କୁସ୍ତି କାଂସ୍ୟ ପାଇଁ ଲଢ଼ିବେ ବଜରଙ୍ଗ

ରେଫରିଙ୍କୁ ଆକ୍ରମଣ କରି ବଜରଙ୍ଗଙ୍କ ବିଦେଶୀ ପ୍ରଶିକ୍ଷକ ବହିଷ୍କୃତ

‌ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଭାରତର ସ୍ବର୍ଣ୍ଣ ପଦକ ହାସଲର ସ୍ବପ୍ନ ପୁଣି ‘ଏତେ ପାଖ ଏତେ ଦୂର’ ହୋଇଯାଇଛି। ଆଶା ଦେଖାଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ସେମିଫାଇନାଲରେ ହାରିଯିବାରୁ ନିଶ୍ଚିତ ପଦକରୁ ବଞ୍ଚିତ ହୋଇଛନ୍ତି। ତେବେ କାଂସ୍ୟ ପଦକ ପାଇଁ ବଜରଙ୍ଗ ଲଢ଼ିବାର ସୁଯୋଗ ପାଇବେ। ଶୁକ୍ରବାର ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ୍‌ ସେମିଫାଇନାଲରେ ବଜରଙ୍ଗଙ୍କୁ ୩ ଥର ବିଶ୍ବ ବିଜେତା ହହାଜି ଆଲିଭ୍ ହରାଇ ଦେଇଥିଲେ। ରିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ଏହି ଆଜେରବୈଜାନ କୁସ୍ତିଯୋଦ୍ଧା ପୁନିଆଙ୍କ ଦୀର୍ଘସ୍ଥାୟୀ ଲେଗ୍‌ ଡିଫେନ୍ସ ଦୁର୍ବଳତାରୁ ଫାଇଦା ଉଠାଇଥିଲେ। ପ୍ରଥମ ପିରିୟଡ୍‌ ପରେ ୧-୪ରେ ପଛୁଆ ଥିବା ବଜରଙ୍ଗ ଆଲିଭଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଚତୁରତାର ସହ ପ୍ରତିଆକ୍ରମଣ କରିଥିଲେ। ଶେଷକୁ ପୁନିଆଙ୍କୁ କଚାଡ଼ି ଦେଇ ଆଲିଭ୍‌ ୮-୧ରେ ବଡ଼ ଅଗ୍ରଣୀ ନେଇଯାଇଥିଲେ। ଆଲିଭ୍‌ ସାମାନ୍ୟ ନିୟନ୍ତ୍ରଣ ହରାଇବା ପରେ ପୁନିଆଙ୍କୁ ୨ ପଏଣ୍ଟ ମିଳିଯାଇଥିଲା, କିନ୍ତୁ ବଡ଼ ଅଗ୍ରଣୀକୁ ଟପିବା ଭଳି ପ୍ରଦର୍ଶନ କରିପାରିନଥିଲେ। ବଜରଙ୍ଗଙ୍କୁ କାବୁ କରି ରଖିବାରୁ ଆଲିଭ୍ ମଧ୍ୟ ଏହି ଭାରତୀୟ କୁସ୍ତିଯୋଦ୍ଧାଙ୍କୁ ପ୍ରତ୍ୟାବର୍ତନର ସୁଯୋଗ ଦେଇନଥିଲେ। ଶେଷରେ ଆଲିଭ୍‌ ୧୨-୫ରେ ବାଜି ମାରିନେଇଥିଲେ। ଏହା ପୂର୍ବରୁ କିନ୍ତୁ ଜଣେ ଉନ୍ନତ କୁସ୍ତିଯୋଦ୍ଧାଙ୍କଠାରୁ ହାରିଯିବା ଅନୁଭବ କରି ବଜରଙ୍ଗ ମ୍ୟାଟ୍‌ ଉପରେ ପଡ଼ି ରହିଥିଲେ। ସେ ଯଦି କାଂସ୍ୟ ମୁକାବିଲାରେ ସଫଳ ହେ‌ବେ ଗୋଟିଏ ସଂସ୍କରଣରୁ ଭାରତ ସର୍ବାଧିକ କୁସ୍ତି ପଦକ ଜିତିବାର ସମକକ୍ଷ ହେବ। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ଭାରତ ପାଇଁ ଦୁଇ କୁସ୍ତିଯୋଦ୍ଧା ସୁଶୀଲ କୁମାର (ରୌପ୍ୟ) ଏବଂ ଯୋଗେଶ୍ବର ଦତ୍ତ (କାଂସ୍ୟ) ପଦକ ହାସଲ କରିଥିଲେ। ଚଳିତ ଅଲିମ୍ପିକ୍ସରୁ ରବି ଦାହିୟା ରୌପ୍ୟ (୫୭ କିଲୋଗ୍ରାମ) ଜିତି ସାରିଛନ୍ତି।

ଶୁକ୍ରବାର ସକାଳେ ବଜରଙ୍ଗ କିର୍ଗିଜସ୍ତାନର ଏର୍ଣ୍ଣାଜର ଆକମାତାଲିଭଙ୍କୁ ଏବଂ ଇରାନ୍‌ର ମୋର୍ତେଜା ଚେକା ଘିଆସିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲେ। ଇରାନୀୟ ପ୍ରତିଦ୍ବନ୍ଦ୍ବୀଙ୍କ ବିପକ୍ଷ ବାଉଟ୍‌ ବେଳେ ଅଧିକାଂଶ ସମୟ ପଛରେ ପଡ଼ିଥି‌ଲେ ମଧ୍ୟ ଦ୍ବିତୀୟ ଚରଣ ବେଳକୁ ବିପଜ୍ଜନକ ଘିଆସିଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ।

ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅଲିମ୍ପିକ୍ ପଦାର୍ପଣକାରୀ ସୀମା ବିସଲା ନିଜ ରକ୍ଷଣାତ୍ମକ ଢଙ୍ଗରୁ ବାହାରିନପାରି ଟ୍ୟୁନିସିଆର ସାରା ହାମଦିଙ୍କଠାରୁ ହାରିଯାଇଥିଲେ। ୨୭ ବର୍ଷୀୟା ସୀମାଙ୍କୁ କୌଣସି ସ‌ୁଯୋଗ ଦେଇନଥିଲେ ସାରା। ତେବେ ସାରା ନିଜ ପରବର୍ତୀ ବାଉଟ୍ ହାରିଯାଇଥିବାରୁ ସୀମାଙ୍କ ଅଲିମ୍ପିକ୍ସ ଅଭିଯାନ ମଧ୍ୟ ‌ଶେଷ ହୋଇଯାଇଥିଲା। ୨୦୧୭ ମସିହା ପର୍ଯ୍ୟନ୍ତ ଜାତୀୟ ବିଜୟିନୀ‌‌ ହୋଇପାରିନଥିବା ରୋହତକ ଯୁବତୀ ସୀମା ବିସଲା କିନ୍ତୁ ବିଶ୍ବ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରୁ ଟୋକିଓ ଟିକେଟ୍ ଅର୍ଜନ କରି ନେଇଥିଲେ।

ରେଫରିଙ୍କୁ ଆକ୍ରମଣ କରି ବଜରଙ୍ଗଙ୍କ ବିଦେଶୀ ପ୍ରଶିକ୍ଷକ ବହିଷ୍କୃତ
ଟୋକିଓ : ଭାରତୀୟ କୁସ୍ତିବିତ୍‌ ଦୀପକ ପୁନିଆଙ୍କ ‌ବିଦେଶୀ (ରୁଷିଆ) ପ୍ରଶିକ୍ଷକ ମୁରାଦ ଗାଇଦାରୋଭଙ୍କୁ ଟୋକିଓ ଅଲିମ୍ପିକ୍ସରୁ ବହିଷ୍କୃତ କରିଦିଆଯାଇଛି। ଗୁରୁବାର କାଂସ୍ୟ ପଦକ ମୁକାବିଲାରେ ଦୀପକ ହାରିବା ପରେ ‌ମୁରାଦ ‌ରେଫରିଙ୍କ କୋଠରୀ ଭିତ‌ରକୁ ପ୍ରବେଶ କରି ଆକ୍ରମଣ କରିଥିଲେ। ଏଭଳି ଆଚରଣ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସମିତି (ଆଇଓସି) ୨୦୦୮ ବେଜିଂ ଅଲିମ୍ପିକ୍ସ ରୌପ୍ୟ ବିଜେତା ମୁରାଦଙ୍କ ପରିଚୟପତ୍ର ବାତିଲ କରିଦେଇଛି। ୮୬ କେଜି ଫ୍ରିଷ୍ଟାଇଲ୍‌ କାଂସ୍ୟ ମୁକାବିଲାରେ ଦୀପକ ୨-୧ରେ ଆଗୁଆ ରହିବା ପରେ ଶେ‌ଷ ୧୦ ସେକେଣ୍ଡରେ ସାନ୍‌ ମାରିନୋର ମିଲେସ ନଜିମ ଆମିନ୍‌ ୨ ପଏଣ୍ଟ କରାୟତ୍ତ କରି ବିଜୟୀ ହୋଇଥିଲେ। ଏହି ଅବିଶ୍ବାସନୀୟ ପରାଜୟ ପରେ ଦୀପକଙ୍କ ବେଲାରୁଷ ପ୍ରଶିକ୍ଷକ ମୁରାଦ ନିୟନ୍ତ୍ରଣ ହରାଇ ରେଫରିଙ୍କ କୋଠରୀରେ ପ୍ରବେଶ କରି ଆକ୍ରମଣ କରିଥିଲେ। ଏହି ଘଟଣା ପରେ ବିଶ୍ବ କୁସ୍ତି ସଂଘ (ଫିଲା) ଆଇଓସି ଓ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)କୁ ସୂଚନା ଦେଇଥିଲା ଏବଂ ମୁରାଦଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲା। ଡବ୍ଲ୍ୟୁଏଫ୍‌ଆଇ ଏହି ଘଟଣା ପାଇଁ କ୍ଷମା ମାଗିବା ସହ ମୁରାଦଙ୍କୁ ବହିଷ୍କୃତ କରିଥିଲା। ଆଇଓସି ତାଙ୍କ ପରିଚୟପତ୍ର ବାତିଲ କରିବା ସହ ତୁରନ୍ତ ଟୋକିଓ କ୍ରୀଡ଼ା ଗ୍ରାମରୁ ମୁରାଦଙ୍କୁ ବିଦା କରିବାକୁ ଭାରତୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛି। ‘‘ଆମେ ଆଇଓସିଠାରୁ ଚିଠି ପାଇଛୁ ଏବଂ ତୁରନ୍ତ ମୁରାଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଏହା ଅତି ଗୁରୁତର ଶୃଙ୍ଖଳା ଉଲ୍ଲଂଘନ’’ ବୋଲି ଜଣେ ଭାରତୀୟ ଅଧିକାରୀ କହିଛନ୍ତି। ‘‘ପ୍ରଶିକ୍ଷକଙ୍କ ଏଭଳି କଦର୍ଯ୍ୟ ବ୍ୟବହାର ପାଇଁ ଡବ୍ଲ୍ୟୁଏଫ୍‌ଆଇ ବିଶ୍ବ ସଂଘ ଦ୍ବାରା ବାସନ୍ଦ ହେବାର ସମ୍ଭାବନା ଦେଖାଦେଇଛି। ତେଣୁ ଆମେ ତାଙ୍କ ବିରୋଧରେ ନିଶ୍ଚିତ ବଡ଼ କାର୍ଯ୍ୟାନୁଷ୍ଠାନ ନେବୁ’’ ବୋଲି ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜ ଭୂଷଣ ଶରନ ସିଂହ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ୨୦୦୪ ଅଲିମ୍ପିକ୍ସ ବେଳେ ନିଜ କ୍ବାର୍ଟର ଫାଇନାଲ୍‌ ଲଢ଼େଇ ହାରିଯିବା ପରେ ପ୍ରତିପକ୍ଷକୁ ଆକ୍ରମଣ ଓ ଅପମାନିତ କରି ମୁରାଦ ଅଯୋଗ୍ୟ ଘୋଷିତ ହୋଇଥିଲେ।

ସମ୍ବନ୍ଧିତ ଖବର