ବେଙ୍ଗାଲୁରୁ: ଆଇପିଏଲ୍ରେ ଶୁକ୍ରବାର କିଙ୍ଗ୍ସ ଏକାଦଶ ପଞ୍ଜାବକୁ ୪ ଓ୍ଵିକେଟ୍ରେ ହରାଇ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପ୍ରଥମ ବିଜୟ ହାସଲ କରିଛି। ଘରୋଇ ପରିବେଶକୁ ଫେରି ବିରାଟ କୋହଲିଙ୍କ ଦଳ ମଧ୍ୟ ବିଜୟ ଲୟକୁ ଫେରିଛି। ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ନିକଟରୁ ଦଳ ହାରିଯାଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀକୁ ହରାଇ ଅଭିଯାନ ଆରମ୍ଭ କରିଥିବା ପଞ୍ଜାବ ପ୍ରଥମ ପରାଜୟ ବରଣ କରିଛି।
ଶୁକ୍ରବାର ବ୍ୟାଟିଂ ପାଇଁ ଆମନ୍ତ୍ରିତ ପଞ୍ଜାବ ଚଳିତ ଋତୁର ପ୍ରଥମ ଦଳ ଭାବେ ଅଲ୍ ଆଉଟ୍ ହୋଇଥିଲା। ୩ ଓଭରରେ ଦଳ ୩୨ ରନ୍ ସଂଗ୍ରହ କରି ନେଇଥିଲେ ମଧ୍ୟ ଚତୁର୍ଥ ଓଭରରେ ଉମେଶ ଯାଦବଙ୍କ ଅଗ୍ନୀବର୍ଷି ବୋଲିଂ ଆର୍ସିବିକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲା। ଉମେଶ ପ୍ରଥମ ଦୁଇ ବଲରେ ମୟଙ୍କ ଅଗ୍ରଓ୍ଵାଲ, ଅରୋନ୍ ଫିଞ୍ଚ୍ଙ୍କୁ ଆଉଟ୍ କରିଦେବା ପରେ ଯୁବରାଜ ସିଂହ ହ୍ୟାଟ୍ରିକ୍ ବଲ୍କୁ ଏଡ଼ାଇ ଦେଇଥିଲେ। କିନ୍ତୁ ସେହି ଓଭରର ଶେଷ ବଲ୍ରେ ଉମେଶ ଯାଦବ ତାଙ୍କୁ ବୋଲ୍ଡ କରି ଏହି ୬ ବଲ୍ରୁ ୪ ରନ୍ ବିନିମୟରେ ୩ ଓ୍ଵିକେଟ୍ ନେଇ କିଙ୍ଗସ୍ର ରନ ହାରରେ ଅଙ୍କୁଶ ଲଗାଇଥିଲେ। ଲୋକେଶ ରାହୁଲ (୪୭, ୩୦ ବଲ୍, ୨ ଚୌକା, ୪ ଛକା)ଙ୍କ ଆକର୍ଷଣୀୟ ପାଳି ବଳରେ ଦଳ ୫୮ ରନ୍ର ଭାଗୀଦାରି ପାଇଥିଲା। କରୁଣ ନାୟାର (୨୯, ୨୬ ବଲ୍) ଏହି ଭାଗୀଦାରିରେ ନିଜ ଅବଦାନ ରଖିଥିଲେ। ମଧ୍ୟକ୍ରମରେ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କିଙ୍ଗ୍ସ ଏକାଦଶ ୧୫ ଓଭର ବେଳକୁ ୧୨୨/୭ରେ ସଂଘର୍ଷ କରିଥିଲା। ଅଧିନାୟକ ଆର୍ ଅଶ୍ୱିନ୍ (୩୩, ୨୧ ବଲ, ୩ ଚୌକା, ୧ ଛକା)ଙ୍କ ଦ୍ରୁତ ବ୍ୟାଟିଂ କିନ୍ତୁ ପଞ୍ଜାବକୁ ପାରିବା ଭଳି ୧୫୫ ରନ୍ ଦେଇଥିଲା। ଜବାବରେ ବିରାଟ କୋହଲି (୨୧), ବ୍ରେଣ୍ଡନ୍ ମ୍ୟାକ୍ଲମ (୦) ଏବଂ ସର୍ଫରାଜ ଖାନ୍ (୦) ନିରାଶ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକୀୟ ଯୋଡ଼ି କ୍ୱିଣ୍ଟନ୍ ଡି’କକ୍ (୪୫, ୩୪ ବଲ୍, ୭ ଚୌକା, ୧ ଛକା) ଏବଂ ଏବି ଡି’ଭିଲିୟର୍ସ (୫୭, ୪୦ ବଲ୍, ୨ ଚୌକା, ୪ ଛକା) ବାଙ୍ଗାଲୋର୍ ଆଶା କାଏମ ରଖିଥିଲେ। ୧୭ ବର୍ଷୀୟ ଆଫଗାନିସ୍ତାନ ଅଫସ୍ପିନର୍ ମୁଜିବ୍ ଉର୍ ରହମାନ୍ ତାଙ୍କ ପ୍ରଥମ ୩ ଓଭରରେ ୧୦ ରନ୍ ଦେଇଥିଲେ ମଧ୍ୟ ଡି’ଭିଲିୟର୍ସ ତାଙ୍କ ଶେଷ ଓଭରରୁ ୧୯ ରନ୍ ଆଦାୟ କରି ମ୍ୟାଚ୍କୁ ବାଙ୍ଗାଲୋର୍ ସପକ୍ଷକୁ ନେଇ ଆସିଥିଲେ। ଓ୍ଵାସିଂଟନ୍ ସୁନ୍ଦର (୯*, ୪ ବଲ୍) ମୋହିତ ଶର୍ମାଙ୍କ ଶେଷ ଓଭରରେ ୨ ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ। ଉମେଶ ଯାଦବ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍: କିଙ୍ଗ୍ସ ଏକାଦଶ ପଞ୍ଜାବ: ୧୯.୨ ଓଭରରେ ୧୫୫ (ଲୋକେଶ ରାହୁଲ୍-୪୭, ଆର୍ ଅଶ୍ୱିନ-୩୩, କରୁଣ ନାୟାର୍-୨୯, ଉମେଶ ଯାଦବ-୩/୨୩, ଓ୍ଵାସିଂଟନ୍ ସୁନ୍ଦର-୨/୨୨, କୁଲବନ୍ତ ଖେଜରୋଲିୟା-୨/୩୩, କ୍ରିସ୍ ଓ୍ଵକ୍ସ-୨/୩୬, ୟୁଜବେନ୍ଦ୍ର ଚହଲ୍-୧/୩୮)। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍: ୧୯.୩ ଓଭରରେ ୧୫୯/୬ (ଏବି ଡି’ଭିଲିୟର୍ସ-୫୭, କ୍ୱିଣ୍ଟନ୍ ଡି’କକ୍-୪୫, ବିରାଟ କୋହଲି-୨୧, ମନଦୀପ୍ ସିଂହ-୨୧, ଓ୍ଵାସିଂଟନ୍ ସୁନ୍ଦର-୯*, ଆର୍ ଅଶ୍ୱିନ୍-୨/୩୦, ଅକ୍ଷର ପଟେଲ୍-୧/୨୫, ଆଣ୍ଡ୍ରିଉ ଟାଇ-୧/୨୭, ମୁଜିବୁର ରହମାନ-୧/୨୯)।