‘ବଲ୍‌ ଅଫ୍‌ ଦ ସେଞ୍ଚୁରି’ ବଦଳାଇ ଦେଇଥିଲା ୱର୍ନଙ୍କ ଜୀବନ

ନୂଆଦିଲ୍ଲୀ: କ୍ରିକେଟ୍‌ ଇତିହାସରେ ଅଷ୍ଟ୍ରେଲୀୟ କିଂବଦନ୍ତି ସେନ୍‌ ୱର୍ନଙ୍କ ଚରିତ୍ର ଚିତ୍ତାକର୍ଷକ ରହିଛି। ନିଜ ପ୍ରତିଭା, ୱିକେଟ୍ ଦଖଲ କ୍ଷମତା ଦର୍ଶକଙ୍କୁ ବିମୋହିତ କରିବାର ପରିଭାଷା ଏବଂ ଅନନ୍ୟ ବ୍ୟକ୍ତିତ୍ବ ଆଦି ସମସ୍ତଙ୍କୁ ଜଣା। ଟେଷ୍ଟ୍ କ୍ରିକେଟ୍‌ର ଏହି ଦ୍ବିତୀୟ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ମଧ୍ୟ ବିବାଦଠାରୁ ଦୂରେଇ ନଥିଲେ। ଡୋପ୍‌ ପରୀକ୍ଷାରେ ଧରାପଡ଼ିବାରୁ ସେ ମଧ୍ୟ ୨୦୦୩ ବିଶ୍ବକପ୍‌ରୁ ବଞ୍ଚିତ ହୋଇଥିଲେ। କିନ୍ତୁ ୧୯୯୩ ମସିହାରେ ସେ ବୋଲିଂ କରିଥିବା ‘ବଲ୍‌ ଅଫ୍‌ ଦ ସେଞ୍ଚୁରି’ ତାଙ୍କୁ ବିଖ୍ୟାତ କରିଥିଲା। ଇଂଲଣ୍ଡର ମାଇକ୍ ଗ୍ୟାଟିଂକୁ ବୋକା ବନାଇ ନେଇଥିବା ଏହି ବଲ୍‌କୁ ନେଇ ବହୁ ଚର୍ଚା ହୋଇଥିଲା। ଏହା ପରଠାରୁ ଗଣମାଧ୍ୟମ ମୋ ପଛରେ ପଡ଼ିବା ହିଁ ମୋ ଜୀବନକୁ ବଦଳାଇ ଦେଇଥିଲା

ବୋଲି ୱର୍ନ ପ୍ରକାଶ କରିଛନ୍ତି। ‘ମୋତେ ସେତେବେଳେ ମାତ୍ର ୨୩ ବର୍ଷ ହୋଇଥିଲା। ଲଣ୍ଡନ୍‌ର ୱିଣ୍ଡମିଲ୍‌ ପବ୍‌କୁ ଯାଇଥିଲି। ଆମେ ରହୁଥିବା ୱେଷ୍ଟବରି ହୋଟେଲ୍‌ଠାରୁ ଏହା ମାତ୍ର ୧୦୦ ଗଜ ଦୂର ହେବ। ମାର୍ଭ ହ୍ୟୁଗ୍‌ସଙ୍କ ସହିତ ମଦ ପିଇ ଫେରିଥିଲୁ। ସେଠାରୁ ଫେରିବା ପରେ ୨୫/୩୦ ଜଣ ଫଟୋଗ୍ରାଫର୍‌ ଫଟୋ ଉଠାଇଥିଲେ। ପରଦିନ ପ୍ରକାଶ ପାଇଥିଲା ‘ପବ୍‌ରେ ସେନ୍ ୱର୍ନ’। ମୁଁ ଆଶ୍ଚର୍ଯ୍ୟ ହୋଇଥିଲି, ମୁଁ କ’ଣ ପରିଧାନ କରିଥିଲି ତାକୁ ବି ସମାଲୋଚନା କରାଯାଇଥିଲା। ମୁଁ ଜୋର ଦେଇ କହି ପାରିଥାନ୍ତି ‘ମୋ ସମ୍ପର୍କରେ ଆପଣ ୧୦ଟି କଥା ଜାଣିନଥିବେ’। ଅନେକ କିଛି ମିଛ ଲେଖାଯାଇଥିଲା ବୋଲି ୫୦ ବର୍ଷୀୟ ୱର୍ନ ଶୁକ୍ରବାର ଫକ୍ସ କ୍ରିକେଟ୍‌ ସହିତ ‘ଏ ୱିକ୍ ୱିଥ୍ ୱାର୍ନି’ କାର୍ଯ୍ୟକ୍ରମ ଅବସରରେ କହିଥିଲେ। ମୋ ସମ୍ପର୍କରେ ଗଣମାଧ୍ୟମ କିଭଳି କାହାଣୀ ଲେଖୁଥିଲା ମୁଁ ବୁଝିପାରୁନଥିଲି। ଏସବୁ କଥାକୁ ନେଇ ଚିନ୍ତା କରିବା କଥା ନୁହେଁ କିନ୍ତୁ ମୁଁ ଭାରି ଚିନ୍ତିତ ହୋଇପଡ଼ିଥିଲି ବୋଲି ୱର୍ନ ପ୍ରକାଶ କରିଥିଲେ। ନିଜର ଅହଂକାର ଓ ଖାମଖିଆଲି ପୋଷାକ ପରିଧାନ ଅଭ୍ୟାସ ବିଷୟରେ କିନ୍ତୁ ୱର୍ନ ସ୍ବୀକାର କରିଥିଲେ। ତେବେ ସେହି ସମାଲୋଚନା ୱର୍ନଙ୍କୁ ମହାନ କ୍ରିକେଟର୍‌ ଭାବେ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ନେଇଥିଲା ବୋଲି କ୍ରିକେଟ୍‌ ବିଶାରଦ ଭାବେ ସ୍ବୀକାର କରନ୍ତି।

ସମ୍ବନ୍ଧିତ ଖବର