ଭୁବନେଶ୍ୱର: ଓଡ଼ିଶା ୟୁଥ୍ ବାଙ୍ଗାଲୋର ଆନୁକୂଲ୍ୟରେ ଏଥେନା ସ୍ପୋର୍ଟସ୍ କ୍ଲବ୍ ପଡ଼ିଆରେ ଚାଲିଥିବା ଓଡ଼ିଶା ପ୍ରିମିୟର ଲିଗ୍ (ଓପିଏଲ୍) କ୍ରିକେଟ୍ ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ ରବିବାର ଶେଷ ହୋଇଛି। ଲିଗ୍ ପର୍ଯ୍ୟାୟ ଶେଷରେ ୬ ଦଳ ନକ୍ଆଉଟ୍ ତଥା କ୍ୱାର୍ଟର ଫାଇନାଲ୍କୁ ଯୋଗ୍ୟତା ହାସଲ କରିଛନ୍ତି। ଆସନ୍ତା ୨୦ ତାରିଖ କ୍ୱାର୍ଟର ଫାଇନାଲ୍ରେ କଟକ ବାରବାଟୀ-ସମ୍ବଲପୁର ଭିଏସ୍ଏଲ୍, ଭୁବନେଶ୍ୱର ବାଉନ୍ସର୍ସ-ଚିଲିକା ଏକାଦଶ ଏବଂ କେନ୍ଦ୍ରାପଡ଼ା ଡ୍ରାଗନ୍ସ-ଜଗତ୍ସିଂହପୁର କଳିଙ୍ଗାସ୍ ମୁହାଁମୁହିଁ ହେବେ। ଏହି ପର୍ଯ୍ୟାୟର ଶ୍ରେଷ୍ଠ ଦଳ ସିଧାସଳଖ ଫାଇନାଲ୍ ଯୋଗ୍ୟତା ହାସଲ କରିବାକୁ ଥିଲା ବେଳେ ଅବଶିଷ୍ଟ ୨ ବିଜେତା ଦଳ ସେମିଫାଇନାଲ୍ ଖେଳିବେ। ଫାଇନାଲ୍ ୨୧ ତାରିଖରେ ଖେଳାଯାଇ ପ୍ରତିଯୋଗିତା ଉଦ୍ଯାପିତ ହେବ।
ରବିବାର ଖେଳାଯାଇଥିବା ଶେଷ ଦୁଇଟି ଲିଗ୍ ମ୍ୟାଚ୍ରେ ବ୍ରହ୍ମପୁର ବ୍ରେଭ୍ସ ଓ ଭୁବନେଶ୍ୱର ବିଜୟୀ ହୋଇଥିଲେ। ବ୍ରହ୍ମପୁର (୨୦ ଓଭରରେ ୧୫୮/୮) ୧୩ ରନ୍ରେ କେନ୍ଦ୍ରାପଡ଼ା (୧୪୫/୮)କୁ ପରାସ୍ତ କରିଥିଲା ବେଳେ ଭୁବନେଶ୍ୱର (୨୦ ଓଭରରେ ୧୯୬/୨) ୭୯ ରନ୍ରେ କାକଟପୁର ମଙ୍ଗଳା ଓ୍ଵାରିଅର୍ସ (୧୯.୨ ଓଭରରେ ୧୧୭)କୁ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍ରେ ନନ୍ଦୀଶ ରାୟ (୩୫ ବଲ୍ରୁ ୫୧) ଏବଂ ଦ୍ୱିତୀୟ ମ୍ୟାଚ୍ରେ ମଞ୍ଜୁନାଥ ଭି (୭୯ ବଲ୍ରୁ ଅପରାଜିତ ୧୬୦, ୨୦ ଚୌକା, ୯ ଛକା) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।