ବାଙ୍ଗାଲୋର୍‌ ୧୦ ୱିକେଟ୍‌ରେ ଜିତିଲା: ପଡିକଲ୍‌ଙ୍କ ପ୍ରଥମ ଶତକ, କୋହଲିଙ୍କ ୬,୦୦୦ ରନ୍‌

ମୁମ୍ବାଇ: ପଡିଆ ବଦଳିଲା, କିନ୍ତୁ ପ୍ରଦର୍ଶନ ପ୍ରଭାବିତ ହେଲା ନାହିଁ। ଚେନ୍ନାଇରେ ଲଗାତାର ୩ ମ୍ୟାଚ୍‌ ବିଜୟ ସହ ମୁମ୍ବାଇ ପହଞ୍ଚିଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଗୁରୁବାର ରାଜସ୍ଥାନ ରୟାଲ୍ସକୁ ୧୦ ୱିକେଟ୍‌ରେ ପରାସ୍ତ କରିଛି। ଲଗାତାର ଚତୁର୍ଥ ବିଜୟ ସହ ପୁଣି ଥରେ ପଏଣ୍ଟ ଟେବୁଲ୍‌ ଶୀର୍ଷକୁ ମଧ୍ୟ ଉଠିଛି ବିରାଟ କୋହଲିଙ୍କ ଦଳ। ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ସତ୍ତ୍ବେ ରାଜସ୍ଥାନ ରୟାଲ୍ସ ଚମତ୍କାର ପ୍ରତ୍ୟାବର୍ତନ କରି ୧୭୭ ରନ୍‌ର ଲଢ଼ୁଆ ସ୍କୋର କରିଥିଲା। ତେବେ ଦେବଦତ୍ତ ପଡିକଲ୍‌ (୧୦୧*, ୫୨ ବଲ୍, ୧୧ ଚୌକା, ୬ ଛକା) ଏବଂ ବିରାଟ କୋହଲି (୭୧*, ୪୭ ବଲ୍‌, ୬ ଚୌକା, ୩ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୩.୩ ଓଭର ପୂର୍ବରୁ ବିନା ୱିକେଟରେ ୧୮୧ ରନ୍‌ କରିନେଇଥିଲା। ପଡିକଲ୍‌ ନିଜ ଶ୍ରେଷ୍ଠ ଆଇପିଏଲ୍‌ ପାଳି ଖେଳିବା ସହ ପ୍ରଥମ ଶତକ ହାସଲ କରିଥିଲେ। ବିରାଟ କୋହଲି ମଧ୍ୟ ଏହି ଅବସରରେ ପ୍ରଥମ ଖେଳାଳି ଭାବେ ଆଇପିଏଲ୍‌ରେ ୬,୦୦୦ ରନ୍‌ ପୂର୍ଣ୍ଣ କରିଥିଲେ। ମ୍ୟାଚ୍‌ ବିଜୟୀ ଶତକୀୟ ପାଳି ପାଇଁ ଦେବଦତ୍ତ ପଡ଼ିକଲ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଚଳିତ ସଂସ୍କରଣରେ ପ୍ରଥମ ଥର ପାଇଁ ଏକ ଦଳ ୧୦ ୱିକେଟ୍‌ରେ ଜିତିଲା। ରାଜସ୍ଥାନ ରୟାଲ୍ସ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରି ପଏଣ୍ଟ ଟେବୁଲ୍ ଶେଷକୁ ଖସିଯାଇଛି।

ରୟାଲ୍ସ ପାଇଁ ଲଢ଼ିଲେ ଯୁବ ତାରକା
ଚଳିତ ଆଇପିଏଲ୍‌ରେ ପୁଣି ଥରେ ଗୁରୁବାର ଯୁବ ତାରକାଙ୍କ ପ୍ରଭାବ ନଜରକୁ ଆସିଥିଲା। ସଂଘର୍ଷରତ ରାଜସ୍ଥାନ ରୟାଲ୍ସକୁ ଅନଭିଜ୍ଞ ତଥା ଅନ୍‌କ୍ୟାପ୍‌ଡ ଶିଭମ ଦୁବେ, ରିୟାନ ପରାଗ, ରାହୁଲ ତିୱାତିଆଙ୍କ ପାଳି ରକ୍ଷା କରିଥିଲା। ଫଳରେ ଏକଦା ୪୩ ରନ୍‌ରେ ୪ ୱିକେଟ୍ ହରାଇଥିବା ସଞ୍ଜୁ ସାମସନଙ୍କ ଦଳ ୧୭୭ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିଥିଲା। ଆର୍‌ସିବି ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ‌କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ଦଳର ବୋଲରମାନେ ବି ଯଥାର୍ଥ ସାବ୍ୟସ୍ତ କରିଥିଲେ। ଅସ୍ଥିର ପ୍ରଦର୍ଶନ ଦେଇ ଗତି କରୁଥିବା ରାଜସ୍ଥାନ ପାଇଁ ଜୋସ୍ ବଟଲର୍‌ ପ୍ରଥମ ଓଭରୁ ୨ ଚୌକା ସହ ଅଭିଯାନ ଆରମ୍ଭ କରିଥିଲେ। ତେବେ ମହମ୍ମଦ ସିରାଜ ଓ କାଇଲ୍ ଜାମିସନ୍‌ଙ୍କ ଘାତକ ବୋଲିଂ ରାଜସ୍ଥାନକୁ ଅଷ୍ଟମ ଓଭର ବେଳକୁ ୪୩/୪ରେ ସଂଘର୍ଷ କରିବାକୁ ବାଧ୍ୟ କରିଥିଲା। ସିରାଜଙ୍କ ଏକ ଲେଗ୍‌ ଷ୍ଟମ୍ପ୍‌ ବଲ୍‌କୁ ଛାଡ଼ି ବଟଲର୍‌ ବୋଲ୍ଡ ହୋଇଯାଇଥିଲେ। ମନନ ଭୋରାଙ୍କୁ ଖରାପ ଫର୍ମରୁ ବାହାରିବାକୁ ଦେଇନଥିଲେ କାଇଲ ଜାମିସନ୍‌। ଅଧିନାୟକ ସଞ୍ଜୁ ସାମସନ୍‌ କିନ୍ତୁ ୱାସିଂଟନ୍‌ ସୁନ୍ଦରଙ୍କୁ ଛକା ମାରିବାର ପରବର୍ତୀ ବଲରେ ଆଉଟ୍‌ ହୋଇଯାଇଥିଲେ। ବିପଜ୍ଜନକ ଡେଭିଡ୍‌ ମିଲରଙ୍କୁ ଡିଆର୍‌ଏସ୍‌ ସହାୟତାରେ ଲେଗ୍‌ ବିଫୋର୍‌ ୱିକେଟ୍‌ କରାଇ ସିରାଜ ତାଙ୍କ ପ୍ରଥମ ସ୍ପେଲ୍‌କୁ ୩-୦-୧୪-୨ରେ ଶେଷ କରିଥିଲେ। ରାଜସ୍ଥାନ ପାଳିକୁ କିନ୍ତୁ ସମ୍ଭାଳି ନେଇଥିଲେ ବାମହାତୀ ଶିଭମ ଦୁବେ ଏବଂ ଯୁବ ଆସାମି ରିୟାନ୍ ପରାଗ। ପଞ୍ଚମ ୱିକେଟ୍ ପାଇଁ ଏହି ଦୁଇ ଖେଳାଳି ୬.୧ ଓଭରରେ ୬୬ ରନ୍‌ ଯୋଡ଼ିଥିଲେ। ହର୍ଷଲ୍ ପଟେଲଙ୍କୁ ହେଲିକପ୍ଟର ସଟ୍‌ ଜରିଆରେ ଛେଚିବାର ପର ବଲ୍‌ରେ ରିୟାନ୍‌ ଆଉଟ୍ ହୋଇଯିବାରୁ ଏହି ମୂଲ୍ୟବାନ ଭାଗୀଦାରି ଭାଙ୍ଗିଥିଲା। ରିୟାନ୍‌ ୧୬ ବଲ୍‌ରୁ ୨୫ ରନ୍‌ କରିଥିଲେ।

ଶିଭମ ଦୁବେ ନିଜ ଶ୍ରେଷ୍ଠ ଆଇପିଏଲ୍‌ ପାଳିକୁ (୪୬, ୩୨ ବଲ୍‌) ପ୍ରଥମ ଅର୍ଦ୍ଧଶତକରେ ପରିଣତ କରିପାରିନଥିଲେ। ଛକା ମାରି ୫୦ ରନ୍‌ ପୁର୍ଣ୍ଣ କରିବାକୁ ଚାହୁଁଥିଲେ ମଧ୍ୟ ହର୍ଷଲଙ୍କ ବୋଲିଂରେ ଲଙ୍ଗଅନ୍‌ରେ ମ୍ୟାକ୍ସୱେଲଙ୍କ ହାତରେ ଧରାପଡ଼ିଯାଇଥିଲେ। ଗତ ଋତୁରୁ ଚର୍ଚ୍ଚିତ ରାହୁଲ ତିୱାତିଆ କିନ୍ତୁ ଏକ ଆକର୍ଷଣୀୟ ପାଳି ଖେଳି ୨୩ ବଲ୍‌ରୁ ୪୦ ରନ୍‌ କରିଥିଲେ। ମହମ୍ମଦ ସିରାଜଙ୍କ ତୃତୀୟ ଶିକାର ହେବା ପୂର୍ବରୁ ସେ ଦଳକୁ ୧୭୦ ରନ୍‌ରେ ପହଞ୍ଚାଇ ଦେଇଥିଲେ। ଶେଷ ଓଭର ପ୍ରଥମ ଦୁଇ ବଲରେ କ୍ରିସ୍‌ ମୋରିସ ଓ ଚେତନ ସାକାରିୟାଙ୍କୁ ଆଉଟ୍ କରି ହର୍ଷଲ ପଟେଲ୍‌ ତାଙ୍କ ମହଙ୍ଗା ବୋଲିଂର ଭରଣା କରିଥିଲେ। ତଥାପି ପ୍ରଥମ ମ୍ୟାଚ୍‌ ଖେଳୁଥିବା ଶ୍ରେୟସ ଗୋପାଳ ଗୋଟିଏ ଛକା ମାରିବାରୁ ହର୍ଷଲଙ୍କ ବୋଲିଂ ଚିତ୍ର ୪-୦-୪୭-୩ରେ ଶେଷ ହୋଇଥିଲା। ମହମ୍ମଦ ସିରାଜ ତାଙ୍କ ଚତୁର୍ଥ ଓଭରରେ ୧୩ ରନ୍‌ ଦେବା ସତ୍ତ୍ବେ ସଫଳତମ ବୋଲର (୪-୦-୨୭-୩) ରହିଥିଲେ। ୱାଇଡ୍ ୟର୍କର ଯୋଜନାରେ ବିଫଳ ହୋଇ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ବୋଲର ଗୁରୁବାର ମୋଟ ୮ଟି ୱାଇଡ୍ ପକାଇବା ମଧ୍ୟ ରାଜସ୍ଥାନ ପାଳିକୁ କିଛି ଅବଦାନ ପ୍ରଦ‌ା‌ନ କରିଥିଲା। ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ହର୍ଷଲ୍ ପଟେଲ (୧୨ ୱିକେଟ୍) ପର୍ପଲ୍ କ୍ୟାପ୍‌କୁ ନିଜ ପାଖରେ ରଖିବା ସୁଯୋଗକୁ ଦୃଢ଼ କରିଥିଲେ।

ସମ୍ବନ୍ଧିତ ଖବର