କଟକ, କାକଟପୁର, ଭଦ୍ରକ ବିଜୟୀ

ବାଙ୍ଗାଲୋର ଓପିଏଲ୍‌

ଭୁବନେଶ୍ୱର: ଓଡ଼ିଶା ୟୁଥ୍‌ ବାଙ୍ଗାଲୋର ଆନୁକୂଲ୍ୟରେ ଏଥେନା ସ୍ପୋର୍ଟସ୍‌ କ୍ଲବ୍‌ ପଡ଼ିଆରେ ଚାଲିଥିବା ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌)ର ରବିବାର ତିନିଟି ମ୍ୟାଚ୍‌ରେ କଟକ ବାରବାଟୀ ସୁପର କିଙ୍ଗ୍ସ, କାକଟପୁର ମଙ୍ଗଳା ଓ୍ଵାରିୟର୍ସ ଏବଂ ବ୍ଲାକ୍‌କ୍ୟାପ୍‌ସ ଭଦ୍ରକ ବିଜୟୀ ହୋଇଛନ୍ତି।

ପ୍ରଥମ ମ୍ୟାଚ୍‌ରେ କଟକ ଦଳ ୧୩୨ ରନ୍‌ରେ ବ୍ରହ୍ମପୁର ବ୍ରେଭ୍ସକୁ ପରାସ୍ତ କରିଛି। କଟକ ନିର୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୨୦୪ ରନ୍‌ କରିଥିଲା। ଜବାବରେ ବ୍ରହ୍ମପୁର ଦଳ ୧୭.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୭୨ ରନ୍‌ କରିପାରିଥିଲା। କଟକ ଦଳ ପକ୍ଷରୁ ୨୫ ବଲ୍‌ରୁ ୫୪* ରନ୍‌ କରିଥିବା ରଣଜୀ ତାରକା ସୂର୍ଯ୍ୟକାନ୍ତ ପ୍ରଧାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଦ୍ୱିତୀୟ ମ୍ୟାଚ୍‌ରେ କାକଟପୁର ୨ ରନ୍‌ରେ ସମ୍ବଲପୁରକୁ ପରାସ୍ତ କରିଛି। କାକଟପୁର ୬ ଓ୍ଵିକେଟ୍‌ ହରାଇ ୧୪୨ ରନ୍‌ କରିଥିଲା ବେଳେ ସମ୍ବଲପୁର ନିର୍ଧାରିତ ୨୦ ଓଭର୍‌ରେ ୧୪୦ ରନ୍‌ କରିପାରିଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଉମେଶ ପାଣିଗ୍ରାହୀ (୭ ବଲ୍‌ରୁ ୧୭ ରନ୍‌ ଏବଂ ୨ ଓ୍ଵିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ତୃତୀୟ ମ୍ୟାଚ୍‌ରେ ଭଦ୍ରକ ୩୧ ରନ୍‌ରେ ସୁମୁଖ ରାଉରକେଲାକୁ ହରାଇଛି। ଭ୍ରଦକ ଦଳ ୭ ଓ୍ଵିକେଟ୍‌ ହରାଇ ୧୫୫ ରନ୍‌ କରିଥିଲା। ଜବାବରେ ରାଉରକେଲା ଦଳ ୧୯ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୨୪ ରନ୍‌ କରିପାରିଥିଲା। ଅର୍ଧଶତକ ହାସଲ କରିଥିବା ରଣଜୀ ତାରକା ନଟରାଜ ବେହେରା (୭୪ ରନ୍‌, ୫୦ ବଲ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର