ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାର ଲାଗି ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ସୋମବାର ବଜରଙ୍ଗ ପୁନିଆ ଏବଂ ବୀନେଶ ଫୋଗଟଙ୍କ ନାଁ ସୁପାରିସ କରିଛି। ବଜରଙ୍ଗ ନିକଟରେ ଏସୀୟ ପ୍ରତିଯୋଗିତା ବିଜେତା ଘୋଷିତ ହୋଇଥିଲା ବେଳେ ବୀନେଶ ଗତବର୍ଷର ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଗତ ଦୁଇ ବର୍ଷ ହେବ ଏହି ଦୁଇ କୁସ୍ତି ତାରକା ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ସେମାନଙ୍କ ପ୍ରଦର୍ଶନ ଆଧାରରେ ହିଁ କୁସ୍ତି ମହାସଂଘ ବଜରଙ୍ଗ ଓ ବୀନେଶଙ୍କ ନାଁ ଖେଳରତ୍ନ ପାଇଁ ପଠାଇଥିବା ପ୍ରକାଶ କରିଛି। ଚୀନର ଜିଆନଠାରେ ଆୟୋଜିତ ଏସୀୟ ପ୍ରତିଯୋଗିତାରେ ବଜରଙ୍ଗ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ୬୫ କିଲୋଗ୍ରାମ ବର୍ଗରେ ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଜାକର୍ତା ଏସୀୟ କ୍ରୀଡ଼ାରେ ମଧ୍ୟ ୨୫ ବର୍ଷୀୟ ବଜରଙ୍ଗ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏସୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ ମଧ୍ୟ ବୀନେଶ ଅନ୍ୟ ବହୁ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତବର୍ଷ ସେ ପ୍ରଥମ ଭାରତୀୟ ମହିଳା ଭାବେ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ବଜରଙ୍ଗ ଓ ବୀନେଶଙ୍କ ଛଡ଼ା ଡବ୍ଲ୍ୟୁଏଫ୍ଆଇ ରାହୁଲ ଆୱାରେ, ଦିବ୍ୟ କକରନ୍, ପୂଜା ଧଣ୍ଡାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି।
୨୫ ବର୍ଷୀୟ ଧଣ୍ଡା ଗତବର୍ଷର ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ଏବଂ ରାଜ୍ୟଗୋଷ୍ଠୀରେ ରୌପ୍ୟ ପଦକ ପାଇଥିଲେ। ସେହିଭଳି ୨୧ ବର୍ଷୀୟ କାକରନ୍ ଏସୀୟ ପ୍ରତିଯୋଗିତା, ଏସୀୟ କ୍ରୀଡ଼ା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଅର୍ଜନ କରିଥିଲେ। ଗତବର୍ଷ କ୍ରିକେଟର୍ ବିରାଟ କୋହଲି ଏବଂ ଭାରୋତ୍ତୋଳନ ତାରକା ମୀରାବାଇ ଚାନୁ ଖେଳରତ୍ନ ପାଇବା ପରେ ବଜରଙ୍ଗ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତାଙ୍କୁ ଜାଣିଶୁଣି ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ଅଦାଲତ ଯିବାକୁ ଧମକ ଦେଇଥିଲେ। ଖେଳମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର ବୁଝାଶୁଝା କରିବା ପରେ ଯାଇ ଶାନ୍ତ ପଡ଼ିଥିଲେ। ଚଳିତ ବର୍ଷ ସେ ଖେଳରତ୍ନ ପାଇବେ ବୋଲି ଆଶା ରଖିଛନ୍ତି। ଡବ୍ଲ୍ୟୁଏଫ୍ଆଇ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ବୀରେନ୍ଦ୍ର କୁମାର, ସୁଜିତ ମାନ୍, ନରେନ୍ଦ୍ର କୁମାର ଓ ବିକ୍ରମ କୁମାରଙ୍କ ନାଁ ସୁପାରିସ କରିଛି।