ରାୟଗଡ଼ା: ବିଦେଶରେ ବାସିବ ମାଳଭୂମିର ବଣମଲ୍ଲୀ। ଥାଇଲାଣ୍ଡ ପ୍ରିମିୟର ଲିଗ୍ ଖେଳି ଓଡ଼ିଶା ତଥା ରାୟଗଡ଼ା ପାଇଁ ଗୌରବ ଆଣିବେ ସୁରେଶ ନାଗ। ଭାରତରୁ ମନୋନୀତ ୬୦ ଖେଳାଳିଙ୍କ ମଧ୍ୟରେ ସୁରେଶ ସ୍ଥାନ ପାଇବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି। ଫେବ୍ରୁଆରି ୨୫ରୁ ୧୩ ଦିନ ଧରି ଥାଇଲାଣ୍ଡରେ ଏହି ଟି-୧୦ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପାଇଁ ଫେବ୍ରୁଆରି ୨୦ରେ ଭାରତରୁ ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରିବେ ସୁରେଶ।
ରାମନାଗୁଡ଼ା ବ୍ଲକ୍ ଗୁଲୁମୁଣ୍ଡା ଗ୍ରାମର ସୁରେଶ ନାଗ। ପିଲାଟି ଦିନରୁ କ୍ରିକେଟ୍ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା। ସୁରେଶଙ୍କ ବାପା କନ୍ତାର ନାଗ ଗୁଣପୁର କେନ୍ଦ୍ରୀୟ ଜଳ ଆୟୋଗ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାମ କରୁଥିଲେ। ୨୦୧୯ ମସିହାରେ ରୋଗରେ ପୀଡ଼ିତ ହୋଇ ତାଙ୍କର ପରଲୋକ ଘଟିଥିଲା। ମା’ ସୁରମା ନାଗ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଛନ୍ତି। ବାପାଙ୍କ ବିୟୋଗ ପରେ ଘର ଚଳିବା କଷ୍ଟକର ହୋଇ ପଡ଼ିଥିଲେ ମଧ୍ୟ ନିଜ ଲକ୍ଷ୍ୟରୁ ଓହରି ନଥିଲେ ସୁରେଶ। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରରେ କ୍ରିକେଟ୍ ଖେଳି ସୁନାମ ଅର୍ଜନ କରିଥିବା କ୍ରିକେଟର୍ ସୁରେଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଖେଳି ମଧ୍ୟ ନାଁ କରିଛନ୍ତି। ନିକଟରେ ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ଅନୁଷ୍ଠିତ ଓଡ଼ିଶା ଗ୍ରାମୀଣ ପ୍ରିମିୟର୍ ଲିଗ୍ରେ ମଧ୍ୟ ଖେଳିଥିଲେ ସୁରେଶ। ଏହାପରେ ଥାଇଲାଣ୍ଡ ପ୍ରିମିୟର ଲିଗ୍ ପାଇଁ ଖେଳାଳି ଚୟନ ପ୍ରକ୍ରିୟା ଆରମ୍ଭ ପରେ ଆବେଦନ କରିଥିଲେ ସୁରେଶ। ମନୋନୟନକାରୀଙ୍କ ଆଗରେ ଭଲ ପ୍ରଦର୍ଶନ କରି ସୁରେଶ ଭାରତୀୟ ଦଳ ସହ ଥାଇଲାଣ୍ଡ ଯିବାକୁ ମନୋନୀତ ହୋଇଛନ୍ତି।
ଥାଇଲାଣ୍ଡରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ୧୦ ଓଭର ବିଶିଷ୍ଟ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରି ଭାରତ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ସୁରେଶ। ଅତି ଗରିବ ପରିବାରର ସୁରେଶ ଆର୍ଥିକ ସ୍ତରରେ ସ୍ବଚ୍ଛଳ ନଥିବାରୁ ଥାଇଲାଣ୍ଡ ଗସ୍ତ ପୂର୍ବରୁ ସହାୟତା ଯୋଗାଇ ଦେବାକୁ ରାୟଗଡ଼ାର ବିଭିନ୍ନ ଅନୁଷ୍ଠାନକୁ ନିବେଦନ କରିଛନ୍ତି। ସୁରେଶଙ୍କ ନିବେଦନ ରକ୍ଷା କରି ଆଜି ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପକ୍ଷରୁ ସୁରେଶଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଇମ୍ଫାର ଉପସଭାପତି (କାର୍ମିକ) କେ.ଭି ରାଓ, ମାନବ ସମ୍ବଳ, ପ୍ରଶାସନିକ ବିଭାଗ ଉପମହାପ୍ରବନ୍ଧକ କଲ୍ଲୋଳ କୁମାର ନାୟକ, ଲୋକ ସଂପର୍କ ବିଭାଗ ବରିଷ୍ଠ ପରିଚାଳକ ଶକ୍ତି ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ସୁରେଶଙ୍କ ପ୍ରତିଭାର ପ୍ରଶଂସା କରିବା ସହ ଥାଇଲାଣ୍ଡ ଗସ୍ତର ସଫଳତା କାମନା କରିଛନ୍ତି।