ପଞ୍ଜାବ କିଙ୍ଗ୍ସକୁ ହରାଇ ପ୍ଲେ ଅଫ୍‌ରେ ବାଙ୍ଗାଲୋର୍‌

ସାରଜା: ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ହରାଇ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଲଗାତାର ଦ୍ବିତୀୟ ଋତୁ ପାଇଁ ପ୍ଳେ ଅଫ୍‌ ଯୋଗ୍ୟତା ଅର୍ଜନ କରିଛି। ଏଥି ସହ ଦ୍ବିତୀୟ ଚରଣରେ ସଂଘର୍ଷ କରିଥିବା ବିରାଟ କୋହଲିଙ୍କ ଦଳ ଆଶ୍ବସ୍ତ ହୋଇଛି। ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ‌ବାଙ୍ଗାଲୋର୍‌ ୧୬୪ ରନ୍ କରିଥିଲା। ପୁଣି ଥରେ କେଏଲ୍ ରାହୁଲ-ମୟଙ୍କ ଅଗ୍ରୱାଲ ଭଲ ଆରମ୍ଭ (ପ୍ରଥମ ୱିକେଟ୍ ପାଇଁ ୯୧ ରନ୍‌) ଦେବା ସତ୍ତ୍ବେ ପଞ୍ଜାବ ୧୫୮/୬ରେ ସୀମିତ ରହିଯାଇଥିଲା। ଶେଷ ଓଭରରେ କମଳା ଟୋପିଧାରୀ ହର୍ଷଲ ପଟେଲ୍‌ ୧୮ ରନ୍‌କୁ ରୋକି ଦଳକୁ ଏହି ବିଜୟ ଦେଇଥିଲେ। ଦ୍ବାଦଶ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହ ୧୬ ପଏଣ୍ଟ ପାଇ ବାଙ୍ଗା‌ଲୋର୍ ଯୋଗ୍ୟତା ଅର୍ଜନ କରିବା ପରେ ଏବେ ଗୋଟିଏ ପ୍ଲେ ଅଫ୍ ସ୍ଥାନ ପାଇଁ କୋଲକାତା, ମୁମ୍ବାଇ, ରାଜସ୍ଥାନ, ପଞ୍ଜାବ ମଧ୍ୟରେ ଲଢ଼େଇ ହେବ। ପଞ୍ଜାବ ହାତରେ ଏବେ ମାତ୍ର ଗୋଟିଏ ମ୍ୟାଚ୍‌ (ବନାମ ଚେନ୍ନାଇ ସୁପର୍ କିଙ୍ଗ୍ସ, ଅକ୍ଟୋବର ୭) ଥିବାରୁ ବାଦ୍ ପଡ଼ିବା ସମ୍ଭାବନା ଏକପ୍ରକାର ନିଶ୍ଚିତ ହୋଇଛି। ରବିବାର ଦିନବେଳା ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ପାୱାର ପ୍ଲେ ୬ ଓଭର ଭିତରେ ଆର୍‌ସିବି ବିନା କ୍ଷତିରେ ୫୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ‌ ମୋଜେସ୍ ହେନରିକ୍ସ ଲଗାତାର ବଲରେ ବିରାଟ କୋହଲି (୨୫, ୨୪ ବଲ୍‌) ଓ ଡାନ୍ କ୍ରିଷ୍ଟିଆନ୍ (୦)ଙ୍କୁ ଆଉଟ୍ କରିଥିଲେ। ନିଜ ପରବର୍ତୀ ଓଭରରେ ହେନରିକ୍ସ ମଧ୍ୟ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର୍‌ ଦେବଦତ୍ତ ପଡ଼ିକଲ୍ (୪୦, ୩୮)ଙ୍କୁ ଆଉଟ୍ କରି ଆର୍‌ସିବି ଯାତ୍ରାକୁ ରୋକିଥିଲେ। ଶେଷ ଓଭର ପର୍ଯ୍ୟନ୍ତ ଖେଳିଥିବା ଗ୍ଲେନ୍ ମ୍ୟାକ୍ସୱେଲ୍ (୫୭, ୩୩ ବଲ୍, ୩ ଚୌକା, ୪ ଛକା)ଙ୍କ ପାଳି କିନ୍ତୁ ଆର୍‌ସିବିକୁ ସାରଜା ପିଚ୍‌ରେ ଆହ୍ବାନଭରା ସ୍କୋର୍‌ ପ୍ରଦାନ କରିଥିଲେ। ଏବି ଡି’ଭିଲିୟର୍ସ (୨୩, ୧୮ ବଲ୍‌) ମଧ୍ୟ ରନ୍‌ ଆଉଟ୍ ହେବା ପୂର୍ବରୁ ଭଲ ‌ଖେଳିଥିଲେ। ଶେଷ ଓଭରରେ ମହମ୍ମଦ ସାମି ୩ ୱିକେଟ୍ ଦଖଲ କରିବା ବାଙ୍ଗାଲୋରକୁ ଅଧିକ ସ୍କୋର୍‌ରୁ ବଞ୍ଚିତ କରିଥିଲା। ମୋଜେସ୍ ହେନରିକ୍ସ (୪-୦-୧୨-୩) ଏବଂ ମହମ୍ମଦ ସାମି (୪-୦-୩୯-୩) ସଫଳ ବୋଲର ଥିଲେ ମଧ୍ୟ ଜଣେ ମିତ୍ତବ୍ୟୟୀ ଓ ଜଣେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

ଜବାବରେ ପୁଣି ଥରେ କେଏଲ୍ ରାହୁଲ (୩୯, ୩୫ ବଲ୍) ଏବଂ ମୟଙ୍କ ଅଗ୍ରୱାଲ୍ (୫୭, ୪୨ ବଲ୍‌) ପ୍ରଥମ ୱିକେଟ୍‌ ପାଇଁ ୧୦.୪ ଓଭରରେ ୯୧ ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। କିନ୍ତୁ ଅଧିକାଂଶ ଥର ଦଳର ମଧ୍ୟ ଓ ନିମ୍ନକ୍ରମ ନିରାଶ କରିବା ଭଳି ଏଥର ମଧ୍ୟ ସମ ଦଶା ଭୋଗିଥିଲା। ନିକୋଲସ ପୂରନ, ‌ଏଦୈନ ମର୍କରାମ, ସର୍ଫରାଜ ଖାନ୍‌, ସାହରୁଖ ଖାନ୍‌ ବିଶେଷ କିଛି କରିପାରିନଥିଲେ। ୟୁଝବେନ୍ଦ୍ର ଚହଲ୍ (୪-୦-୨୯-୩) ସବୁଠୁ ପ୍ରଭାବୀ ବୋଲିଂ କରି ବାଙ୍ଗାଲୋର୍ ବିଜୟର କର୍ଣ୍ଣଧାର ସାଜିଥିଲେ।

ସମ୍ବନ୍ଧିତ ଖବର