ଭୁବନେଶ୍ବର: ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ବକପ୍‌-୨୦୨୩ର ସୂଚୀ ମଙ୍ଗଳବାର ଘୋଷିତ ହୋଇଯାଇଛି। ତଦନୁଯାୟୀ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଉରକେଲା ଓ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଏହି ୧୬ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ମୋଟ ୪୪ ମ୍ୟାଚ୍ ଖେଳାଯିବ। ସେଥିମଧ୍ୟରୁ ଭୁବନେଶ୍ବରରେ ୨୪ ଏବଂ ରାଉରକେଲାରେ ୨୦ ମ୍ୟାଚ୍ ଆୟୋଜିତ ହେବ। ଏହି ଖବର ଆସିବା ପରେ ଉଭୟ ସହରର ହକି ପ୍ରେମୀ ଉଲ୍ଲସିତ। ନିଜ ପ୍ରିୟ ତାରକାଙ୍କୁ ପାଖରେ ପାଇବାର ସୁଯୋଗ ଅପେକ୍ଷାରେ ରହିଛନ୍ତି ରାଜ୍ୟର ପ୍ରତିଷ୍ଠିତ ତଥା ଉଦୀୟମାନ ହକି ଖେଳାଳିମାନେ। ପଦ୍ମଶ୍ରୀ ଦିଲୀପ ତିର୍କି ହକି ଇଣ୍ଡିଆର ସଭାପତି ନିଯୁକ୍ତ ହେବା ପରେ ହକି ବିଶ୍ବକପ୍‌ ସୂଚୀକୁ ନେଇ ଆସିଥିବା ଖବର ଏମାନଙ୍କ ସହ ବିଶ୍ବକପ୍‌ରେ ‘ବଲ୍ ବୟ’ ବା ‘ ବଲ୍ ମ୍ୟାନେଜର’ ତଥା ସ୍ବେଚ୍ଛା‌ସେବୀ ହେବାକୁ ଆଗ୍ରହୀ ଥିବା କ୍ରୀଡ଼ା ପ୍ରତିଭା ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ୨୦୧୮ରେ ବଲ୍ ବୟ ଦାୟିତ୍ବ ତୁଲାଇଥିବା‌ ରାଉରକେଲାର ପା‌ନପୋଷ ଏବଂ ସୁନ୍ଦରଗଡ଼ ଛାତ୍ରାବାସ ତଥା‌ ସେଲ୍ ଏକାଡେମିର ଅନ୍ତେବାସୀ ପୁଣି ଥରେ ଏହି ଦାୟିତ୍ବ ସଫଳତାର ସହ ତୁଲାଇବାକୁ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତର କ୍ରୀଡ଼ା ତାରକାମାନେ ବିଶ୍ବକପ୍‌ର ବିଭିନ୍ନ ଦାୟିତ୍ବ ତୁଲାଇ ନିଆରା ଅଭିଜ୍ଞତା ସାଉଣ୍ଟିବାକୁ ଆଶାୟୀ ଅଛନ୍ତି। ଓଡ଼ିଶାରେ ଲଗାତାର ଦ୍ବିତୀୟବାର ବିଶ୍ବକପ୍ ଆୟୋଜନ ହେବା ରାଜ୍ୟର କ୍ରୀଡ଼ା ସାମଗ୍ରୀ ବଜାର ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି। ବିଶେଷ କରି ହକି ଖେଳ ପ୍ରତି ଭଲପାଇବା ଏବଂ ସମର୍ଥନ ପୂର୍ବାପେକ୍ଷା ବଢ଼ିଛି।

Advertisment

ଅବିଭାବକ ତଥା ଖେଳାଳିମାନେ ହକି ପ୍ରତି ତୁଳନାତ୍ମକ ଭାବେ ଅଧିକ ଆକର୍ଷିତ ହେଉଥିବା ଜଣାପଡ଼ିଛି। ଏହାକୁ ସ୍ପଷ୍ଟ କରିଛନ୍ତି ରାଜଧାନୀ ଭୁବନେଶ୍ବରର ଏକ ପ୍ରତିଷ୍ଠିତ ଖେଳ ସାମଗ୍ରୀ ‌ଦୋକାନର ମାଲିକ। ‘‘ଏବେ ହକି ଷ୍ଟିକ୍ ଏବଂ ହକି ବଲ୍‌ର ଚାହିଦା ଆଗ ଅପେକ୍ଷା ବଢ଼ିଛି। ଆମେ ଆଗରୁ ଯେତିକି ହକି ଷ୍ଟିକ୍ ବିକୁ ଥିଲୁ ଏବେ ତା’ଠାରୁ ନିଶ୍ଚିତ ଭାବେ ଅଧିକ ସଂଖ୍ୟକ ଷ୍ଟିକ୍ ବିକୁଛୁ। ଏପରିକି ଅବିଭାବକମାନେ ଛୋଟ ପିଲାଙ୍କ ହକି ଷ୍ଟିକ୍ ଖୋଜୁଥିବା ଲକ୍ଷ୍ୟ କରିଛୁ।’’ ବୋଲି କହିଛନ୍ତି ସେ। ସେହିଭଳି ନିକଟରେ କଳିଙ୍ଗ ଷ୍ଟାଡିୟମ୍‌ରେ ସମାପ୍ତ ହୋଇଥିବା ରାଜ୍ୟ ହକି ପ୍ରତିଯୋଗିତାରେ ବଲ୍ ବୟ ଦାୟିତ୍ବ ତୁଲାଇଥିବା ବିବେକ ଓରାମ ନାମକ ଜଣେ ଉଦୀୟମାନ ହକି ଖେଳାଳି କହିଛନ୍ତି ଯେ ହକି ବିଶ୍ବକପ୍‌ରେ ସାମିଲ ହେବାକୁ ଆମେ ସମସ୍ତେ ବ୍ୟଗ୍ର। ବଲ୍ ବୟ ପାଇଁ ମୁଁ ଆବେଦନ କରିବି। ସ୍ବେଚ୍ଛାସେବୀ ହେବାର ସୁଯୋଗ ମିଳିଲେ ବି କରିବି। ବିଶ୍ବକପ୍‌ରେ ମହିଳା ସ୍ବେଚ୍ଛାସେବୀ ଏବଂ ବଲ୍ ଓମ୍ୟାନ୍ ନିଯୁକ୍ତ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ଏହି ପ୍ରତିଯୋଗିତା ପ୍ରସ୍ତୁତିରେ ଜଡ଼ିତ ଥିବା ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଅନ୍ୟପକ୍ଷରେ ହକି ଇଣ୍ଡିଆ ଲିଗ୍ ପୁଣି ଥରେ ବିଶ୍ବକପ୍‌ରେ ବଲ୍ ବୟ ଏବଂ ବଲ୍ ଓମ୍ୟାନ୍ ହେବାର ଆଶାରେ ଥିବା ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ଅଜିତ ଟିଗା, କୃଷ୍ଣା ଖାଖା, ଦୁଲେସାର ଓରାମ, ସଂଜୟ ମରାବି, ଅଭିରାମ ଓରାମ, ବିଭୂରାମ ଓରାମ, ଅମନ ଟପ୍ପୋ, ଗୋପାଳ ଓରାମ, ମୁକେଶ ସମଦ, ନସିବ କିସନ, ସୁରଂଜନ ଓରାମ, ବିବେକ ଓରାମ, ଅନୁପମା ଲୁଗୁନ, ରଂଜିତା ଟପ୍ପୋ, ଅନୁ ନାୟକ, ଶାନ୍ତି ଖାଲକୋ, ରଶ୍ମି ଖାଲକୋ, ଅଞ୍ଜଳି ଏକ୍କା, ଫୁଲନି ପ୍ରଧାନ, ଅଲିଭା ଜାତେ, ଆଶିଷ ଲାକ୍ରା, ପ୍ରଜ୍ଜ୍ବଳ ଟେଟେ, ବଜାଜ କିସପଟା, ଆଡମିନ କୁଜୁର, ଆରିଆନ ମହାଲି, ଦୀପକ କୁଜୁର, ମନଜିତ ତିର୍କି, ଧନ କୁୱର କିସପଟା, ରାଜୁ ଏକ୍କା, ଶେଖର ବାର୍ଲା, ଅରବିନ ଖେସ୍, ସଚିନ ମହାଲି।