ବିଜୟ ଛଡ଼ାଇନେଲା ବାଙ୍ଗାଲୋର, ପାଞ୍ଚ ବର୍ଷରେ ମ୍ୟାକ୍ସୱେଲ୍‌ଙ୍କ ପ୍ରଥମ ଅର୍ଦ୍ଧଶତକ

ଚେନ୍ନାଇ: ୧୫୦ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ପିଛା କରି ୧୩ ଓଭରରେ ୨ ୱିକେଟ୍ ହରାଇ ୯୬ ରନ୍ କରି ନେଇଥିଲା ସନ୍‌ରାଇଜର୍ସ ହାଇଦ୍ରାବାଦ। ଅଧିନାୟକ ଡେଭିଡ୍ ୱାର୍ଣ୍ଣର (୫୪)ଙ୍କ ସହ ମନୀଷ ପାଣ୍ଡେ (୩୮) ଧୂଆଁଧାର ବ୍ୟାଟିଂ କରୁଥିଲେ। ସନ୍‌ରାଇଜର୍ସ ଶିବିରରେ ଆନନ୍ଦ ଉଲ୍ଲାସ ଭରି ରହିଥିଲା ବେଳେ ପ୍ରତିପକ୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଘୋର ଚିନ୍ତାରେ ଥିଲା। ସମସ୍ତେ ଭାବୁଥିଲେ ସନ୍‌ରାଇଜର୍ସ ହିଁ ସହଜ ବିଜୟ ହାସଲ କରିବ। ମ୍ୟାଚ୍ କିନ୍ତୁ ହଠାତ୍ ନାଟକୀୟ ମୋଡ଼ ନେଲା। ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସନ୍‌ରାଇଜର୍ସ ମାତ୍ର ୪୬ ରନ୍‌ ଭିତରେ ୯ ୱିକେଟ୍ ହରାଇ ବିଜୟ ହାତଛଡ଼ା କଲା। ଅନ୍ୟପକ୍ଷରେ ଆର୍‌ସିବି ୬ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନକୁ ଉଠିଲା। ସ୍ତବ୍ଧ ସନ୍‌ରାଇଜର୍ସ ବିଜୟ ଖାତା ଖୋଲିବାରୁ ବଞ୍ଚିତ ହେଲା। ପାଞ୍ଚବର୍ଷ ପରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବା ଗ୍ଲେନ୍ ମ୍ୟାକ୍ସୱେଲ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଚଳିତ ଆଇପିଏଲ୍‌ର ଏହି ଷଷ୍ଠ ମ୍ୟାଚ୍‌ ଏକପ୍ରକାର ସନ୍‌ରାଇଜର୍ସ ହାତ ମୁଠାରେ ଥିଲା। ହେଲେ ୱାର୍ଣ୍ଣରଙ୍କୁ ଚର୍ତୁଦଶ ଓଭରରେ ଡାନ୍ କ୍ରିଷ୍ଟିଆନଙ୍କ ହାତରେ କ୍ୟାଚ୍ କରାଇ କାଇଲ ଜାମିସନ୍ ବାଙ୍ଗାଲୋରକୁ କିଛିଟା ଆଶା ଦେଇଥିଲେ। ଟାଇମ୍ ଆଉଟ୍ ପରେ ଆର୍‌ସିବି ରଣନୀତି ବଦଳାଇ ସାହାବାଜ ଅହମ୍ମଦଙ୍କୁ ବୋଲିଂ ଦେବା କିନ୍ତୁ ମ୍ୟାଚ୍‌ର ଗତିପଥକୁ ସଂପୂର୍ଣ୍ଣ ବ ‌ଦେଇଥିଲା। ଲଗାତାର ବଲ୍‌ରେ ଜନି ବେୟାରଷ୍ଟୋ ଓ ମନୀଷ ପାଣ୍ଡେଙ୍କୁ ଆଉଟ୍ କରିବା ସହ ଗୋଟିଏ ଓଭରରେ ତିନିଟି ୱିକେଟ୍ ନେଇ ଅହମ୍ମଦ ମ୍ୟାଚ୍‌ରେ ଉତ୍କଣ୍ଠା ଭରି ଦେଇଥିଲେ। ହଠାତ୍ ସନ୍‌ରାଇଜର୍ସର ଚମକ ଫିକା ପଡ଼ିବା ସହ ଦଳ ଲଗାତାର ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଅଲରାଉଣ୍ଡର ଜାସନ ହୋଲ୍ଡର, ବିଜୟ ଶଙ୍କର ଶସ୍ତାରେ ଆଉଟ୍ ହେବା ପରେ ଶେଷ ଓଭରରୁ ସନ୍‌ରାଇଜର୍ସକୁ ୧୬ ରନ୍‌ ଦରକାର ଥିଲା। ହର୍ଷଲ ପଟେଲଙ୍କ ଏହି ଘଟଣା ବହୁଳ ଓଭରରେ ଏକ ନୋ ବଲ୍ ମିଳିବା ସତ୍ତ୍ବେ ଆଉ ଦୁଇଟି ୱିକେଟ୍ ହରାଇ ସନ୍‌ରାଇଜର୍ସ ୧୪୩/୯ରେ ଅଟକି ଯାଇଥିଲା। ଶେଷ ପର୍ଯ୍ୟନ୍ତ ଆତ୍ମବିଶ୍ବାସ ନହରାଇ ସନ୍‌ରାଇଜର୍ସ ପଞ୍ଝାରୁ ଆର୍‌ସିବି ଏକପ୍ରକାର ବିଜୟ ଛଡ଼ାଇ ନେଇଥିଲା। ଉଭୟ ଦଳ ନିଜ ନିଜର ଦ୍ବିତୀୟ ମ୍ୟାଚ୍ ଖେଳୁଥିଲା ବେଳେ ଆର୍‌ସିବି ଦ୍ବିତୀୟ ବିଜୟ ଏବଂ ସନ୍‌ରାଇଜର୍ସ ଦ୍ବିତୀୟ ପରାଜୟ ପାଇଥିଲା।

ପାଞ୍ଚ ବର୍ଷରେ ମ୍ୟାକ୍ସୱେଲ୍‌ଙ୍କ ପ୍ରଥମ ଅର୍ଦ୍ଧଶତକ
ଗତଋତୁରେ ଅତ୍ୟନ୍ତ ଦୁର୍ବଳ ବ୍ୟାଟିଂ କରି ୧୩ ପାଳିରୁ ମାତ୍ର ୧୦୮ ରନ୍ କରିଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍‌ ଗ୍ଲେନ୍ ମ୍ୟାକ୍ସୱେଲ୍‌ ଏଥର ତାଙ୍କ ଅସଲ ଦକ୍ଷତାର ପରିଚୟ ଦେଉଛନ୍ତି। ଏତେ ଖରାପ ପ୍ରଦର୍ଶନ ସତ୍ତ୍ବେ ଚଳିତବର୍ଷର ଆଇପିଏଲ୍ ନିଲାମରେ ତାଙ୍କୁ ଅବିଶ୍ବସନୀୟ ଭାବେ ୧୪.୨୫ କୋଟି ଟଙ୍କାରେ ଆରସିବି କିଣିବାର ସମ୍ମାନ ବି ରଖୁଛନ୍ତି। ଅଧିନାୟକ ବିରାଟ କୋହଲି ତାଙ୍କ ଉପରେ ଯେଉଁ ଆସ୍ଥା ପ୍ରକଟ କରିଥିଲେ ତାକୁ ପାଞ୍ଚ ବର୍ଷ ଓ ୪୦ ପାଳି ପରେ ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରି ସାର୍ଥକ କରିଛନ୍ତି ମ୍ୟାକ୍ସୱେଲ।

ବୁଧବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଆର୍‌ସିବିର ତାରକା ଖେଳାଳିମାନେ ଜଣକ ପରେ ଜଣେ ପ୍ୟାଭିଲିୟନ ଫେରୁଥିଲା ବେଳେ ମ୍ୟାକ୍ସୱେଲ୍ ଏକାକି ବିସ୍ଫୋରକ ବ୍ୟାଟିଂ କରି ୪୧ ବଲ୍‌ରୁ ୫ ଚୌକା ଓ ୩ ଛକା ବଳରେ ୫୯ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ସେ ହିଁ ଦଳ ପକ୍ଷରୁ ସର୍ବୋ‌ଚ୍ଚ ବ୍ୟକ୍ତିଗତ ରନ୍ କରିଥିଲେ। ‌ତାଙ୍କ ପାଇଁ ଶେଷ ୩ ଓଭରରୁ ୩୯ ରନ୍ ଅମଳ କରି ଆର୍‌ସିବି ୧୪୯/୮ର ସମ୍ମାନଜନକ ସ୍କୋର କରି ପାରିଥିଲା। ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଜାସନ ହୋଲ୍ଡର (୪-୦-୩୦-୩)ଙ୍କୁ ଖେଳାଇବା ସନ୍‌ରାଇଜର୍ସ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଥିଲା। ଆଫଗାନ ସ୍ପିନର ରସିଦ ଖାନ୍ ମଧ୍ୟ ଅତ୍ୟନ୍ତ ମିତବ୍ୟୟୀ ବୋଲିଂ କରି ୪ ଓଭରରେ ୧୮ ରନ୍ ଦେଇ ୨ ୱିକେଟ୍ କରାୟତ୍ତ କରିଥିଲେ। ହେଲେ ଶେଷରେ ଏସବୁ ବେକାର ଯାଇଥିଲା।

ସମ୍ବନ୍ଧିତ ଖବର