ବାଙ୍ଗାଲୋରର ବଡ଼ ବିଜୟ, କୋଲକାତା ୮୨ ରନ୍‌ରେ ହାରିଲା

ସାରଜା: ସୋମବାରର ଏକମାତ୍ର ଆଇପିଏଲ୍ ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପୂର୍ବବିଜେତା କୋଲକାତା ନାଇଟ୍ ରାଇଡର୍ସ (‌କେକେଆର୍‌) ବିପକ୍ଷରେ ବଡ଼ ବିଜୟ ହାସଲ କରିଛି। କେକେଆର୍‌ ବ୍ୟାଟିଂ ସଂପୂର୍ଣ୍ଣ ବିଫଳ ହେବା ପରେ ଆର୍‌ସିବି ୮୨ ରନ୍‌ରେ ମ୍ୟାଚ୍ ଜିତି ନେଇଥିଲା। ତା’ ସହ ୭ ମ୍ୟାଚ୍‌ରୁ ପଞ୍ଚମ ବିଜୟ ପାଇ ପଏଣ୍ଟ୍ ଟେବୁଲର ଚତୁର୍ଥରୁ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲା। ଅନ୍ୟପକ୍ଷରେ ସମାନ ସଂଖ୍ୟକ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରି କେକେଆର୍‌ ତୃତୀୟରୁ ଚତୁର୍ଥକୁ ଖସିଥିଲା। ଆର୍‌ସିବି ନିର୍ଧାରିତ ୨୦ ଓଭରରେ ୧୯୪/୨ କରିଥିଲା ବେଳେ କେକେଆର୍‌ ୯ ୱିକେଟ୍ ହରାଇ ମାତ୍ର ୧୧୨ ରନ୍ କରି ପାରିଥିଲା।

୧୯୫ ରନ୍‌ର ବିଜୟ ଲକ୍ଷ୍ୟ ‌ନେଇ ବ୍ୟାଟିଂ ଆରମ୍ଭ କରିଥିବା କେକେଆର୍‌ ୨୩ ରନ୍‌ରେ ଟମ୍ ବଣ୍ଟନ (୮)ଙ୍କୁ ହରାଇଥିଲା। ଏହା ପରେ ଭାଗୀଦାରି ଗଢ଼ିବା ପରିବର୍ତ୍ତେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ଶୁବମନ ଗିଲ୍‌ (୩୪ ରନ୍, ୨୫ ବଲ୍, ୩ ଚୌକା, ୧ ଛକା)ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଯେମିତି ଆର୍‌ସିବି ବୋଲରଙ୍କ ପେସ୍, ବାଉନ୍ସ ଓ ଟର୍ନକୁ ଆଦୌ ବୁଝି ପାରି ନଥିଲେ। ଅଧିନାୟକ ଦୀନେଶ କାର୍ତ୍ତିକ (୧)ଙ୍କ ସହ ନୀତିଶ ରାଣା (୯), ଇଅନ ମୋର୍ଗାନ (୮) ଓ ଦାମୀ ଖେଳାଳି ପ୍ୟାଟ୍ କମିନ୍ସ (୧) ଏକ ଅଙ୍କରେ ସୀମିତ ରହି ଯାଇଥିଲେ। ଦୁଇ ବିସ୍ଫୋରକ ବୀର ଆନ୍ଦ୍ରେ ରସେଲ ଓ ରାହୁଲ ତ୍ରିପାଠୀ ପ୍ରତ୍ୟେକ ୧୬ ରନ୍ ଲେଖାଏଁ କରିଥିଲେ। ଆର୍‌ସିବି ଅଧିନାୟକ ବିରାଟ କୋହଲି ୬ ଜଣ ବୋଲରଙ୍କ ଉପଯୋଗ କରିଥିଲା ବେଳେ ସମସ୍ତେ ଅନ୍ୟୁନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥି‌ଲେ। କ୍ରିସ୍ ମୋରିସ୍ ଓ ୱାସିଂଟନ୍ ସୁନ୍ଦର କିନ୍ତୁ ଦୁଇଟି ଲେଖାଏଁ ୱିକେଟ୍ ନେଇ କେକେଆର୍‌କୁ ଅଧିକ ଘାଇଲା କରିଥିଲେ। ଆର୍‌ସିବି ବୋଲିଂ ବାହିନୀର ଘନ ଘନ ଆକ୍ରମଣକୁ ପ୍ରତିହତ କରି ପାରି ନଥିବା କେକେଆର୍‌ ଶେଷରେ ଏକପ୍ରକାର ଆତ୍ମସମର୍ପଣ କରିଥିଲା।

ସାରଜା ଷ୍ଟାଡିୟମରେ ଖେଳା ଯାଇଥିବା ଆଜିର ଏହି ମୁକାବିଲା ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଥିଲା। ତେବେ ପିଚ୍ ବୋଲରଙ୍କୁ କିଛିଟା ସହାୟତା ଦେବା ପରେ ଆର୍‌ସିବିକୁ କେକେଆର ୨୦୦ ରନ୍ ତଳେ ଅଟକାଇ ଦେଇଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆର୍‌ସିବି ପାଳିର ମୁଖ୍ୟ ଆକର୍ଷଣ ଥିଲେ ଦକ୍ଷିଣ ଆଫ୍ରିକୀୟ ତାରକା ଏବି ଡି’ଭିଲିୟର୍ସ। ଆରୋନ ଫିଞ୍ଚ୍ (୪୭ ରନ୍, ୩୭ ବଲ୍, ୪ ଚୌକା, ୧ ଛକା) ଓ ବିରାଟ କୋହଲି (୩୩* ରନ୍, ୨୮ ବଲ୍, ୧ ଚୌକା)ଙ୍କ ଭଳି ଖେଳାଳି ବଡ଼ ସଟ୍ ଖେଳିବାକୁ ସଂଘର୍ଷ କରୁଥିଲା ବେଳେ ଡି’ଭିଲିୟର୍ସ ୨୨୧ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ସହ ୩୩ ବଲ୍‌ରୁ ୫ ଚୌକା ଓ ୬ ଛକା ବଳରେ ବିସ୍ଫୋରକ ୭୩* ରନ୍ ସଂଗ୍ରହ କରିଥି‌‌ଲେ। ତା’ ସହ ଆର୍‌ସିବି ପାଳିକୁ ୧୯୪/୨‌ରେ ପହଞ୍ଚାଇ ଦେଇଥିଲେ। ପ୍ରାରମ୍ଭିକ ଯୋଡ଼ି ଦେବଦତ୍ତ ପଡ଼ିକଲ (୩୨ ରନ୍, ୨୩ ବଲ୍, ୪ ଚୌକା, ୧ ଛକା) ଓ ଫିଞ୍ଚ୍ ପ୍ରଥମ ୱିକେଟ୍‌ରେ ୬୭ ରନ୍ ଯୋଡ଼ିଥି‌ଲେ। ଅନ୍ୟପକ୍ଷରେ କୋହଲି-ଡି’ଭିଲିୟର୍ସ ଅବିଭାଜିତ ତୃତୀୟ ୱିକେଟ୍‌ରେ ୧୦୦ ରନ୍ ସଂଗ୍ରହ କରିଥିଲେ। ଏହି ଦୁଇ ଜଣଙ୍କ ପାଇଁ ଆର୍‌ସିବି କମଲେଶ ନଗରକୋଟୀଙ୍କ ଶେଷ ଓଭରରୁ ୧୮ ରନ୍ ସହ ଶେଷ ୫ ଓଭରରୁ ୮୩ ରନ୍ ଅମଳ କରିଥିଲେ। ଡି’ଭିଲିୟର୍ସ ମାତ୍ର ୨୩ ବଲ୍‌ରୁ ଅର୍ଧଶତକ ଅର୍ଜନ କରି ଗତ ମୁକାବିଲାର ବିଫଳତାକୁ ଦୂର କରିଥିଲେ। ନିଜ ଧୂଆଁଧାର ବ୍ୟାଟିଂ ପାଇଁ ସେ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର