁନିଆ ସେମିଫାଇନାଲ୍ ହାରିଥିଲେ ବି ପ୍ରଶଂସକଙ୍କୁ ନିରାଶ ନକରି କାଂସ୍ୟ ପଦକ ହାସଲ କରି ନେଇଛନ୍ତି।

ସମ୍ବନ୍ଧିତ ଖବର