ଆଇପିଏଲ : ଲକ୍ଷ୍ନୌକୁ ୧୮ ରନରେ ହରାଇଲା ବାଙ୍ଗାଲୋର

ମୁମ୍ବାଇ : ମୁମ୍ବାଇର ଡ.ଡି.ଓ୍ବାଇ. ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୩୧ତମ ମ୍ୟାଚରେ ଲକ୍ଷ୍ନୌକୁ ୧୮ ରନରେ ପରାସ୍ତ କରିଛି ବାଙ୍ଗାଲୋର । ବାଙ୍ଗାଲୋର ଦ୍ବାରା ରଖାଯାଇଥିବା ୧୮୨ ରନ ଲକ୍ଷ୍ୟର ଜବାବରେ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୩ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟା ୪୨, କେଏଲ ରାହୁଲ ୩୦ ଓ ମାର୍କସ ଷ୍ଟୋଇନିସ ୨୪ ରନ କରିଥିଲେ । ବାଙ୍ଗାଲୋର ପକ୍ଷରୁ ଜୋସ ହେଜେଲଉଡ ୪ଟି ଓ ହର୍ଷଲ ପଟେଲ ୨ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଥିବା ବାଙ୍ଗାଲୋର ଆରମ୍ଭରୁ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ଅଧିନାୟକ ଫାଫ ଡୁପ୍ଲେସିସଙ୍କ ଲଢୁଆ ବ୍ୟାଟିଂ ବଳରେ ଏହି ଦଳ ଏକ ଭଲ ସ୍କୋର ଛିଡା କରିପାରିଥିଲା । ଡୁପ୍ଲେସିସ ମାତ୍ର ୬୩ଟି ବଲରେ ୯୬ ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ଶେହବାଜ ଅହମ୍ମଦ ୨୬ ଓ ଗ୍ଲେନ ମାକ୍ସଓ୍ବେଲ ୨୩ ରନ କରିଥିଲେ । ଦିନେଶ କାର୍ତ୍ତିକ ଅପରାଜିତ ୧୩ ରନ କରିଥିଲେ । ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୧ ରନ କରିଥିଲା । ଲକ୍ଷ୍ନୌ ତରଫରୁ ଜାସନ ହୋଲଡର ଓ ଦୁଷ୍ମନ୍ତ ଚମିରା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର