ଆଇପିଏଲ ୨୦୨୦ : ଡିଭିଲିୟର୍ସଙ୍କ ବିସ୍ଫୋରକ ଇନିଂସ, ହାଇଦ୍ରାବାଦ ଆଗରେ ୧୬୪ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର 

ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୩ୟ ମ୍ୟାଚ ରେ  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର   ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୬୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଏହି ମ୍ୟାଚରେ  ସନରାଇଜର୍ସ ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋରର  ଦୁଇ  ଓପନର  ଦେବଦତ୍ତ ପାଡିକଲ୍ଲ ଓ ଆରନ ଫିଞ୍ଚ୍‌ ସତର୍କତାର ସହ  ଖେଳି ଦଳକୁ ଏକ ଦୃଢ ମୂଳଦୁଆ ପ୍ରଦାନ କରିଥିଲେ । ଦେବଦତ୍ତ ୫୬ ରନ ସଂଗ୍ରହ କରିଥିବାବେଳେ ଫିଞ୍ଚ୍‌ ୨୯ ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର ୯୦ ହୋଇଥିବାବେଳେ ଉଭୟ ଓପନର ପାଭିଲିୟନ ଫେରିଥିଲେ । ୩ୟ ସ୍ଥାନରେ ଖେଳୁଥିବା ଅଧିନାୟକ ବିରାଟ କୋହଲି ମାତ୍ର ୧୪ ରନ କରି ଆଉଟ ହୋଇଥିଲେ । ତେବେ ଆଜି ଅଭିଜ୍ଞ ଏବି ଡିଭିଲିୟର୍ସଙ୍କ ବ୍ୟାଟ ଚମକିଥିଲା । ସେ ମାତ୍ର ୩୦ଟି ବଲ ଖେଳି ୫୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ତାଙ୍କର ଏହି ଧୁଆଁଧାର ଇନିଂସ ପାଇଁ ବାଙ୍ଗାଲୋର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୬୩ ରନ କରିଥିଲା ।

ଆଜିର ମ୍ୟାଚରେ  ବାଙ୍ଗାଲୋର ଦଳରେ  ଅଭିଜ୍ଞ ଓ୍ଵିକେଟ କିପର ପାର୍ଥିବ ପଟେଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିନାହିଁ । ତାଙ୍କ ସ୍ଥାନରେ ଜୋସ ଫିଲିପଙ୍କୁ ଓ୍ଵିକେଟ କିପର ଦାୟିତ୍ୱ ଦିଆଯାଇଛି । ଆଜିର ମ୍ୟାଚଟି ଗତକାଲି ଖେଳାଯାଇଥିବା ପିଚରେ ଖେଳାଯିବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର