ବଲାଙ୍ଗୀର ପ୍ରଥମ ଥର ଜିତିଲା ସାହାଣୀ କପ୍‌

ଫାଇନାଲ୍‌ରେ ଭୁବନେଶ୍ୱରକୁ ୩-୨ରେ ହରାଇଲା

ବଲାଙ୍ଗୀର: ଇତିହାସ ରଚିଛି ବଲାଙ୍ଗୀର। ୫୮ ବର୍ଷର ସାହାଣୀ କପ୍‌ ଇତିହାସରେ ୩ ଥର ସେମିଫାଇନାଲ ଯାଇଥିଲେ ବି କେବେ ଫାଇନାଲକୁ ଉଠି ନଥିବା ବଲାଙ୍ଗୀର ଘରୋଇ ପଡ଼ିଆ ଓ ଦର୍ଶକଙ୍କ ଗହଣରେ ପ୍ରଥମ ଥର ପାଇଁ ସାହାଣୀ କପ୍‌ରେ ବିଜେତା ହୋଇଛି। ଫାଇନାଲ ଲଢ଼େଇରେ ୩-୨ ଗୋଲ୍‌ରେ ଭୁବନେଶ୍ୱର ଦଳକୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି। ବଲାଙ୍ଗୀର-ଭୁବନେଶ୍ୱର ମୁକାବିଲାର ପ୍ରଥମାର୍ଧରେ ବଲାଙ୍ଗୀରର ଦବ୍‌ଦବା ରହିଥିଲା। ଘରୋଇ ଦଳର ସୌରଭ ହନୁମାନ ଲଗାତର ଦୁଇଟି ଗୋଲ୍‌ ଦେଇଥିବା ବେଳେ ରଜକ ନାଗ ତୃତୀୟ ଗୋଲ୍‌ ଦେଇ ୩-୦ରେ ଆଗୁଆ ରହିଥିଲେ। ଦ୍ୱିତୀୟାର୍ଧରେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା ଭୁବନେଶ୍ୱର। ଶଶୀକାନ୍ତ ସାଣ୍ଡିଲ ଓ ଚିତ୍ତରଂଜନ ପ୍ରଧାନ ଦୁଇଟି ଗୋଲ୍‌ ଦେଇ ବଲାଙ୍ଗୀର ଉପରେ ଚାପ ସୃଷ୍ଟି କରିଥିଲେ। କିନ୍ତୁ ମ୍ୟାଚ ୩-୨ରେ ଶେଷ ହୋଇଥିଲା ଓ ବଲାଙ୍ଗୀର ବିଜେତା ହୋଇଥିଲା। ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିରୋଧୀ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ବଲାଙ୍ଗୀର ଦଳର ଗୋଲ ରକ୍ଷକ ଜିତୁ ଦଳାଇଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର