‘ତୁମ ବିଜୟ ମୋ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସହାୟକ ହୋଇଥାଏ’ ଧୋନିଙ୍କୁ କହିଥିଲେ ବଲ୍‌ବୀର ସିଂହ

ଚଣ୍ଡୀଗଡ଼: ବଲ୍‌ବୀର ସିଂହ ସିନିୟରଙ୍କ ନାମ ହକି ସହ ଜଡ଼ିତ। ମେଜର ଧ୍ୟାନଚାନ୍ଦଙ୍କ ପରେ ତାଙ୍କୁ ହିଁ ଭାରତୀୟ ହକିର ଅନ୍ୟତମ କିଂବଦନ୍ତି ଭାବେ ଗଣାଯାଏ। ଏହି କିଂବଦନ୍ତି ତଥା କ୍ରମାଗତ ତିନି ଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ଜିତିଥିବା ମହାନ୍‌ ତାରକାଙ୍କର ସୋମବାର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ଦେଶ ଜଣେ ମହାନ୍‌ ହକି ତାରକାଙ୍କୁ ହରାଇଛି। ତାଙ୍କ ସ୍ଥାନ ହୁଏତ ଭାରତୀୟ ହକିରେ ଆଉ ପୂରଣ ହୋଇନପାରେ। ତାଙ୍କ ପରଲୋକ ସହିତ ଏକ ହକି ଯୁଗର ମଧ୍ୟ ଅବସାନ ଘଟିଛି। ଏହି ହକି କିଂବଦନ୍ତି କିନ୍ତୁ ତାଙ୍କ ଜୀବନ କାଳରେ ଭାରତର ସବୁଠୁ ଅଧିକ ଲୋକପ୍ରିୟ ଖେଳ କ୍ରିକେଟ୍‌ ପ୍ରତି ଆକର୍ଷିତ ହୋଇନଥିଲେ। ହେଲେ ଥରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭେଟିଥିଲା ବେଳେ ଭାରତର ବିଜୟ ଯେ ତାଙ୍କ ଉତ୍ତମ ସ୍ବାସ୍ଥ୍ୟ ପ୍ରତି ସହାୟକ ହୋଇଥାଏ ବୋଲି ଧୋନିଙ୍କୁ କହିଥିଲେ ବଲ୍‌ବୀର। ଧୋନିଙ୍କର ସେହି ବିଜୟ ଥିଲା ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ। ୪ ବର୍ଷ ତଳେ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ ଖେଳିବାକୁ ମୋହାଲିର ପିସିଏ ଷ୍ଟାଡିୟମ୍‌ରେ ଅବସ୍ଥାନ କରିଥିଲା। ମ୍ୟାଚ୍‌ ପୂର୍ବରୁ ବଲ୍‌ବୀର ଭାରତୀୟ ଦଳକୁ ଶୁଭକାମନା ଜଣାଇବାକୁ ଇଛା କରିଥିଲେ। ସେଥିପାଇଁ ସେ ଷ୍ଟାଡିୟମ୍‌କୁ ଯାଇଥିଲେ। ସେଠାରେ ସେ ଧୋନିଙ୍କୁ ଭେଟିଥିଲେ। ଧୋନି ମଧ୍ୟ ଏହି ମହାନ୍‌ ଖେଳାଳିଙ୍କୁ ଧନ୍ୟବାଦ ଜଣାଇବା ସାଙ୍ଗକୁ ତାଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରି ବୁଝିଥିଲେ। ‌ଧୋନିଙ୍କ ପଚାରିବାରେ ବଲ୍‌ବୀର ସ୍ମିତ ହାସ୍ୟ ଦେଇଥିଲେ ଏବଂ ଯେଉଁ ଉତ୍ତର ରଖିଥିଲେ ତାହା ସମସ୍ତଙ୍କୁ ଉତ୍ସାହିତ କରିଥିଲା। ଧୋନିଙ୍କୁ ବଲ୍‌ବୀର କହିଥିଲେ, ତୁମର ବିଜୟ ମୋର ଉତ୍ତମ ସ୍ବାସ୍ଥ୍ୟ ପାଇଁ ସହାୟକ ‌ହୋଇଥାଏ। ସେତେବେଳେ ବଲ୍‌ବୀରଙ୍କୁ ୯୨ ବର୍ଷ ହୋଇଥିଲା। ଏହି ବୟସରେ ମୁଁ ଦଳର ବିଜୟ ହାସଲ ପାଇଁ ଶୁଭେଚ୍ଛା ଜଣାଇବାକୁ ଆସିଛି ବୋଲି କହିଥିଲେ। ଭାରତ ତୃତୀୟ ଥର ପାଇଁ ବିଶ୍ବ କପ୍‌ ଜିତୁ ଏବଂ ସ୍ବର୍ଣ୍ଣିମ ହ୍ୟାଟ୍ରିକ୍‌ ପୂରଣ କରୁ ବୋଲି ଶୁଭକାମନା ଦେବା ପାଇଁ ମୁଁ ଆସିଥିବା କହିଥିଲେ ବଲ୍‌ବୀର।

ସଂଯୋଗବଶତଃ ମୋହାଲିରେ ସେହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ସେମିଫାଇନାଲ୍‌ ପ୍ରବେଶ କରିଥିଲା। ଅବଶ୍ୟ ଏହାପରେ ୱେଷ୍ଟଇଣ୍ଡିଜ୍‌ ନିକଟରୁ ହାରି ବିଶ୍ବ ବିଜେତା ହେବାରୁ ବଞ୍ଚିତ ହୋଇଥିଲା। ହେଲେ ପରଲୋକଗତ ବଲ୍‌ବୀର ସିଂହଙ୍କ ସେହି ଶୁଭକାମନା ଏବେ ବି ଭାରତୀୟ କ୍ରିକେଟର୍‌ଙ୍କୁ ପାଇଁ ଅଭୂଲା ରହିଯାଇଛି। ଏହା ପୂର୍ବରୁ ଭାରତ ୨୦୦୭ ଟ୍ବେଣ୍ଟି-୨୦ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର