କ୍ରିକେଟ୍‌ରେ କଳଙ୍କ : ଅଷ୍ଟ୍ରେଲୀୟଙ୍କୁ ଛି ଛି

ଅଧିନାୟକ ପଦରୁ ସ୍ମିଥ୍‌ ଓ ଉପଅଧିନାୟକ ପଦରୁ ଓ୍ଵାର୍ନର ବିଦା
ସ୍ମିଥ୍‌ ଗୋଟିଏ ଟେଷ୍ଟ୍‌ରୁ ବାସନ୍ଦ, ୧୦୦% ମ୍ୟାଚ୍‌ ପାଉଣା କଟିଲା
ବନକ୍ରଫ୍ଟଙ୍କୁ ୩ ଡିମେରିଟ୍‌ ପଏଣ୍ଟ, ହରାଇଲେ ୭୫% ପାଉଣା
ସ୍ମିଥ୍‌ ଓ ଓ୍ଵାର୍ନର ଆଗାମୀ ଆଇପିଏଲ୍‌ରେ ଖେଳିବା ନେଇ ଆଶଙ୍କା

କେପ୍‌ଟାଉନ : ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ଟାଉନ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ଖେଳାଳି ବଲ୍‌ ଟ୍ୟାମ୍ପରିଂ କରୁଥିବା ଦୃଶ୍ୟ କ୍ୟାମେରାରେ ଧରାପଡ଼ିବା ପରେ କ୍ରିକେଟ୍‌ ଜଗତରେ ଝଡ଼ ସୃଷ୍ଟି ହୋଇଛି। କ୍ରିକେଟ୍‌ ଗରିମାରେ କଳଙ୍କ ବୋଳିଥିବା ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ସମେତ ସାଥୀ ଖେଳାଳିଙ୍କୁ ବିଶ୍ୱବ୍ୟାପୀ ଛି ଛି କରାଯାଉଛି। ପ୍ରଶଂସକମାନେ ବି ସେମାନଙ୍କ ପ୍ରିୟ ଦଳ ଓ ଖେଳାଳିଙ୍କୁ ସୋସିଆଲ ମିଡିଆରେ ‘ଶଠ’, ‘ଠକ’ ଆଦି କହି ସମାଲୋଚନା କରିବାରେ ଲାଗିଛନ୍ତି। ଏମିତିକି ଖୋଦ୍‌ ଅଷ୍ଟ୍ରେଲିଆ ସରକାର ଓ ଦେଶର କ୍ରିକେଟ ବୋର୍ଡ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାଲକମ୍‌ ଟର୍ନବୁଲ୍‌। ଦେଶର ଛବିକୁ ବିଶ୍ୱରେ ନିନ୍ଦିତ କରିଥିବାରୁ ସେମାନଙ୍କ ବିରୋଧରେ ଅତ୍ୟନ୍ତ କଡ଼ା ପଦକ୍ଷେପ ନିଆଯାଇପାରେ ଓ ଆଜୀବନ ବାସନ୍ଦ ବି କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି।

ସେପଟେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ମଧ୍ୟ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଅଧିନାୟକ ଷ୍ଟିଭେନ୍‌ ସ୍ମିଥଙ୍କୁ ଗୋଟିଏ ଟେଷ୍ଟରୁ ବାସନ୍ଦ କରିବା ସହ ମ୍ୟାଚ୍‌ ପାଉଣାର ଶତ ପ୍ରତିଶତ ଜରିମାନା କରାଯାଇଛି। ସ୍ମିଥ୍‌ଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିଥିବା ଦଳର ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କାମେରୁନ୍‌ ବନ୍‌କ୍ରଫ୍ଟଙ୍କୁ ଆଇସିସି ତିନିଟି ଡି-ମେରିଟ୍‌ ପଏଣ୍ଟ ପ୍ରଦାନ କରିଛି। ବନ୍‌କ୍ରଫ୍ଟ ମଧ୍ୟ ତାଙ୍କ ମ୍ୟାଚ୍‌ ପାଉଣାର ୭୫ ପ୍ରତିଶତ ହରାଇଛନ୍ତି। ଆସନ୍ତା ୨୪ ମାସ ମଧ୍ୟରେ ପୁନର୍ବାର ଆଇସିସି ଆଚରଣ ସଂହିତା ଉଲ୍ଲଘଂନ କରି ଆଉ ମାତ୍ର ଗୋଟିଏ ଡି’ ମେରିଟ୍‌ ପଏଣ୍ଟ ପାଇଲେ ସେ ମଧ୍ୟ ଗୋଟିଏ ଟେଷ୍ଟ କିମ୍ବା ଦୁଇଟି ସୀମିତ ଓଭର ମ୍ୟାଚ୍‌ରୁ ଅପଣାଛାଏଁ ବାସନ୍ଦ ହେବେ। ଉଭୟ ନିଜ ନିଜର ଦୋଷ ସ୍ୱୀକାର କରିନେବା ପରେ ମ୍ୟାଚ୍‌ ରେଫରି ଆଣ୍ଡି ପାଇକ୍ରଫ୍ଟ ରବିବାର ଏହି ଦଣ୍ଡ ବିଧାନ କରିଛନ୍ତି। ସ୍ମିଥ୍‌ ଗୋଟିଏ ଟେଷ୍ଟରୁ ବାସନ୍ଦ ହେବା ସହ ଅଧିନାୟକ ପଦ ମଧ୍ୟ ହରାଇଛନ୍ତି। ଉପ ଅଧିନାୟକ ଡେଭିଡ୍‌ ଓ୍ଵାର୍ନର ବି ତାଙ୍କ ପଦରୁ ବିତାଡ଼ିତ ହୋଇଛନ୍ତି। ଏହି ଦୁଇ ଖେଳାଳି ଆଇପିଏଲ୍‌ ଚୁକ୍ତି ହରାଇବାର ଆଶଙ୍କା ବି ଦେଖା ଦେଇଛି।

ସେପଟେ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ମାମଲାର ନିଜସ୍ୱ ତଦନ୍ତ ଆରମ୍ଭ କରିଛି। ସେଥିପାଇଁ ସିଏ ତା’ର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦକ୍ଷିଣ ଆଫ୍ରିକା ପଠାଇଛି। ବହୁ ପୂର୍ବତନ ଖେଳାଳିଙ୍କ ସହ ଖୋଦ୍‌ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାଲକମ୍‌ ଟର୍ନବଲ୍‌ ମଧ୍ୟ ସ୍ମିଥ୍‌ ଓ ତାଙ୍କ ଦଳର ବିଶ୍ୱାସଘାତକକୁ ସହଜରେ ଗ୍ରହଣ କରି ନାହାନ୍ତି।

କଙ୍ଗାରୁ ଦଳର କଳା କାରନାମା ଦାଣ୍ଡରେ ଗଡ଼ି ହାଟରେ ପଡ଼ିବା ପରେ ଆଇସିସି ଚେତା ଫେରିଛି। ଭାରତ ଗସ୍ତରେ ଆସିଲା ବେଳେ କଙ୍ଗାରୁ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ବେଆଇନ ଭାବେ ଡ୍ରେସିଂ ରୁମରୁ ସହାୟତା ନେଇଥିଲେ ହେଲେ ଆଇସିସି ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍‌ ରହିଥିଲା। ଦକ୍ଷିଣ ଆଫ୍ରିକା ଗସ୍ତରେ କିନ୍ତୁ ସ୍ମିଥ୍‌ ସବୁ ସୀମା ଟପିଗଲେ। ସମଗ୍ର ଦଳକୁ ନିଜ ଠକାମିରେ ସାମିଲ କରି ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କାମେରୁନ୍‌ ବନକ୍ରଫ୍ଟଙ୍କ ହାତରେ ବଲକୁ ବିକୃତ କରିବାର ଅପଚେଷ୍ଟା କଲେ। ଏତେ ସବୁ କରିବା ପରେ ଯାଇ ଆଇସିସି ତାଙ୍କୁ ଗୋଟିଏ ଟେଷ୍ଟରୁ ବାସନ୍ଦ କରିଛି। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ରିଚାର୍ଡସନଙ୍କ ପକ୍ଷରୁ ଆଜି ପ୍ରକାଶ କରାଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ସ୍ମିଥ୍‌ ଖେଳ ଭାବନାକୁ ଅସମ୍ମାନ ଜଣାଇ ବଲ୍‌ର ଆକାର ବଦଳାଇବାକୁ ଯୋଜନା କରିଥିବାରୁ ସେ ଆଇସିସି ଆଚରଣ ସଂହିତାର ଧାରା ୨.୨.୧ ଉଲ୍ଲଘନ କରିଛନ୍ତି। ଅଷ୍ଟ୍ରେଲିଆ ନେତୃତ୍ୱ ଗୋଷ୍ଠୀର ଏହି କାରନାମା ଖେଳ ଭାବନାକୁ କ୍ଷୁଣ୍ଣ କରିଛି। ଏହା ଦ୍ୱାରା ମ୍ୟାଚ୍‌ର ବିଶ୍ୱସନୀୟତା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅଧିନାୟକ ଭାବେ ସ୍ମିଥ୍‌ ନିଜ ଖେଳାଳିଙ୍କ ଏଭଳି ଯେ କୌଣସି ନିନ୍ଦନୀୟ ପଦକ୍ଷେପର ଦାୟିତ୍ୱ ନେବା ଉଚିତ। ସେଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି। ସେହିଭଳି ବନକ୍ରଫ୍ଟ ସ୍ମିଥଙ୍କ ଯୋଜନାକୁ କାର୍ଯ୍ୟକାରୀ କରି ଆଚରଣ ସଂହିତାର ଧାରା ୨.୨.୯ ଉଲ୍ଲଂଘନ କରିଛନ୍ତି। ଦୁଇ ଜଣ ଯାକ ନିଜ ନିଜ ଦୋଷ ମାନିବା ପରେ ଏହି ମାମଲାରେ ମ୍ୟାଚ୍‌ ରେଫରିଙ୍କୁ ଶୁଣାଣି କରିବାକୁ ପଡ଼ି ନଥିଲା। ସ୍ମିଥ୍‌ ଏବଂ ଅଷ୍ଟ୍ରେଲିଆ ଦଳର ଏହି କୁକର୍ମକୁ କିନ୍ତୁ ଅନେକ କ୍ରିକେଟ୍‌ ବିଶେଷଜ୍ଞ ଆତ୍ମହତ୍ୟାର ଆଖ୍ୟା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଏହି ନିନ୍ଦନୀୟ ଘଟଣା କେପଟାଉନ ଟେଷ୍ଟ୍‌ର ତୃତୀୟ ଦିବସ ଅର୍ଥାତ୍‌ ଶନିବାର ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ପାଳିର ୪୩ତମ ଓଭରରେ ଘଟିଥିଲା। ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କାମେରୁନ୍‌ ବନକ୍ରଫ୍ଟ ହଠାତ୍‌ ବଲ୍‌ର ଆକାର ବଦଳାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହା କ୍ୟାମେରା ଲେନ୍ସରେ ଧରା ପଡ଼ି ଯାଇଥିଲା। ବଦଳ ଖେଳାଳି ପିଟର ହ୍ୟାଣ୍ଡ୍ସକମ୍ବଙ୍କ ସହ କଥା ହେବା ପରେ ହିଁ ନିଜ ହାତରେ ସେ ଏକ ହଳଦିଆ ରଙ୍ଗର ପଟି ଧରି ବଲ୍‌ର ଗୋଟିଏ ପଟକୁ ରଗଡ଼ି ଚାଲିଥିଲେ। ଏଥିରେ ପ୍ରଶିକ୍ଷକ ଡାରେନ୍‌ ଲିମ୍ୟାନ୍‌ ମଧ୍ୟ ସଂପୃକ୍ତ ଥିଲେ। ଲିମ୍ୟାନଙ୍କ ସହ ଓ୍ଵାକି ଟକିରେ କଥା ହୋଇ ପଡ଼ିଆ ଭିତରକୁ ଯିବା ପରେ ପରେ ବନକ୍ରଫ୍ଟ ଏଭଳି କାରନାମା କରିଥିଲେ। ପରେ ସମସ୍ତେ ମିଳିମିଶି ଏଭଳି ଠକେଇ କରିବାକୁ ଯୋଜନା କରିଥିଲେ ବୋଲି ସ୍ମିଥ୍‌ ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର