ବେଙ୍ଗାଲୁରୁ/କୋଲ୍କାତା : ଚଳିତ ଆଇପିଏଲ୍ରେ ରବିବାର ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁରେ ଅପରାହ୍ଣ ୩.୩୦ରେ ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଘରୋଇ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହାପରେ ୭.୩୦ରେ କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଘରୋଇ କୋଲ୍କାତା ନାଇଟ୍ ରାଇଡର୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ।
ସଂପ୍ରତି ରାଜସ୍ଥାନ ୬ ମ୍ୟାଚ୍ ଖେଳି ୪ ବିଜୟରୁ ୮ ପଏଣ୍ଟ ପାଇଥିଲା ବେଳେ ଆର୍ସିବି ସମାନ ମ୍ୟାଚ୍ ଖେଳି ୩ ଲେଖାଏଁ ବିଜୟ ଓ ପରାଜୟ ସହ ୬ ପଏଣ୍ଟ୍ ପାଇଛି। ଟେବୁଲର ଶୀର୍ଷରେ ଥିବା ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ଗତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ଠୁ ପରାଜିତ ହୋଇଥିଲା। ୧୫୫ ରନ୍ର ବଜୟ ଲକ୍ଷ୍ୟକୁ ପିଛା କରୁଥିବା ଏହି ଦଳ ପାଇଁ ଓପନର୍ ଯଶସ୍ବୀ ଜୟସ୍ବାଲ (୪୪) ଓ ଜୋସ ବଟଲର (୪୪) ୧୧.୩ ଓଭରରେ ୮୭ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ହେଲେ ମଧ୍ୟକ୍ରମର ବିଫଳତା ପାଇଁ ଦଳ ୧୦ ରନ୍ ପଛରେ ପଡ଼ି ଯାଇଥିଲା। ଯଶସ୍ବୀ ଓ ବଟଲର ଚଳିତ ଆଇପଏଲ୍ର ଶ୍ରେଷ୍ଠ ଓପନିଂ ଯୋଡ଼ି ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ଏମାନଙ୍କ ପ୍ରଦର୍ଶନ ଭଲ ରହିଥିଲା ବେଳେ ମଧ୍ୟକ୍ରମ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ସାମସନ ଓ ହେଟମେୟର ରନ୍ କରୁଛନ୍ତି ହେଲେ ସ୍ଥିରତା ରଖୁନାହାନ୍ତି। ଦେବଦତ୍ତ ପଡ଼ିକଲ ଓ ରିୟାନ ପରାଗ ଅଶା ଅନୁଯାୟୀ ଖେଳିପାରୁନାହାନ୍ତି। ଅଭିଜ୍ଞ ଟ୍ରେଣ୍ଟ ବୋଲ୍ଟ ଓ ସନ୍ଦୀପ ଶର୍ମାଙ୍କୁ ନେଇ ରାଜସ୍ଥାନ ଓପନିଂ ବୋଲିଂ ଲାଇନ୍କୁ ଦୃଢ଼ ରଖିଛି। ସ୍ପିନ୍ରେ ରବିଚନ୍ଦ୍ରନ ଅଶ୍ବିନ ଭଲ କରୁଥିଲା ବେଳେ ୟୁଝବେନ୍ଦ୍ର ଚହଲ ମହଙ୍ଗା ରହୁଛନ୍ତି।
ଅନ୍ୟପକ୍ଷରେ ରାଜସ୍ଥାନ ଭଳି ବାଙ୍ଗାଲୋରର ଓପନର୍ ଫାଫ ଡୁ’ପ୍ଲେସିସ ଓ ବିରାଟ କୋହଲି ମଧ୍ୟ ଭଲ ଆରମ୍ଭ କରୁଛନ୍ତି। ଏହି ଯୋଡ଼ି ଏପର୍ଯ୍ୟନ୍ତ ଦୁଇଟି ଶତକୀୟ ଭାଗୀଦାରି ଗଢ଼ି ସାରିଲେଣି। ଉଭୟ ୪ ଅର୍ଦ୍ଧଶତକ ମଧ୍ୟ ମାରି ସାରିଲେଣି। ଗ୍ଲେନ୍ ମ୍ୟକ୍ସୱେଲ ବିସ୍ପୋରକ ମଧ୍ୟ ଖେଳୁଛନ୍ତି। ମଧ୍ୟକ୍ରମରେ ଦୀନେଶ କାର୍ତ୍ତିକ, ମହିପାଲ ଲୋମରୋର, ଶାହବାଜ ଅହମଦ ଓ ସୂୟାଶ ପ୍ରଭୂଦେଶାଇଙ୍କଠୁ ଦଳ ରନ୍ ଆଶା ରଖିଛି। ବୋଲିଂରେ ମହମ୍ମଦ ସିରାଜ ପୂରା ଫର୍ମରେ ଅଛନ୍ତି। ସେ ୬ ମ୍ୟାଚ୍ ଖେଳି ୧୨ ୱିକେଟ୍ ନେଲେଣି। ତାଙ୍କୁ ସହଯୋଗ କରୁଛନ୍ତି ୱେନ୍ ପାର୍ନେଲ ଓ ହର୍ଷଲ ପଟେଲ। ପାର୍ନେଲ ୪ ମ୍ୟାଚ୍ରୁ ଏବଂ ହର୍ଷଲ ୬ ମ୍ୟାଚ୍ରୁ ୮ ୱିକେଟ୍ ଲେଖାଏଁ ପାଇଛନ୍ତି। ହେଲେ ଦୁଇ ବୋଲର ଅଧିକ ରନ୍ ଦେଉଛନ୍ତି। ଆଗାମୀ ମ୍ୟାଚ୍ରେ ଏମାନଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ପଡ଼ିବ। ସ୍ପିନର ୱାନିନ୍ଦୁ ହସରଙ୍ଗା ପ୍ରଭାବଶାଳୀ ରହିଛନ୍ତି।
ଆର୍ସିବି ଓ ଗୁଜରାଟ ଟାଇଟାନ୍ସକୁ ହରାଇବା ପରେ ନୀତୀଶ ରାଣାଙ୍କ ନେତୃତ୍ବଧୀନ କେକେଆର୍ ଲଗାତାର ହ୍ୟାଟ୍ରିକ ପରାଜୟ ବରଣ କଲାଣି। ମୋଟ ୪ ପରାଜୟ ଚଳିତ ସଂସ୍କରଣରେ ସଂଘର୍ଷ କରୁଥିବା ଦଳ ପଞ୍ଜାବ କିଙ୍ଗ୍ସ, ସନ୍ରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସଠୁ ବରଣ କରିଛି। ଫଳରେ କେକେଆର୍ ୬ ମ୍ୟାଚ୍ରୁ ୨ ଜିତି ୪ ପଏଣ୍ଟ ସହ ଟେବୁଲର ଅଷ୍ଟମରେ ରହିଛି। ଦିଲ୍ଲୀ ବିପକ୍ଷ ଗତ ମ୍ୟାଚ୍ରେ ୧୨୭ ରନ୍କୁ ପିଛା କରୁଥିବା ଏହି ଦଳ ଚଳିତ ସଂସ୍କରଣରେ ସବୁଠୁ ଖରାପ ବ୍ୟାଟିଂ କରି ପରାଜିତ ହୋଇଥିଲା। ଆଫ୍ଗାନିସ୍ତାନ ବ୍ୟାଟର୍ ଗୁର୍ବାଜ ରହମନୁଲାଙ୍କ ବଦଳରେ ଓପ୍ନର ଭାବେ ଲିଟନ ଦାସକୁ ଆଣିଥିଲା। ହେଲେ ଏହି ୱିକେଟରକ୍ଷକ ବ୍ୟାଟର୍ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ବ୍ୟାଟିଂ ସହ ଅକ୍ଷର ପଟେଲ ଓ ଜୟନ୍ତ ଯାଦବଙ୍କ ବୋଲିଂରେ ଦୁଇଟି ଷ୍ଟମ୍ପିଂ ହାତଛଡ଼ା କରିଥିଲେ। ଫଳରେ ଦିଲ୍ଲୀ ୪ ୱିକେଟ୍ରେ ବିଜୟୀ ହୋଇଥିଲା।
ଇଡେନ୍ ଗାର୍ଡେନ୍ସରେ ଘରୋଇ ଦଳ ଖେଳୁଥିଲେ ମଧ୍ୟ ଦର୍ଶକଙ୍କ ସମର୍ଥନ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ରହିବାର ସମ୍ଭାବନା ରହିଛି। ଗତ ଥର ମଧ୍ୟ ଏଠାକାର ଦର୍ଶକ ୭ ନମ୍ବର ହଳଦିଆ ଜର୍ସି ପିନ୍ଧି ଧୋନିଙ୍କୁ ପୂରା ସମର୍ଥନ ଦେଇଥିଲେ। ଏହି ସମର୍ଥନ କୋଲ୍କାତା ଅଧିନାୟକ ନୀତୀଶ ରାଣାଙ୍କ ମନୋବଳ ଭାଙ୍ଗିବାର ସମ୍ଭାବନା ରହିଛି। ୪ ଥରର ବିଜେତା ଚେନ୍ନାଇ ୬ ମ୍ୟାଚ୍ରୁ ୪ ବିଜୟ ସହ ୮ ପଏଣ୍ଟ ପାଇଛି। ଏହି ଦଳ କେବଳ ଟାଇଟାନ୍ସ ଓ ରୟାଲ୍ସଠୁ ହାରିଛି। ଗତ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ଓପନିଂ ଯୋଡ଼ି ଡେଭନ କନୱେ ଓ ଋତୁରାଜ ଗାଏକ୍ବାଡ ୬୬ ବଲ୍ରେ ୮୭ ରନ୍ର ଭାଗୀଦାରି ଗଢ଼ି ଦଳକୁ ୭ ୱିକେଟ୍ରେ ବିଜୟ ଦେଇଥିଲେ। କନୱେ ୭୭ ରନ୍ର ଅପରାଜିତ ପାଳି ଖେଳିଥିଲେ। ସ୍ପିନ୍ ତ୍ରିମୂର୍ତ୍ତି ମୋଇନ ଅଲୀ, ରବୀନ୍ଦ୍ର ଜାଦେଜା ଓ ମହେଶ ତୀକ୍ଷ୍ଣାଙ୍କୁ ନେଇ ଦଳର ବୋଲିଂ ଲାଇନ୍ ଦୃଢ଼ ରହିଛି।