ସମ୍ବଲପୁର ଫୁଟ୍‌ବଲ୍‌ର ଦ୍ରୋଣାଚାର୍ଯ୍ୟ ବଳରାମ, ୨୨ ବର୍ଷ ହେଲା ପଙ୍କରେ ଫୁଟାଉଛନ୍ତି ପଦ୍ମ

ଆଜି ଗୁରୁ ଦିବସ

ସମ୍ବଲପୁର, (ମଳୟ ପରିଡ଼ା): “ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର’’। ଆଜିର ପ୍ରତିଦ୍ବନ୍ଦ୍ବିତାମୂଳକ ସମାଜରେ ଶିକ୍ଷାଦାନ ବା ପ୍ରଶିକ୍ଷଣ ହୁଏତ କିଛି କ୍ଷେତ୍ରରେ ରୋଜଗାରର ମାଧ୍ୟମ ପାଲଟି ଯାଇଛି, କିନ୍ତୁ ଆଜି ବି ଏଭଳି ଗୁରୁ ଅଛନ୍ତି ଯିଏ ନିସ୍ବାର୍ଥପର ଭାବେ ଶିଷ୍ୟକୁ ଗଢ଼ିବାରେ ସମର୍ପି ଦେଇଛନ୍ତି ନିଜର ଅଧା ଜୀବନ। ସେଭଳି ଜଣେ ଗୁରୁ ହେଲେ ସମ୍ବଲପୁରର ବଳରାମ ମଟାରି। ଗରିବ ଆଦିବାସୀ ଝିଅମାନଙ୍କୁ ପରିବାରିକ ଦାରିଦ୍ର୍ୟ ଓ ଜଞ୍ଜାଳରୁ ବାହାରକୁ ଆଣି ସେମାନଙ୍କ ପ୍ରତିଭାକୁ ବିକଶିତ କରିବାର ଭାର ଉଠାଇଛନ୍ତି ଶ୍ରୀ ମଟାରି। ସେମାନଙ୍କୁ ନିଶୁଳ୍କ ଫୁଟ୍‌ବଲ୍ ଖେଳ ଶିଖାଇବା ସହ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଫୁଟବଲ୍ ତାରକା ଭାବେ ଗଢ଼ିବାରେ ପ୍ରଚ୍ଛଦ ନାୟକ ସାଜିଛନ୍ତି। ବଳରାମ ନିଜେ ଜଣେ ଫୁଟ୍‌ବଲ ଖେଳାଳି। ୧୯୭୭ରୁ ୧୯୮୨ ଯାଏ ସମ୍ବଲପୁର ଜିଲ୍ଲା ଦଳ ପାଇଁ ସେ ଫୁଟ୍‌ବଲ ଖେଳିଛନ୍ତି। ସେ ଜଣେ ପେସାଦାର ପ୍ରଶିକ୍ଷକ ହୋଇ ନଥିଲେ ମଧ୍ୟ ସରକାରୀ ଚାକିରିର ବ୍ୟସ୍ତବହୁଳ ଜୀବନରୁ ନିୟମିତ ସକାଳେ ଓ ସଂଧ୍ୟାରେ ସମୟ ବାହାର କରି ପିଲାମାନଙ୍କୁ ଫୁଟ୍‌ବଲ୍‌ ଶିଖାନ୍ତି। ୧୯୯୮ ମସିହାରୁ ସେ ପିଲାଙ୍କୁ ଫୁଟବଲ୍‌ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ ଯାହାକି କ୍ରମଶଃ ତାଙ୍କର ନିଶା ପାଲଟି ଯାଇଥିଲା। ସ୍ଥାନୀୟ ଅଞ୍ଚଳର ୬ଜଣ ଆଦିବାସୀ ଝିଅଙ୍କୁ ନେଇ ସେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ସେବେଠାରୁ ପଛକୁ ଫେରି ଚାହିନାହାନ୍ତି। ଉକ୍ତ ଆଦିବାସୀ ପିଲାଙ୍କ ପଢ଼ାଠାରୁ କ୍ରୀଡ଼ା ଉପକରଣ ପର୍ଯ୍ୟନ୍ତ ଯୋଗାଡ଼ କରିବା ପାଇଁ ସେ ନିଜ ଦରମାର ଅର୍ଧେକ ଖର୍ଚ୍ଚ କରିଦିଅନ୍ତି। ଅସୁବିଧା ସମୟରେ ଏହି ଆଦିବାସୀ ପିଲାମାନଙ୍କ କ୍ରୀଡ଼ା ଆବଶ୍ୟକତା ପୂରଣ ପାଇଁ ଖେଳପ୍ରେମୀ ଓ ସହୃଦୟ ବ୍ୟକ୍ତିଙ୍କୁ ଅନୁରୋଧ କରିବାକୁ ପଛାନ୍ତି ନାହିଁ। ସେ ପ୍ରଶିକ୍ଷଣ ଆରମ୍ଭ କରିବାର କମ୍ ସମୟ ମଧ୍ୟରେ ଦଳେଇ ମୁଣ୍ଡା, ମୀନା ଆଇନ୍ଦ, ଦୀପ୍ତି କିସାନ, ବନ୍ଦନା ଓରାମ୍ ଜାତୀୟ ସ୍ତରରେ ଖେଳିବାକୁ ସୁଯୋଗ ପାଇଥିଲେ। ତାଙ୍କର ପ୍ରୋତ୍ସାହନରେ ସମ୍ବଲପୁରରୁ ଲୋଚନା ମୁଣ୍ଡା, ଅହଲ୍ୟା ମୁଣ୍ଡା, ଝିଲି ମୁଣ୍ଡା ଓ ଠୁମ୍‌କି ମୁଣ୍ଡାଙ୍କ ଭଳି ଅନ୍ତର୍ଜାତୀୟ ଫୁଟ୍‌ବଲର୍‌ ସୃଷ୍ଟି ହୋଇଥିଲେ। ଏହା ବ୍ୟତୀତ କିଛି ଖେଳାଳି ସରକାରୀ ଚାକିରି ମଧ୍ୟ ପାଇଛନ୍ତି। ପାଖାପାଖି ୧୫ ଜଣ ଖେଳାଳିଙ୍କୁ ଚାକିରି ମିଳିଛି। ୩ ଜଣ ଖେଳାଳି ନିତା ଅମ୍ବାନୀଙ୍କ ରିଲିଆନ୍ସ ଫାଉଣ୍ଡେସନ୍‌ରେ ପ୍ରଶିକ୍ଷଣ ନେଉଛନ୍ତି। ବର୍ତ୍ତମାନ ଷଷ୍ଠରୁ ୧୦ମ ଶ୍ରେଣୀ ଭିତରେ ୨୫ ଜଣ ଝିଅ ତାଙ୍କ ପାଖରେ ପ୍ରଶିକ୍ଷଣ ନେଉଛନ୍ତି।

ସମ୍ବନ୍ଧିତ ଖବର