ଆଇପିଏଲ୍‌ : ରାଜସ୍ଥାନକୁ ୭ ଓ୍ଵିକେଟରେ ପରାସ୍ତ କଲା ବାଙ୍ଗାଲୋର

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ୍‌ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟରେ ପରାସ୍ତ କରିଛି ।

୧୭୮ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଙ୍ଗାଲୋର ଦଳର ଦୁଇ ଓପନର ଦେବଦତ୍ତ ପଡିକଲ୍ଲ ଓ ଆରୋନ ଫିଞ୍ଚ୍‌ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । କିନ୍ତୁ ଫିଞ୍ଚ୍‌ ମାତ୍ର ୧୪ ରନ କରି ଆଉଟ ହେବା ପରେ ପଡିକଲ୍ଲ ଅଧିନାୟକ ବିରାଟ କୋହଲିଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ବିରାଟ କୋହଲି ୪୩ ରନ କରି କାର୍ତ୍ତିକ ତ୍ୟାଗୀଙ୍କ ବଲରେ ଆଉଟ ହୋଇଥିଲେ । ୪ର୍ଥ ସ୍ଥାନରେ ଆସିଥିବା ଏ.ବି. ଡି’ଭିଲିୟର୍ସ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୨ ବଲରେ ୫୫ ରନ କରିଥିଲେ । ଏହା ଫଳରେ ବାଙ୍ଗାଲୋର ୧୯.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ଚୂଡ଼ାନ୍ତ ସ୍କୋର : ରାଜସ୍ଥାନ ୧୭୭/୬ (୨୦ ଓଭର) ; ବାଙ୍ଗାଲୋର ୧୭୯/୩ (୧୯.୪ ଓଭର)

ଏହି ବିଜୟ ପରେ ବାଙ୍ଗାଲୋର ଦଳ ୯ଟି ମ୍ୟାଚ ଖେଳି ୬ଟିରେ ବିଜୟ ହାସଲ କରିଥିବାବେଳେ ୩ଟିରେ ପରାଜୟ ବରଣ କରିଛି । ଫଳରେ ଦଳ ୧୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ତେବେ ରାଜସ୍ଥାନ ଦଳ ସମାନ ସଂଖ୍ୟକ ମ୍ୟାଚ ଖେଳି ୩ ବିଜୟ ଓ ୬ ପରାଜୟ ସହ ୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର