ବଲ ଟେମ୍ପରିଂ ମାମଲା: ଅଷ୍ଟ୍ରେଲିଆର ଅଧିନାୟକ ପଦ ଛାଡ଼ିଲେ ସ୍ମିଥ, ଉପ ଅଧିନାୟକ ପଦ ହରାଇଲେ ଓ୍ଵାର୍ଣ୍ଣର

ଦକ୍ଷିଣ ଆଫ୍ରିକା ବିରୋଧରେ ଅଷ୍ଟେଲିଆର ୩ୟ ଟେଷ୍ଟ ମ୍ୟାଚ୍‌

କେପ୍‌ଟାଉନ୍‌: ବଲ ଟେମ୍ପରିଂ ବିବାଦ ପରେ ଷ୍ଟିଭ୍‌ ସ୍ମିଥଙ୍କୁ ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ପଦ ଛାଡିବାକୁ ପଡ଼ିଛି। ଏତଦ୍‌ ବ୍ୟତୀତ ଡେଭିଡ ଓ୍ଵାର୍ଣ୍ଣରଙ୍କୁ ମଧ୍ୟ ଦଳର ଉପ ଅଧିନାୟକ ପଦବି ହରାଇବାକୁ ପଡ଼ିଛି। ସ୍ମିଥଙ୍କ ସ୍ଥାନରେ ବର୍ତ୍ତମାନ ଓ୍ଵିକେଟ୍‌କିପର ଟିମ୍‌ ପେନ୍‌ଙ୍କୁ ଅଷ୍ଟ୍ରେଲିଆର ଅଧିନାୟକ ଦାୟିତ୍ୱ ଦିଆଯାଇଛି। କେପ୍‌ଟାଉନ୍‌ ଟେଷ୍ଟର ୪ର୍ଥ ଦିବସ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ୩୩ ବର୍ଷିଅ ଟିମ୍‌ ପେନ୍‌ ଅଷ୍ଟ୍ରେଲିଆର ୪୬ତମ ଟେଷ୍ଟ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି।

କ୍ରିକେଟ୍‌ ଅଷ୍ଟ୍ରେଲିଆର େଓ୍ଵବ୍‌ସାଇଟ୍‌ରେ ଜାରି ହୋଇଥିବା ସୂଚନା ଅନୁସାରେ ଟିମ୍‌ ପେନ୍‌ ୩ୟ ଟେଷ୍ଟ ମ୍ୟାଚ୍‌ର ଶେଷ ୨ ଦିନ ପାଇଁ (ରବିବାର ଓ ସୋମବାର) ପାଇଁ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଚଳିତ ଟେଷ୍ଟ ମ୍ୟାଚ୍‌ର ଶେଷ ୨ ଦିନ ସ୍ମିଥ ଓ ଓ୍ଵାର୍ଣ୍ଣର ସାଧାରଣ ଖେଳାଳି ଭାବରେ ପଡ଼ିଆରେ ରହିବେ।

କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେମ୍ସ ସଦରଲ୍ୟାଣ୍ଡ କହିଛନ୍ତି, ସ୍ମିଥ ଓ ଓ୍ଵାର୍ଣ୍ଣରଙ୍କ ସହିତ ଆଲୋଚନା ପରେ ଉଭୟ ୩ୟ ଟେଷ୍ଟ ମ୍ୟାଚ୍‌ରେ ନିଜର ଦାୟିତ୍ୱ ଛାଡିଛନ୍ତି। ସଦରଲ୍ୟାଣ୍ଡ କହିଛନ୍ତି, ଏହି ଟେଷ୍ଟ ମ୍ୟାଚକୁ ଜାରି ରଖିବା ଜରୁରୀ ଅଛି। ଆମେ ଘଟଣାର ଯାଞ୍ଚ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର