ରୋମାଞ୍ଚକ ବିଜୟ: ଶ୍ରୀଲଙ୍କାକୁ ପୁଣି ହରାଇଲା ବାଂଲାଦେଶ

ଭାରତ-ବାଂଲାଦେଶ ଫାଇନାଲ୍‌ ଭେଟ

କଲମ୍ବୋ: ଚଳିତ ନିଦାହାସ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଭାରତ ରବିବାର ଫାଇନାଲରେ ଭେଟିବ ବାଂଲାଦେଶକୁ। ଶୁକ୍ରବାର ‘କର ବା ମର’ ଶେଷ ଲିଗ୍‌ରେ ଘରୋଇ ଶ୍ରୀଲଙ୍କାକୁ ରୋମାଞ୍ଚକ ଭାବେ ୨ ଓ୍ଵିକେଟ୍‌ରେ ହରାଇ ବାଂଲାଦେଶ ଏହି ଯୋଗ୍ୟତା ଅର୍ଜନ କରି ନେଇଛି। ଶେଷ ଓଭରରେ ବିବାଦୀୟ ପରିସ୍ଥିତି ସତ୍ତ୍ୱେ ମହମ୍ମଦୁଲ୍ଲାଙ୍କ ୧୮ ବଲ୍‌ ୪୩* ରନ୍‌ ବଳରେ ହିଁ ବାଂଲାଦେଶ ବିଜୟୀ ହୋଇଥିଲା। କଲମ୍ବୋର ଖେତରାମାସ୍ଥିତ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଶ୍ରୀଲଙ୍କା ପ୍ରଥମରୁ ସଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୪୧ ରନ୍‌ ଭିତରେ ଘରୋଇ ଦଳର ଅଧା (୫) ଖେଳାଳି ପ୍ୟାଭିଲିଅନ୍‌ ଫେରି ଯାଇଥିଲେ। ପ୍ରାରମ୍ଭିକ ଯୋଡ଼ି ଗୁଣତିଳକ (୪), କୁସାଲ ମେଣ୍ଡିଜ୍‌ (୧୧), ଉପୁଲ ଥରଙ୍ଗା (୫), ଦୁଷ୍ମନ୍ତ ଶଣକା (୦) ଏବଂ ଜୀବନ ମେଣ୍ଡିଜ୍‌ (୩) ନିରାଶ କରିବାରୁ ଦଳ ଏହି ଅବସ୍ଥାରେ ପହଞ୍ଚିଥିଲା। ଏହି ସମୟରେ ଏକାଠି ହୋଇଥିବା ଓ୍ଵିକେଟ୍‌ରକ୍ଷକ କୁସାଲ ପେରେରା ଏବଂ ଅଧିନାୟକ ତିସରା ପେରେରା ଦଳକୁ ଚମତ୍କାର ପ୍ରତ୍ୟାବର୍ତନର ସୁଯୋଗ ଦେଇଥିଲେ। ୧୦.୧ ଓଭର ଖେଳି ଷଷ୍ଠ ଓ୍ଵିକେଟ୍‌ ଭାଗୀଦାରିରେ ଏମାନେ ୯୭ ରନ୍‌ ଯୋଡ଼ିବାରୁ ଦଳ ୧୫୦ ଟପି ପାରିଥିଲା। ବାମହାତୀ ଅଧିନାୟକ ତିସରା ପେରେରା (୩୭ ବଲ୍‌ରୁ ୫୮ ରନ୍‌, ୩ ଚୌକା, ୩ ଛକା) ଏବଂ କୁସାଲ ପେରେରା (୪୦ ବଲ୍‌ରୁ ୬୧ ରନ୍‌, ୭ ଚୌକା, ୧ ଛକା) ଅର୍ଧଶତକ ହାସଲ କରିବା ପରେ ଆଉଟ୍‌ ହୋଇଥିଲେ। ଶେଷ ୪ ଓଭରରେ ଶ୍ରୀଲଙ୍କା ୪୯ ରନ୍‌ ଆଦାୟ କରିବାରୁ ୧୫୯ ରନ୍‌ରେ ପହଞ୍ଚି ପାରିଥିଲା। ଉଦାନା ୪ ବଲ୍‌ରୁ ୭* ରନ୍‌ କରିଥିଲେ। ବାଂଲାଦେଶ ପକ୍ଷରୁ ଶେଷ ଦୁଇ ଓଭରରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ମୁସ୍ତାଫିଜୁର ରହମାନ୍‌ (୪-୧-୩୯-୨) ସଫଳତମ ବୋଲର ଥିଲେ। ସକିବ୍‌ ଅଲ୍‌ ହାସନ୍‌, ରୁବେଲ୍‌ ହୋସେନ୍‌, ମେହିଦି ହାସନ୍‌ ମିରାଜ୍‌ ଏବଂ ସୌମ୍ୟ ସରକାର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇ ଶ୍ରୀଲଙ୍କାକୁ ରୋକିଥିଲେ। ଜବାବରେ ତମିମ୍‌ ଇକ୍‌ବାଲ୍‌ଙ୍କ ଅର୍ଧଶତକ (୫୦, ୪୨ ବଲ୍‌, ୪ ଚୌକା, ୨ ଛକା) ଏବଂ ମୁସଫିକର ରହିମ୍‌ (୨୮, ୨୫ ବଲ୍‌, ୨ ଚୌକା)ଙ୍କ ବଳରେ ବାଂଲାଦେଶ ଠିକଣା ପଥରେ ରହିଥିଲା। କିନ୍ତୁ ମଧ୍ୟକ୍ରମ ବିପର୍ଯ୍ୟୟ ସହିତ ଦଳ ଲକ୍ଷ୍ୟରେ ପହଞ୍ଚି ପାରିବ ନାହିଁ ବୋଲି ଆଶଙ୍କା ଜନ୍ମିଥିଲା। ଶେଷକୁ ମହମ୍ମଦୁଲ୍ଲା (୪୩*, ୧୮ ବଲ୍‌, ୩ ଚୌକା, ୨ ଛକା) ଅସମ୍ଭବକୁ ସମ୍ଭବ କରିଥିଲେ। ଶେଷ ଓଭରରୁ ୧୨ ରନ୍‌ ଆବଶ୍ୟକ ଥିବାବେଳେ ପ୍ରଥମ ୨ ବଲ୍‌ରୁ ରନ୍‌ ନ ହୋଇନଥିଲା। ବରଂ ମୁସ୍ତାଫିଜୁର ରନ୍‌ ଆଉଟ୍‌ ହୋଇଯାଇଥିଲେ। ଏହି ସମୟରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ କଥା କଟାକଟି ତୀବ୍ର ରୂପ ନେଇଥିଲା। ବାଂଲାଦେଶ ଅଧିନାୟକ ସକିବ୍‌ ଅଲ୍‌ ହାସନ୍‌ ଅଶୋଭନୀୟ ଭାବେ ଖେଳାଳିଙ୍କୁ ପଡ଼ିଆ ଛାଡ଼ି ଚାଲି ଆସିବାକୁ କହିଥିଲେ। ବାଂଲା ପ୍ରଶିକ୍ଷକ କର୍ଟନୀ ଓ୍ଵାଲ୍‌ସ ବୁଝାଇବା ପରେ ମ୍ୟାଚ୍‌ ହୋଇଥିଲା। ଶେଷକୁ ଉଦାନାଙ୍କୁ ୪,୨,୬ ମାରି ମାହମ୍ମଦୁଲ୍ଲା ବିଜୟ ମୁଣ୍ଡି ମାରିଥିଲେ। ବାଂଲାଦେଶ ଖେଳାଳିମାନେ ମ୍ୟାଚ୍‌ ସାରା ନାଗିନ୍‌ ନୃତ୍ୟ କରି ଘରୋଇ ପ୍ରଶଂସକ ଓ ଖେଳାଳିଙ୍କୁ ତାତ୍ସଲ୍ୟ କରିବା ନିନ୍ଦନୀୟ ଧାରା ଆଣିଥିଲା। ମାହମ୍ମଦୁଲ୍ଲା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ୨୦ ଓଭରରେ ୧୫୯/୭ (କୁସାଲ ପେରେରା-୬୧, ତିସରା ପେରେରା-୫୮, ମୁସ୍ତାଫିଜୁର୍‌ ରହମାନ-୨/୩୯, ସକିବ୍‌ ଅଲ୍‌ ହାସନ୍‌-୧/୯, ମେହିଦି ହାସନ୍‌ ମିରାଜ-୧/୧୬, ସୌମ୍ୟ ସରକାର-୧/୨୧, ରୁବେଲ୍‌ ହୋସେନ୍‌-୧/୪୧)। ବାଂଲାଦେଶ ୧୯.୫ ଓଭରରେ ୧୬୦/୮ (ତମିମ୍‌ ଇକ୍‌ବାଲ୍‌-୫୦, ମାହମ୍ମଦୁଲ୍ଲା-୪୩*, ମୁସଫିକର୍‌ ରହିମ୍‌-୨୮, ଅଖିଳ ଧନଞ୍ଜୟ-୨/୩୭, ଆମିଲା ଆପୋସୋଂ-୧/୧୯, ଦାନୁଷ୍କ ଗୁଣତିଳକ-୧/୨୪ ଜୀବନ ମେଣ୍ଡିଜ୍‌-୧/୨୪, ଇସୁରୁ ଉଦାନା-୧/୨୬)।

ସମ୍ବନ୍ଧିତ ଖବର