୬୫ କିଗ୍ରା ଫ୍ରିଷ୍ଟାଇଲ କୁସ୍ତି ସେମି-ଫାଇନାଲରେ ବଜରଙ୍ଗ ପୁନିଆ ପରାସ୍ତ

ଟୋକିଓ : ଭାରତର ତାରକା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପୁରୁଷ ଫ୍ରିଷ୍ଟାଇଲ ୬୫ କିଲୋଗ୍ରାମ କୁସ୍ତି ସେମି-ଫାଇନାଲରେ ଅଜରବୈଜାନର ହାଜି ଆଲିଏଭଙ୍କଠାରୁ ହାରିଯାଇଛନ୍ତି ।

ଏହି ବିଜୟ ସହ ଆଲିଏଭ ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ପୁନିଆ ଏବେ ବ୍ରୋଞ୍ଜ ପଦକ ପାଇଁ ଲଢିବେ । ଏହି ମୁକାବିଲା ଆସନ୍ତା ଶନିବାର ଅନୁଷ୍ଠିତ ହେବ ।

ସେମିଫାଇନାଲ ମୁକାବିଲାର ପ୍ରଥମ ପିରିଅଡରେ ବଜରଙ୍ଗ ୧-୦ରେ ଅଗ୍ରଣୀ ଥିଲେ ମଧ୍ୟ ପରେ ଆଲିଏଭ ଲଢୁଆ ଖେଳ ପ୍ରଦର୍ଶନ କରି ୪-୧ ପଏଣ୍ଟରେ ଆଗେଇଯାଇଥିଲେ । ଦ୍ବିତୀୟ ପିରିଅଡରେ ଆଲିଏଭ ନିଜର ପଏଣ୍ଟ ବ୍ୟବଧାନକୁ ୮-୧କୁ ନେଇଯାଇଥିଲେ । କିନ୍ତୁ ବଜରଙ୍ଗ କିଛି ପଏଣ୍ଟ ହାସଲ କରି ସ୍ଥିତି ୩-୮କୁ ଆଣିଥିଲେ । ଶେଷରେ ଆଲିଏଭ ୧୨-୫ରେ ମୁକାବିଲା ଜିତିନେଇଥିଲେ ।

ଆଲିଏଭ ୨୦୧୬ ରିଓ ଅଲିମ୍ପିକ୍ସର ୫୭ କିଗ୍ରା ଫ୍ରିଷ୍ଟାଇଲ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ଏହା ପୂର୍ବରୁ କ୍ବାର୍ଟର-ଫାଇନାଲରେ ପୁନିଆ ଚମତ୍କାର ଖେଳ ପ୍ରଦର୍ଶନ କରି ଇରାନର କୁସ୍ତିଯୋଦ୍ଧା ମୁର୍ତେଜା ଗିଆସିଙ୍କୁ ପରାସ୍ତ କରିଥିଲେ ।

ସମ୍ବନ୍ଧିତ ଖବର