ଜୟପୁର: ରାଜସ୍ଥାନ ରୟାଲ୍ସକୁ ତା’ ଘରୋଇ ପଡିଆ ସବାଇ ମାନସିଂହ ଷ୍ଟାଡ଼ିୟମ୍ରେ ଲଜ୍ଜାଜନକ ପରାଜୟ ମୁହଁକୁ ଠେଲିଦେଇ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ କରିଛି। ରବିବାର ଅପରାହ୍ଣରେ ଖେଳାଯାଇଥିବା ମ୍ୟାଚ୍ରେ ଫାପ୍ ଡୁ ପ୍ଲେସିସ୍ଙ୍କ ଦଳ ୧୧୨ ରନ୍ର ବଡ଼ ବିଜୟ ପାଇଥିଲା। ଆର୍ସିବି ୧୭୧ ରନ୍ କରିବା ପରେ ରୟାଲ୍ସ ପାଳିକୁ ମାତ୍ର ୫୯ ରନ୍ରେ ଶେଷ କରିଦେଇଥିଲା। ଆର୍ସିବି ଦ୍ବାଦଶ ମ୍ୟାଚ୍ରୁ ଷଷ୍ଠ ବିଜୟ ସହ ପଞ୍ଚମକୁ ଉଠିଛି। ଅନ୍ୟପକ୍ଷରେ କର ବା ମର ମ୍ୟାଚ୍ରେ ହାରିଯିବା ଫଳରେ ସଂଜୁ ସାମସନଙ୍କ ଦଳ ସପ୍ତମ ପରାଜୟ ସହ ପ୍ଲେ ଅଫ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି। ଏହି ଦଳ ହାତରେ ଥିବା ଏକମାତ୍ର ମ୍ୟାଚ୍ରେ ବିଜୟ ସହିତ ଅନ୍ୟ ଦଳର ଫଳାଫଳ ନିଜ ସପକ୍ଷରେ ରହିଲେ ପ୍ରଥମ ସଂସ୍କରଣ ବିଜେତା ରୟାଲ୍ସର କ୍ଷୀଣ ସମ୍ଭାବନା ରହିବ।
ରବିବାର ଫାପ୍ ଡୁ ପ୍ଲେସିସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ। ବିରାଟ କୋହଲି ଏବଂ ଫାପ୍ ଡୁ ପ୍ଲେସିସ୍ ପ୍ରଥମ ପାୱାର ପ୍ଲେରେ ସତର୍କତାର ସହ ଖେଳି କୌଣସି ୱିକେଟ୍ ନ ହରାଇ ୪୨ ରନ୍ ସଂଗ୍ରହ କରିଥିଲେ। ତୃତୀୟ ପରିବର୍ତନରେ ଆସିଥିବା କେଏମ୍ ଅସିଫ୍ଙ୍କ ବଲ୍ରେ ବିରାଟ କୋହଲି ଆଉଟ୍ ହୋଇଯିବା ପରେ ଦୁଇ ଓଭରସିଜ୍ ଖେଳାଳି ଫାପ୍ ଡୁ ପ୍ଲେସିସ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ୬୯ ରନ୍ର ଭାଗୀଦାରି ଗଢ଼ିଥିଲେ। ଡୁ ପ୍ଲେସିସ୍ ୪୧ ବଲ୍ରୁ ଏବଂ ମ୍ୟାକ୍ସୱେଲ୍ ୩୦ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଶେଷ ୫ ଓଭରରେ ରନ୍ ଗତି ବଢ଼ାଇବାକୁ ଯାଇ ଉଭୟ ଆଉଟ୍ ହୋଇଯାଇଥିବା ବେଳେ ଅନୁଜ ରାୱତ ୧୧ ବଲ୍ରୁ ୨୯* ରନ୍ ଉଠାଇବାରୁ ଆର୍ସିବି ୧୭୧ ରନ୍ର ଆହ୍ବାନଭରା ସ୍କୋର୍ ଛିଡ଼ା କରିଥିଲା। ରାଜସ୍ଥାନ ପକ୍ଷରୁ ଆଦାମ ଜାମ୍ପା ଓ କେଏମ୍ ଅସିଫ ୨ ଲେଖାଏଁ ୱିକେଟ୍ ନେଇଥିଲେ।
ଜବାବରେ ଘରୋଇ ରାଜସ୍ଥାନ ରୟାଲ୍ସ କିନ୍ତୁ ପାୱାର ପ୍ଲେ ଭିତରେ ୫ ୱିକେଟ୍ ହରାଇ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେଇଥିଲ। ଇନ୍ ଫର୍ମ ଯଶସ୍ବୀ ଜୟସ୍ବାଲ ଏବଂ ତାଙ୍କ ଓପନିଂ ପାର୍ଟନର୍ ଜୋସ ବଟଲର୍ ଖାତା ଖୋଲି ପାରିନଥିଲେ। ସଂଜୁ ସାସମନ, ଜୋ ରୁଟ୍, ଦେବଦତ୍ତ ପଡ଼ିକଲ ମଧ୍ୟ ସଅଳ ସଅଳ ପ୍ୟାଭିଲିଅନ୍ ବାହୁଡ଼ିଥିଲେ। ସିମ୍ରନ ହେଟମେୟର୍ ୧୯ ବଲ୍ରୁ ୩୫ ରନ୍ କରି କିଛିଟା ଆଶା ଦେଖାଇଥିଲେ ମଧ୍ୟ ଦଳକୁ ପ୍ରତ୍ୟାବର୍ତନ କରିବାର ସୁଯୋଗ ନଥିଲା। ମହମ୍ମଦ ସିରାଜ ପ୍ରଥମ ୱିକେଟ୍ ଦେଇଥିବା ବେଳେ ୱେନ ପାର୍ଣ୍ଣେଲ୍ ନିଜ ପ୍ରଥମ ଓଭରରେ ୨ ୱିକେଟ୍ ସହ ୩-୦-୧୦-୩ ଚମତ୍କାର ବୋଲିଂ ଚିତ୍ର ପାଇଥିଲେ। ଯାହାକି ତାଙ୍କୁ ଚଳିତ ଋତୁରେ ପ୍ରଥମ ଥର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲା। ମାଇକେଲ୍ ବ୍ରେସୱେଲ୍, କର୍ଣ୍ଣ ଶର୍ମା, ଗ୍ଲେନ୍ ମ୍ୟାକ୍ସୱେଲ୍ ଅବଶିଷ୍ଟ ୱିକେଟ୍ ବାଣ୍ଟି ନେବାରୁ ରାଜସ୍ଥାନ ୧୦.୩ ଓଭରରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ୧୧୨ ରନ୍ ବିଜୟ ବ୍ୟବଧାନ ଆର୍ସିବିକୁ କେବଳ ୨ ପଏଣ୍ଟ ନୁହେଁ ଏନ୍ଆର୍ଆର୍ରେ ମଧ୍ୟ ବଡ଼ ସୁଧାର ଆଣିଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/564f65h4sf56hhfhfh.jpg)