ଦିଲ୍ଲୀଠୁ ହାରି ବାଙ୍ଗା‌ଲୋର୍‌ ୦-୬

ବାଙ୍ଗାଲୋର୍: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଶନିବାର ଜର୍ସିର ରଙ୍ଗ ବଦଳେଇ ଦେଇଥିଲା, ହେଲେ ଦଳର ଭାଗ୍ୟ ବଦଳିଲା ନାହିଁ। ୬ ମ୍ୟାଚ୍‌ରୁ ୬ ପରାଜୟ ସହିତ ବିରାଟ କୋହଲିଙ୍କ ଦଳ ପ୍ରତିଯୋଗିତାର ପ୍ଲେ ଅଫ୍ ଦୌଡ଼ରୁ ଆଗୁଆ ବାଦ୍‌ ପଡ଼ିବା ଲାଗି ମଧ୍ୟ ଗୋଟିଏ ପାଦ ବଢ଼ାଇ ଦେଇଛି। ରବିବାର ଘରୋଇ ପରିବେଶରେ ଖେଳିଥିଲେ ମଧ୍ୟ କୋହଲି ଦଳକୁ ଶ୍ରେୟସ ଆୟରଙ୍କ ଯୁବ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ୪ ୱିକେଟ୍‌ରେ ହରାଇ ଦେଇଛି। ଦିଲ୍ଳୀର ଏହା ଷଷ୍ଠ ମ୍ୟାଚ୍‌ରୁ ତୃତୀୟ ବିଜୟ।

ରବିବାର ଦିଲ୍ଲୀ ଟସ୍ ଜିତିଥିଲେ ମଧ୍ୟ କ୍ଷେତ୍ରରକ୍ଷଣ କରିଥିଲା। ଦିବାରାତ୍ର ମ୍ୟାଚ୍‌ ହୋଇଥିଲେ ମଧ୍ୟ ବାଙ୍ଗାଲୋର୍ ମନୋବଳ ହରାଇ ଖେଳିବା ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା। ପାର୍ଥିବ ପଟେଲ୍ (୯), ଏବି ଡି’ଭିଲୟର୍ସ (୧୭), ମାର୍କସ ଷ୍ଟୋଇନିସ (୧୫), ଅକ୍ଷଦୀପ ନାଥ (୧୯) ବିଶେଷ କିଛି କରିପାରିନଥିଲେ। ବିରାଟ କୋହଲି (୪୧, ୩୩ ବଲ୍‌, ୧ ଚୌକା, ୨ ଛକା) ଏବଂ ମୋଇନ୍ ଅଲୀ (୩୨, ୧୮ ବଲ୍‌, ୧ ଚୌକା, ୩ ଛକା) କିଛିଟା ଆଶା ଦେଇଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ନ ରହିବା ଦଳକୁ ଲଢ଼ୁଆ ସ୍କୋର୍ ପ୍ରଦାନରୁ ବଞ୍ଚିତ ରଖିଥିଲା। ଦୁଇ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର କାଗିସୋ ରବାଦା (୪-୦-୨୧-୪) ଏବଂ କ୍ରିସ୍ ମୋରିସ୍ (୪-୦-୨୮-୨)ଙ୍କ ଆଗରେ ହିଁ ବାଙ୍ଗାଲୋର୍ ହାର୍ ମାନି ୧୪୯/୮ରେ ସୀମିତ ରହିଥିଲା।ଜବାବରେ ଶିଖର ଧାୱନ ନିଜ ପ୍ରଥମ ବଲ୍‌ରେ ସାଉଦିଙ୍କ ଶିକାର ହୋଇଯିବାରୁ ଦିଲ୍ଲୀକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା। ସାଉଦିଙ୍କ ପରବର୍ତୀ ଓଭରରେ କିନ୍ତୁ ପୃଥ୍ବୀ ସ’ ପ୍ରଥମ ୫ ବଲ୍‌କୁ ଚୌକା ମାରି ଚାପ ହଟାଇ ଦେଇଥିଲେ। ଅବଶ୍ୟ ପଞ୍ଚମଟି ଲେଗ୍‌ବାଇ ଥିଲା। ପବନ ନେଗୀଙ୍କ ଶିକାର ହୋଇ ପୃଥ୍ବୀ ସ’ (୨୮, ୨୨ ବଲ୍‌, ୫ ଚୌକା) ଆଗକୁ ବଢ଼ି ପାରିନଥିଲେ। କିନ୍ତୁ ଅଧିନାୟକ ଶ୍ରେୟସ ଆୟର (୬୭, ୫୦ ବଲ୍‌, ୮ ‌ଚୌକା, ୨ ଛକା), କଲିନ୍ ଇନଗ୍ରାମ (୨୨, ୨୧ ବଲ୍‌, ୨ ଚୌକା, ୧ ଛକା) ଏବଂ ଋଷବ ପନ୍ତ୍ (୧୮, ୧୪ ବଲ୍‌, ୨ ଚୌକା)ଙ୍କ ଅବଦାନ ବଳରେ ଦିଲ୍ଲୀ ବିଜୟୀ ହୋଇଥିଲା। ବିଜୟଠାରୁ ୫ ରନ୍‌ ଦୂରରେ ଥିବାବେଳେ ଦିଲ୍ଲୀ ୬ ବଲ୍ ଭିତରେ ୩ ୱିକେଟ୍‌ ହରାଇଦେବାରୁ କିଛିଟା ରୋମାଞ୍ଚ ଭରିଥିଲା। କିନ୍ତୁ ବାଙ୍ଗାଲୋର୍ ପାଇଁ ଏହା ଢେର ବିଳମ୍ବ ହୋଇଯାଇଥିଲା। ବିରାଟ କୋହଲି, ଏବି ଡି’ଭିଲିୟର୍ସଙ୍କ ସମେତ ୪ ୱିକେଟ୍ ନେଇଥିବା ରବାଦା କିନ୍ତୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ‌ ନେଇଥିଲେ।

-ସଂକ୍ଷିପ୍ତ ସ୍କୋର-
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୨୦ ଓଭରରେ ୧୪୯/୮ (ବିରାଟ କୋହଲି-୪୧, ମୋଇନ୍ ଅଲୀ-୩୨, କାଗିସୋ ରାବାଦା-୪/୨୧, କ୍ରିସ୍ ମୋରିସ୍-୨/୨୮, ଅକ୍ଷର ପଟେଲ୍‌-୧/୨୨, ସନ୍ଦୀପ ଲାମିଚାନ୍-୧/୪୬)। ଦିଲ୍ଲୀ କ୍ୟାପିଟାଲ୍‌ସ ୧୮.୫ ଓଭରରେ ୧୫୨/୬ (ଶ୍ରେୟସ ଆୟର-୬୭, ପୃଥ୍ବୀ ସ’-୨୮, ନଭଦୀପ୍ ସଇନି-୨/୨୪, ମହମ୍ମଦ ସିରାଜ-୧/୧୪, ମୋଇନ୍ ଅଲୀ-୧/୨୨, ଟିମ୍ ସାଉଦି-୧/୨୪, ପବନ ନେଗୀ-୧/୨୭)।

ସମ୍ବନ୍ଧିତ ଖବର