ଆଇପିଏଲ : ବାଙ୍ଗାଲୋର ମାତ୍ର ୬୮ରନରେ ଅଲଆଉଟ୍

ମୁମ୍ବାଇ : ବ୍ରାବୋର୍ଣ୍ଣ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୩୬ତମ ମ୍ୟାଚରେ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୬୮ରନରେ ଅଲଆଉଟ ହୋଇଯାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ । ଫଳରେ ହାଇଦ୍ରାବାଦ ଆଗରେ ମାତ୍ର ୬୯ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନମାନେ କୌଣସି କମାଲ ଦେଖାଇପାରିନଥିଲେ । ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଜି ପୁଣି ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ଏହି ଆଉଟ ସହ ତାଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଦଳ ପକ୍ଷରୁ ସୁୟଶ ପ୍ରଭୁଦେଶାଇ ସର୍ବାଧିକ ୧୫ରନ  କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଟି.ନଟରାଜନ ଓ ମାର୍କୋ ଜନସେନ ୩ଟି ଲେଖାଏଁ ଓ ଜଗଦୀଶ ସୁଚିଥ ୨ଟି ଓ୍ବିକେଟ ନେଇଥିଲେ ।

ମାତ୍ର ୬୮ ରନରେ ଅଲଆଉଟ ହେବା ଦ୍ବାରା ବାଙ୍ଗାଲୋର ଦଳର ନେଟ୍ ରନରେଟ ହ୍ରାସ ପାଇବା ଆଶଙ୍କା ରହିଛି । ଦଳ ଏପର୍ଯ୍ୟନ୍ତ ୭ଟି ମ୍ୟାଚରୁ ୫ଟି ବିଜୟ ସହ ୧୦ ପଏଣ୍ଟ ପାଇଛି । ହାଇଦ୍ରାବାଦ ୬ଟି ମ୍ୟାଚରୁ ୪ ବିଜୟ ସହ ୮ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର