ନୂଆଦିଲ୍ଲୀ: ଲଙ୍କା ପ୍ରିମିୟର ଲିଗ୍ ୨୦୨୪ (LPL 2024) ସମୟରେ ଡୋପିଂ ନିୟମ ଉଲ୍ଲଂଘନ କରିଥିବାରୁ ଶ୍ରୀଲଙ୍କା କ୍ରିକେଟ୍ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ନିରୋଶନ ଡିକୱେଲାଙ୍କୁ ନିଲମ୍ବିତ କରାଯାଇଛି। ଗାଲ୍ ମାର୍ଭେଲ୍ସର ଅଧିନାୟକ ଥିବା ଡିକୱେଲା ପ୍ରତିଯୋଗିତାର ନିୟମ ବିରୁଦ୍ଧରେ ଏମିତି କିଛି ଔଷଧ ବ୍ୟବହାର କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତୁରନ୍ତ ପ୍ରଭାବ ସହିତ ଡିକୱେଲାଙ୍କୁ ସମସ୍ତ ପ୍ରକାର କ୍ରିକେଟ୍ ଫର୍ମାଟରୁ ନିଲମ୍ବିତ କରାଯାଇଛି ବୋଲି ଶ୍ରୀଲଙ୍କା କ୍ରିକେଟ୍ (SLC) ନିଶ୍ଚିତ କରିଛି। ଏହି ପରୀକ୍ଷା ଶ୍ରୀଲଙ୍କା ଆଣ୍ଟି-ଡୋପିଂ ଏଜେନ୍ସି (SLADA) ଦ୍ୱାରା ଏଲପିଏଲ ୨୦୨୪ ସମୟରେ କରାଯାଇଥିଲା | ଶ୍ରୀଲଙ୍କା କ୍ରିକେଟ୍ ଏହାର ଅଫିସିଆଲ୍ ବିବୃତ୍ତିରେ କହିଛି ଯେ କ୍ରୀଡା ମନ୍ତ୍ରଣାଳୟ ଏବଂ ଶ୍ରୀଲଙ୍କା କ୍ରିକେଟ୍ ସହଯୋଗରେ ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସି (WADA) ର ନିର୍ଦ୍ଦେଶନାମା ଅନୁଯାୟୀ ଏହି ଡୋପିଂ ପରୀକ୍ଷା କରାଯାଇଛି।

Advertisment

ଶ୍ରୀଲଙ୍କା କ୍ରିକେଟ୍ ଏହାର ବିବୃତ୍ତିରେ କହିଛି - ଡୋପିଂ ଉଲ୍ଲଂଘନରୁ ଖେଳକୁ ସୁରକ୍ଷିତ ରଖିବା ପାଇଁ ଆମେ ଶ୍ରୀଲଙ୍କା ଆଣ୍ଟି-ଡୋପିଂ ଏଜେନ୍ସି ଏବଂ କ୍ରୀଡା ମନ୍ତ୍ରଣାଳୟର ସହଯୋଗରେ ଘରୋଇ ଟୁର୍ନାମେଣ୍ଟରେ ଏହି ପରୀକ୍ଷାଗୁଡ଼ିକୁ କରିଥାଉ। ୩୧ ବର୍ଷୀୟ ନିରୋଶନ୍ ଡିକୱେଲା, ଶେଷ ଥର ପାଇଁ ମାର୍ଚ୍ଚ ୨୦୨୩ରେ ଜାତୀୟ ଦଳ ପାଇଁ ଖେଳିଥିଲେ | ସେ ଚଳିତ ବର୍ଷ ପ୍ରାରମ୍ଭରେ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ଟି -୨୦ ସିରିଜ ପାଇଁ ମନୋନୀତ ହୋଇଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ୍ ଖେଳି ନଥିଲେ। ନିରୋଶନ ଡିକୱେଲା ଶ୍ରୀଲଙ୍କା ପାଇଁ ସମସ୍ତ ଫର୍ମାଟରେ ୱିକେଟକିପିଙ୍ଗ କରିଛନ୍ତି | ସେ ଟେଷ୍ଟ କ୍ରିକେଟ୍ ରେ ୨୭୫୭ ରନ୍, ଦିନିକିଆରେ ୧୬୦୪ ରନ୍ ଏବଂ ଆନ୍ତର୍ଜାତୀୟ ଟି -୨୦ରେ ୪୮୦ ରନ୍ କରିଥିଲେ ।