‌ନେଦରଲାଣ୍ଡ୍ସରେ ଫସିଛନ୍ତି ବାଲ୍ମିକୀ ଓ ହରଜିତ୍‌

ନୂଆଦିଲ୍ଲୀ: ନେଦରଲଣ୍ଡ୍ସରେ କ୍ଲବ୍ ହକି ଖେଳୁଥିବା ଭାରତୀୟ ହକି ତାରକା ଦେବେନ୍ଦ୍ର ବାଲ୍ମିକୀ ଓ ହରଜିତ ସିଂହ ସେଠାରେ ଫସି ରହିଛନ୍ତି। ନେଦରଲାଣ୍ଡ୍ସରୁ ସଂପ୍ରତି ଯିବା ଆସିବା ବନ୍ଦ ହୋଇ ଯାଇଥିବାରୁ ‌ଉଭୟ ନା ଘରକୁ ଫେରି ପାରୁଛନ୍ତି, ନା ବାହାରକୁ ବାହାରି ପାରୁଛନ୍ତି। ଆମଷ୍ଟରଡାମ୍ ନିକଟରେ ଥିବା ୱାସେନାର ସହରର ଏକ ଛୋଟିଆ କୋଠରିରେ ରହି ମୁଁ ଜୀବିତ ଥିବା ସ୍ଲୋଗାନ ଲେଖିଛନ୍ତି ବାଲ୍ମିକୀ। ଏହାକୁ ମଧ୍ୟ ସେ ନିଜ ଟ୍ବିଟର ପୃଷ୍ଠାରେ ସ୍ଥାନ ଦେଇଛନ୍ତି। ବାଲ୍ମିକୀ ଓ ହରଜିତ ନେଦରଲାଣ୍ଡ୍ସର ଏଚ୍‌ଜିସି ଦଳ ପକ୍ଷରୁ ପେସାଦାର ହକି ଖେଳୁଥିଲେ। ୟୁରୋପରେ କରୋନା ପାଇଁ ଶୋଚନୀୟ ଅବସ୍ଥା ସୃଷ୍ଟି ହୋଇଥିଲେ ମଧ୍ୟ ନେଦରଲାଣ୍ଡ୍ସରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ ଲେଖିଛନ୍ତି। ଲିଗ୍‌ର ଅନେକ ଖେଳାଳି ତାଙ୍କ ସହ ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲା ବେଳେ ସମସ୍ତେ ମିଳିତ ଭାବେ ଉଠାଇଥିବା ଫଟୋକୁ ମଧ୍ୟ ବାଲ୍ମିକୀ ପ୍ରକାଶ କରିଛନ୍ତି। ଘରକୁ ଫେରିବା ଲାଗି ସେ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିଛନ୍ତି ବୋଲି ମଧ୍ୟ ସୂଚନା ଦେଇଛନ୍ତି। ୨୪ ବର୍ଷୀୟ ହରଜିତ୍ ଭାରତ ପକ୍ଷରୁ ୫୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା ବେଳେ ୨୦୧୬ରେ କନିଷ୍ଠ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ଅଧିନାୟକ ଥିଲେ। ଅନ୍ୟ ପକ୍ଷରେ ବାଲ୍ମିକୀ ଅଲିମ୍ପିକ୍ସ ଭଳି ବୃହତ୍ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରି ସାରିଛନ୍ତି।

ସମ୍ବନ୍ଧିତ ଖବର