ଆବୁ ଧାବି: ବୁଧବାର ଚଳିତ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ର ୩୯ତମ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇପିଏଲ୍ରେ ନୂଆ କୀର୍ତ୍ତିମାନ ରଚିଥିଲେ। ଆଇପିଏଲ୍ ଇତିହାସରେ ୨ ମେଡେନ୍ ନେବାରେ ସେ ପ୍ରଥମ ବୋଲର ହୋଇଥିଲେ। କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ସେ ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିବା ସହିତ ୪-୨-୮-୩ର ବୋଲିଂ ଚିତ୍ର ପାଇଥିଲେ। ତାଙ୍କର ଏହି ଘାତକ ବୋଲିଂ ସାଙ୍ଗକୁ ସ୍ପିନର ୟୁଜ୍ବେନ୍ଦ୍ର ଚହଲ ଏବଂ ୱାସିଂଟନ୍ ସୁନ୍ଦରଙ୍କ ଦମ୍ଦାର ବୋଲିଂ ବଳରେ ବାଙ୍ଗାଲୋର ମଧ୍ୟ ଅତି ସହଜ ବିଜୟ ହାସଲ କରିନେଲା। ଏହି ଦଳ ୩୯ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ କୋଲ୍କାତାକୁ ପରାସ୍ତ କରିଦେଲା। ସିରାଜ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥି ସହିତ ଦଶମ ମ୍ୟାଚ୍ରୁ ସପ୍ତମ ବିଜୟ ସହ ବାଙ୍ଗାଲୋର ମଧ୍ୟ ପଏଣ୍ଟ ତାଲିକାର ଚତୁର୍ଥରୁ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ୧୪ ପଏଣ୍ଟ ପାଇଁ ବିରାଟ କୋହଲିଙ୍କ ଏହି ଦଳ ପ୍ଲେ-ଅଫ୍ ସ୍ଥାନ ପାଇଁ ସ୍ଥିତି ମଜବୁତ୍ କରିନେଇଛି। ମୁମ୍ବାଇ ଇଣ୍ଡିଆନ୍ସ ଦ୍ବିତୀୟରୁ ତୃତୀୟକୁ ଖସିଯାଇଥିଲା ବେଳେ ପରାଜୟ ସତ୍ତ୍ବେ କୋଲ୍କାତା ଚତୁର୍ଥ ସ୍ଥାନ ବଜାୟ ରଖିଛି।
କୋଲ୍କାତା ଦେଇଥିବା ୮୫ ରନ୍ର ଛୋଟିଆ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବାଙ୍ଗାଲୋର ପାଇଁ ଦେବଦତ୍ତ ପଡ଼ିକଲ (୨୫) ଏବଂ ଆରୋନ୍ ଫିଞ୍ଚ୍ (୧୬) ଭଲ ଆରମ୍ଭ କରିଥିଲେ। ଦୁହେଁ ପାୱାର ପ୍ଲେ’ରେ ୪୪ ରନ୍ ଯୋଡ଼ିଥିଲେ। ତେବେ ସପ୍ତମ ଓଭରରେ ଉଭୟ ଫିଞ୍ଚ୍ ଓ ପଡ଼ିକଲ ଆଉଟ୍ ହୋଇଯାଇଥିଲେ। ଫିଞ୍ଚ୍ଙ୍କୁ ଫର୍ଗୁସନ୍ ଶିକାର କରିଥିଲା ବେଳେ ଦୁଇଟି ବଲ୍ ବ୍ୟବଧାନରେ ପଡ଼ିକଲ ରନ୍ ଆଉଟ୍ ହୋଇଯାଇଥିଲେ। ହେଲେ ଗୁରକୀରଟ ସିଂହ ଏବଂ ଅଧିନାୟକ ବିରାଟ କୋହଲି ଆଉ କୌଣସି କ୍ଷତି ଘଟିବାକୁ ନଦେଇ ବିଜୟ ମୁଣ୍ଡି ମାରିଥିଲେ। ଦୁହେଁ ଅସମାପ୍ତ ତୃତୀୟ ୱିକେଟ୍ରେ ୩୯ ରନ୍ ଯୋଡ଼ିନେବାରୁ ବାଙ୍ଗାଲୋର ୧୩.୩ ଓଭରରେ ୮୫/୨ରେ ପହଞ୍ଚି ଯାଇଥିଲା। ଫଳରେ କୋଲ୍କାତା ୮ ୱିକେଟ୍ରେ ପରାଜୟ ବରଣ କରିଥିଲା।
ବ୍ୟାଟିଂ ପାଇଁ ଅତି କଷ୍ଟକର ଏହି ପିଚ୍ରେ ଟସ୍ ଜିତି କୋଲ୍କାତା ଅଧିନାୟକ ଇଅନ୍ ମୋର୍ଗାନ୍ ପ୍ରଥମେ ବ୍ୟାଟିଂ ନେଇଥିଲେ। କୋଲ୍କାତା ଦୁଇଟି ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ଅଲ୍ରାଉଣ୍ଡର ଆନ୍ଦ୍ରେ ରସେଲ ଏବଂ ଶିଭମ୍ ମାଭିଙ୍କୁ ବାଦ୍ ଦେଇ ଟମ୍ ବଣ୍ଟନ ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ସାମିଲ କରିଥିଲା। ଅନ୍ୟପକ୍ଷରେ ବାଙ୍ଗାଲୋର ଏକମାତ୍ର ପରିବର୍ତନ କରିଥିଲା। ସାହବାଜ୍ ଅହମ୍ମଦଙ୍କ ସ୍ଥାନରେ ମହମ୍ମଦ ସିରାଜ୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ଖେଳାଇଥିଲା। ତେବେ ମୋର୍ଗାନ୍ଙ୍କ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତିକୁ ବାଙ୍ଗାଲୋର ବୋଲରମାନେ ଆରମ୍ଭରୁ ଭୁଲ୍ ପ୍ରମାଣିତ କରି ଦେଇଥିଲେ। ବିଶେଷକରି ସିରାଜ୍ ହିଁ କୋଲ୍କାତା ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ। ଏହି ଦ୍ରୁତ ବୋଲର ତାଙ୍କ ପ୍ରଥମ ଓଭରରେ ହିଁ କୋଲ୍କାତାକୁ ଯୁଗଳ ଝଟ୍କା ଦେଇଥିଲେ। ଓଭରର ତୃତୀୟ ବଲ୍ରେ ରାହୁଲ ତ୍ରିପାଠୀ ଏବଂ ଚତୁର୍ଥ ବଲ୍ରେ ନୀତୀଶ ରାଣାଙ୍କୁ ପାଭିଲିୟନ୍ ପଠାଇ ହ୍ୟାଟ୍ରିକ୍ ସୁଯୋଗ ସୃଷ୍ଟି କରିଥିଲେ। ଅବଶ୍ୟ ବଣ୍ଟନ ଏହା କରାଇ ଦେଇନଥିଲେ। ଦ୍ବିତୀୟ ଓଭରରେ ଦୁଇଟି ପରେ ଚତୁର୍ଥ ଓଭର ବେଳକୁ ଆଉ ଦୁଇଟି ୱିକେଟ୍ ହରାଇ କୋଲ୍କାତା ଘୋର ସଂକଟରେ ପଡ଼ିଯାଇଥିଲା। ଶୁବମନ୍ ଗିଲ୍ଙ୍କୁ ନଭ୍ଦୀପ ସୈନି ଆଉଟ୍ କରିଦେବା ପରେ ବଣ୍ଟନଙ୍କୁ ସିରାଜ ନିଜର ତୃତୀୟ ଶିକାର କରିନେଇଥିଲେ। ଏହାପରେ ସ୍ପିନର ୟୁଜ୍ବେନ୍ଦ୍ର ଚହଲ ଓ ୱାସିଂଟନ୍ ସୁନ୍ଦର କୋଲ୍କାତା ବ୍ୟାଟ୍ସମ୍ୟାନ୍ଙ୍କୁ ବାନ୍ଧି ରଖିଥିଲେ। ଦୀନେଶ କାର୍ତିକ ଏବଂ ପାଟ କମିନସଙ୍କୁ ଚହଲ ଆଉଟ୍ କରିଦେଇଥିଲା ବେଳେ ମୋର୍ଗାନ୍ଙ୍କୁ ସୁନ୍ଦର ଶିକାର କରିଥିଲେ। ମିଳିତ ବୋଲିଂ ବାହିନୀର ସାମ୍ନା କରିନପାରି କୋଲ୍କାତା ୮୪/୮ରେ ସୀମିତ ରହିଯାଇଥିଲା।