ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର କାଂସ୍ୟ ପଦକ ବିଜେତା ଭାରତୀୟ କୁସ୍ତି ଯୋଦ୍ଧା ବଜରଙ୍ଗ ପୂନିଆ (୬୫ କେଜି) ଅଲ୍ମାଟିରେ ଚାଲିଥିବା ବୋଲଟ ତୁର୍ଲିଖାନୋଭ କପ୍ ପ୍ରତିଯୋଗିତାରେ କାଂସ୍ୟ ଜିତିଛନ୍ତି। ସେ ପ୍ରଥମ ବାଉଟ୍ରେ ଉଜ୍ବେକିସ୍ତାନର ଆବୋସ ରାଖମୋନୋଭଙ୍କଠାରୁ ୩-୫ରେ ହାରିଯାଇଥିଲେ। ହେଲେ ରାଖମୋନୋଭ ଫାଇନାଲ୍ରେ ପହଞ୍ଚିଯିବାରୁ ବଜରଙ୍ଗଙ୍କୁ କାଂସ୍ୟ ମୁକାବିଲାରେ ଅବତୀର୍ଣ୍ଣ ପାଇଁ ସୁଯୋଗ ମିଳିଯାଇଥିଲା। ଏହାର ଫାଇଦା ଉଠାଇ ବଜରଙ୍ଗ ପ୍ରତିଆକ୍ରମଣକୁ ଜୋର୍ଦାର କରି କାଜାକସ୍ତାନର ରିଫତ ସାଇବୋତୋଲୋଭଙ୍କୁ ୭-୦ରେ ପରାସ୍ତ କରି ରବିବାର କାଂସ୍ୟ ପଦକ ହାସଲ କରିନେଇଥିଲେ।
ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଅନ୍ୟତମ ଭାରତୀୟ ଅମନ ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ୫୭ କେଜି ବର୍ଗରେ ସେ ପ୍ରଥମ ବାଉଟ୍କୁ ୧୫-୧୨ରେ ମିରାମବେକ୍ କାର୍ଟବେଙ୍କ ବିପକ୍ଷରେ ଜିତିବା ପରେ କିର୍ଗିଜସ୍ତାନର ଅବ୍ଦିମଲିକ କାରାଚୋଭଙ୍କ ବିପକ୍ଷରେ ଟେକ୍ନିକାଲ ସୁପରିଅରିଟିରେ ଜିତି ଫାଇନାଲ୍ ପ୍ରବଶେ କରିଥିଲେ। ଶେଷରେ ଫାଇନାଲ୍ରେ କାଜକସ୍ତାନର ମେରି ବାଜରବାୟେଭ୍ଙ୍କୁ ୧୦-୯ରେ ପରାସ୍ତ କରି ୫ ଜଣିଆ ଏହି ବର୍ଗରେ ଅପରାଜେୟ ସହ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ଏହା ମଧ୍ୟ ବରିଷ୍ଠ ସ୍ତରରେ ଅମନଙ୍କ ପ୍ରଥମ ସ୍ବର୍ଣ୍ଣ। ଚଳିତ ଋତୁରେ ଅମନଙ୍କର ଏହା ତୃତୀୟ ପଦକ। ଏହା ପୂର୍ବରୁ ସେ ଡାନ୍ କୋଲୋଭରେ ରୌପ୍ୟ ଏବଂ ୟାସାର ଡୋଭୁରେ କାଂସ୍ୟ ପଦକ ଜିତିଥିଲେ। ଏହା ସତ୍ତ୍ବେ ଭାରତ ରୢାଙ୍କିଙ୍ଗ୍ ସିରିଜ୍ ଇଭେଣ୍ଟରୁ ୧୨ ପଦକ ଅମଳ କରିଛି। ଯେଉଁଥିରେ ମହିଳା କୁସ୍ତିଯୋଦ୍ଧାମାନେ ୫ ସ୍ବର୍ଣ୍ଣ ସହ ୮ ପଦକ କରାୟତ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/bajarangi.jpg)