ଢାକା: ପାକିସ୍ତାନ ବିପକ୍ଷରେ ଐତିହାସିକ ଟେଷ୍ଟ୍ ବିଜୟ ପରେ ବାଂଲାଦେଶ କ୍ରିକେଟ୍ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ଭାରତରେ ପହଞ୍ଚିବ। ପାକିସ୍ତାନର ପରିବେଶ ସହିତ ବାଂଲାଦେଶ ଖେଳାଳିମାନେ ଭଲ ଭାବେ ଖାପଖୁଆଇ ଯାଇଥିଲେ ମଧ୍ୟ ଭାରତରେ ନୂଆ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ବିଶେଷକରି ଖେଳାଯିବାକୁ ଥିବା ବଲ୍ ହିଁ ବାଂଲାଦେଶ ଖେଳାଳିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଭାରତରେ ମ୍ୟାଚ୍ଗୁଡ଼ିକ ଏସ୍ଜି ବଲ୍ରେ ଖେଳାଯାଉଥିବା ବେଳେ ଅଧିକାଂଶ ବାଂଲାଦେଶ ଖେଳାଳିଙ୍କ ପାଖରେ ଏହି ବଲ୍ରେ ଖେଳିବା ଅଭିଜ୍ଞତା ଆଦୌ ନଥିବା ୱିକେଟ୍ରକ୍ଷକ ବ୍ୟାଟର୍ ଲିଟନ ଦାସ କହିଛନ୍ତି।
ଲିଟନ୍ଙ୍କ କହିବାନୁସାରେ, ଭାରତ ଗୋଟିଏ ବଡ଼ ଦଳ ଓ ଏହି ସମୟରେ ବଲ୍ରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ସେହି ବଲ୍ରେ ଆମେ ଖୁବ୍ କ୍ବଚିତ ଖେଳିଛୁ। ତେଣୁ ଏହା ଆମ ପାଇଁ ଆହ୍ବାନପୂର୍ଣ୍ଣ ରହିବ। ଖେଳାଳିମାନେ ଏଥିପାଇଁ ଖୁବ୍ ପରିଶ୍ରମ କରୁଛନ୍ତି। ପ୍ରସ୍ତୁତି ସମୟରେ ଆମେ ମୁଖ୍ୟ ବୋଲରଙ୍କ ଯେତେ ଅଧିକ ପାରୁଛୁ ଖେଳିବାକୁ ଚେଷ୍ଟା କରୁଛୁ। ଏସ୍ଜି ବଲ୍ରେ ଖେଳିବା ଟିକେ କଷ୍ଟକର ହେଇପାରେ। ତାହାକୁ ନଜରରେ ରଖି ଆମେ ଅଭ୍ୟାସ କରୁଛୁ। ତଥାପି କ’ଣ ହେବ ତାହାକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଲିଟନ୍ କହିଛନ୍ତି।
ବାଂଲାଦେଶରେ ଖେଳାଳିମାନେ କୋକାବୁରା ବଲ୍ରେ ଅଭ୍ୟାସ କରିଥାନ୍ତି। ଏସ୍ଜି ବଲ୍କୁ ହାତରେ ଷ୍ଟିଚିଂ କରାଯାଇଥାଏ। ଯାହାକି ବୋଲରମାନଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ସହାୟତା ଦେଇଥାଏ। କିନ୍ତୁ କୋକାବୁରା ବଲ୍କୁ ମେସିନ୍ ମାଧ୍ୟମରେ ଷ୍ଟିଚ୍ କରାଯାଇଥାଏ। ତେଣୁ ଖେଳିବା ବେଳେ କିଛି ସମୟ ପରେ ସିମ୍ ଫ୍ଲାଟ୍ ହୋଇଯାଏ, ଯାହାକି ବ୍ୟାଟର୍ଙ୍କୁ ଅଧିକ ସହାୟତା ଦେଇଥାଏ। ଏସ୍ଜି ବଲ୍ରୁ ପ୍ରାରମ୍ଭିକ ସମୟରେ ଠିକ୍ରେ ସୁଇଂ ମିଳି ନଥାଏ। କିନ୍ତୁ ୮ରୁ ୧୦ ଓଭର ପରେ ସୁଇଂ ହୋଇଥାଏ ଏବଂ ରିଭର୍ସ ସୁଇଂ ହେବା ସମ୍ଭାବନା ଅଧିକ ଥାଏ। ଇଂଲିଶ ପରିବେଶରେ ବଲ୍ ଶୀଘ୍ର ରିଭର୍ସ କରି ନଥାଏ। ଏଥିପାଇଁ ପାଖାପାଖି ୬୦ ଓଭର ଅପେକ୍ଷା କରିବାକୁ ପଡ଼ିଥାଏ। କୋକାବୁରା ବଲ୍ ନୂଆ ଥିବା ସମୟରେ ୧୫ରୁ ୨୦ ଓଭର ପର୍ଯ୍ୟନ୍ତ ଭଲ ସୁଇଂ ହୋଇଥାଏ। କିନ୍ତୁ ସିମ୍ ଦବିଯିବା ପରେ ବ୍ୟାଟର୍ଙ୍କୁ ଖେଳିବା ସହଜ ହୋଇଯାଏ। ବିଶେଷକରି ୩୦ ଓଭରରେ ଏହା ଆଉ ସେଭଳି ସୁଇଂ ଦେଇ ନଥାଏ ବୋଲିଂ ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ଭରତ ଅରୁଣ କହିଛନ୍ତି।
ମାଇଲ୍ଖୁଣ୍ଟ ଅପେକ୍ଷାରେ ଜୟସ୍ବାଲ୍ ଓ ରୋହିତ
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ୍ ଶୃଙ୍ଖଳାରେ ଭାରତର ଦୁଇ ପ୍ରାରମ୍ଭିକ ଖେଳାଳି ଅଧିନାୟକ ରୋହିତ ଶର୍ମା ଓ ବାମହାତୀ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ ଏକାଧିକ ମାଇଲ୍ଖୁଣ୍ଟ ଅତିକ୍ରମ କରିବା ସମ୍ଭାବନା ରହିଛି। ରୋହିତଙ୍କୁ ଚଳିତ ବର୍ଷ ୧୦୦୦ ଆନ୍ତର୍ଜାତିକ ରନ୍ ପୂରଣ କରିବାକୁ ଆଉ ୧୦ ରନ୍ ଆବଶ୍ୟକ ହେଉଛି। ୨୦୨୪ରେ ରୋହିତ ୨୦ ମ୍ୟାଚ୍ ଖେଳିଥିଲା ବେଳେ ୪୫ ରନ୍ ହାରରେ ୯୯୦ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୩ ଶତକ ଓ ୬ ଅର୍ଦ୍ଧଶତକ ମଧ୍ୟ ରହିଛି। ଜୟସ୍ବାଲ୍ ବର୍ତ୍ତମାନ ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ରନ୍ ସ୍କୋରର୍ଙ୍କ ତାଲିକାରେ ସବୁଠୁ ଆଗରେ ଅଛନ୍ତି। ସେ ୧୪ ମ୍ୟାଚ୍ରୁ ୧୦୩୩ ରନ୍ ସଂଗ୍ରହ କରିଛନ୍ତି।
ଯେଉଁଥିରେ ତାଙ୍କର ହାରାହାରି ରନ୍ ହେଉଛି ୬୦.୭୬। ଏହାମଧ୍ୟରେ ଦୁଇ ଶତକ ଓ ୫ ଅର୍ଦ୍ଧଶତକ ରହିଛି। ଏହାବାଦ୍ ସେ ବର୍ଷର ସର୍ବାଧିକ ରନ୍ ସଂଗ୍ରହକାରୀ ଶ୍ରୀଲଙ୍କାର ପଥୁମ ନିଶଙ୍କଙ୍କଠାରୁ ୧୦୨ ରନ୍ ଦୂରରେ ଅଛନ୍ତି। ନିଶଙ୍କ ୨୩ ମ୍ୟାଚ୍ରୁ ୧୧୩୫ ରନ୍ ସ୍କୋର କରିଛନ୍ତି। ଦ୍ବିତୀୟ ସ୍ଥାନରେ କୁସାଲ ମେଣ୍ଡିସ୍ (୩୨ ମ୍ୟାଚ୍ ୧୧୧୧ ରନ୍) ଅଛନ୍ତି। ଉଭୟ ୧୮ ତାରିଖରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ଖେଳିବେ। ତେଣୁ ଜୟସ୍ବାଲ୍ ଶୀର୍ଷ ସ୍ଥାନକୁ ଆସିବାକୁ ହେଲେ ନିଶଙ୍କ ଓ ମେଣ୍ଡିସ୍ଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ହେବ। କେବଳ ଏତିକି ନୁହେଁ, ଚଳିତ ବର୍ଷ ଟେଷ୍ଟ୍ କ୍ରିକେଟ୍ରେ ସର୍ବାଧିକ ଛକା ମାରିବା ରେକର୍ଡଠୁ ଅଳ୍ପ ଦୂରରେ ଅଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା ରେକର୍ଡଠୁ ସେ ୮ ଛକା ଦୂରରେ ଅଛନ୍ତି। ୨୦୧୪ରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକଲମ୍ ୯ ମ୍ୟାଚ୍ରେ ୩୩ ଛକା ମାରିଥିଲେ। ଯଦି ଜୟସ୍ବାଲ୍ ଗୋଟିଏ ଛକା ମାରନ୍ତି, ତାହେଲେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ୨୬ ଛକାକୁ ପଛରେ ପକାଇଦେବେ। ଜୟସ୍ବାଲ୍ ଚଳିତ ବର୍ଷ ୬ ଟେଷ୍ଟ୍ ମ୍ୟାଚ୍ରୁ ୭୪ ହାରରେ ୭୪୦ ରନ୍ ସଂଗ୍ରହ କରିଛନ୍ତି। ଏହାମଧ୍ୟରେ ଦୁଇଟି ଦ୍ବିଶତକ ରହିଛି। ସେ ବିଶାଖାପାଟଣାରେ ୨୦୯ ଓ ରାଜକୋଟରେ ୨୧୪* ରନ୍ ସଂଗ୍ରହ କରିଥିଲେ।