ସାରଜା: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ପ୍ରଥମ ଆଇପିଏଲ୍ ଟ୍ରଫି ଜିତିବା ସ୍ବପ୍ନ ପୁଣି ଥରେ ଭାଙ୍ଗି ଚୂରମାର ହୋଇଯାଇଛି। ସୋମବାର ଏଲିମିନେଟର ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ଠାରୁ ୪ ୱିକେଟ୍ରେ ପରାଜିତ ହେବା ପରେ ଆର୍ସିବିର ଅଭିଯାନ ଆଉ ଥରେ ଚତୁର୍ଥ ସ୍ଥାନରେ ଅଟକି ଯାଇଛି। ଅଧିନାୟକ ଭାବେ ବିରାଟ କୋହଲିଙ୍କ ଆଇପିଏଲ୍ ଟ୍ରଫି ଜିତିବା ସ୍ବପ୍ନ ମଧ ସ୍ବପ୍ନ ହୋଇରହିଯାଇଛି। ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହି ଏଲିମିନେଟର ଖେଳିଥିବା କେକେଆର୍ ତୃତୀୟ ସ୍ଥାନରେ ଥିବା ଆର୍ସିବି ବିପକ୍ଷ ରୋମାଞ୍ଚକ ବିଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଏହି ମ୍ୟାଚ୍ ବୁଧବାର ଖେଳାଯିବ ଏବଂ ବିଜେତା ଦଳ ଶୁକ୍ରବାର ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ।
ସାରଜାର ବୋଲରଙ୍କୁ ସୁହାଉଥିବା ପିଚ୍ରେ ଆର୍ସିବି ଆଜି କେକେଆର ସମ୍ମୁଖରେ ୧୩୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ କେକେଆର୍ ପାଇଁ ଶୁବମନ ଗିଲ୍ ଓ ଭେଙ୍କଟେଶ ଆୟର ପ୍ରଥମ ୱିକେଟ୍ରେ ୪୧ ରନ୍ ଯୋଡ଼ିଥିଲେ। ଉଭୟ କିନ୍ତୁ ୧୨ ରନ୍ ଭିତରେ ଉଭୟ ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ। ତୃତୀୟ ୱିକେଟ୍ ଭାବେ ରାହୁଲ ତ୍ରିପାଠୀଙ୍କୁ ୟୁଜବେନ୍ଦ୍ର ଚହଲ ଏଲ୍ବିଡବ୍ଲ୍ୟୁ କରିଦେଇଥିଲେ। ତେବେ ସୁନିଲ ନାରାୟଣଙ୍କ ଦ୍ରୁତ ୨୬ ରନ୍ ବଳରେ କେକେଆର୍ ଶେଷରେ ୨ ବଲ୍ ପୂର୍ବରୁ ବିଜୟୀ ହୋଇଥିଲା। ଆର୍ସିବି ବୋଲର ବହୁ ଚେଷ୍ଟା କରିଥିଲେ। ହେଲେ ବୋର୍ଡରେ ଅଧିକ ରନ୍ ନଥିବାରୁ କେକେଆର୍ ବିଜୟର ମିଠାମଠା ସ୍ବାଦ ଚାଖିଥିଲା। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ସୁନିଲ ନରିନ୍ (୨୬ ରନ୍, ୪ ୱିକେଟ୍)ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
କୋହଲିଙ୍କ ଆର୍ସିବି ଅଧିନାୟକ ଯୁଗ ଶେଷ
କେକେଆର୍ଠାରୁ ଏଲିମିନେଟର ମ୍ୟାଚ୍ ହାରିବା ସହ ଆର୍ସିବିରେ ବିରାଟ କୋହଲିଙ୍କ ଅଧିନାୟକ ଯୁଗର ଦୁଃଖଦ ଅବସାନ ଘଟିଛି। କାରଣ ଚଳିତ ଋତୁ ପରେ ଆର୍ସିବି ଅଧିନାୟକ ପଦ ଛାଡ଼ିଦେବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି ସେ। ଏଣୁ ଆସନ୍ତା ଋତୁରେ ଆର୍ସିବି ଜଣେ ନୂଆ ଅଧିନାୟକଙ୍କ ନେତୃତ୍ବରେ ଖେଳୁଥିବା ଦେଖିବାକୁ ମିଳିବ। ଆଇପିଏଲ୍ ଆରମ୍ଭ ହେବା ପରଠାରୁ କୋହଲି ଆର୍ସିବି ସହ ଅଛନ୍ତି। ୨୦୦୮ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଖେଳାଳି ଭାବେ ଆର୍ସିବିର ପ୍ରତିନିଧିତ୍ବ କରିଥିବା କୋହଲି ୨୦୧୩ରୁ ଏହି ଦଳର ଅଧିନାୟକ ଦାୟିତ୍ବ ତୁଲାଇ ଆସୁଥିଲେ। ୨୦୧୬ର ନବମ ଋତୁରେ ସର୍ବାଧିକ ରନ୍ ସ୍କୋରର ଭାବେ ନାରଙ୍ଗୀ ଟୋପି ହାସଲ କରିଥିଲେ ସେ। କୋହଲି ୨୦୭ ଆଇପିଏଲ୍ ମ୍ୟାଚ୍ ଖେଳି ୧୨୯.୯୪ ଷ୍ଟ୍ରାଇକ୍ ରେଟ୍ରେ ୬୨୮୩ ରନ୍ କରିଛନ୍ତି। ୧୧୩ ରନ୍ ହେଉଛି ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ରନ୍। ଆଇପିଏଲ୍ରେ ୫ ଶତକ ଓ ୪୨ ଅର୍ଦ୍ଧଶତକ ହାସଲ କରିଛନ୍ତି କୋହଲି। ୯ ବର୍ଷ ଧରି ଆର୍ସିବିର ନେତୃତ୍ବ ନେବା ସତ୍ତ୍ବେ ଥରେ ହେଲେ ବି ଏହି ଦଳକୁ ବିଜେତା କରାଇ ପାରିନାହାନ୍ତି ସେ। ୨୦୧୬ରେ ଉପବିଜେତା ହେବା ଆଜି ପର୍ଯ୍ୟନ୍ତ ଆର୍ସିବିର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଛି। ଗତବର୍ଷ ଆର୍ସିବି ଚତୁର୍ଥ ସ୍ଥାନରେ ରହିଥିଲା। ଚଳିତ ବର୍ଷ ମଧ୍ୟ ସେହି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛି।
ଆର୍ସିବିକୁ ଘାଇଲା କଲେ ନାରାୟଣ
ସୋମବାରର ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଆର୍ସିବି ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ତାଙ୍କର ଏହି ନିଷ୍ପତ୍ତିର ସମ୍ମାନ ଆର୍ସିବି ବ୍ୟାଟର୍ ରଖିପାରି ନଥିଲେ। ଫଳରେ କର ବା ମର ମ୍ୟାଚ୍ରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୮ ରନ୍ କରିଥିଲା। ବ୍ୟକ୍ତିଗତ ଭାବେ କୋହଲି ଅବଶ୍ୟ ବହୁ ଚେଷ୍ଟା କରିଥିଲେ। ଆଉ ତାଙ୍କ ୩୯ ରନ୍ ହିଁ ଆର୍ସିବିର ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା। ଅନ୍ୟ କୌଣସି ଆର୍ସିବି ବ୍ୟାଟର୍ କିନ୍ତୁ ନିଜ ଅଧିନାୟକଙ୍କ ଭଳି ଦାୟିତ୍ବବାନ ପାଳି ଖେଳିପାରି ନଥିଲେ। ବିଶେଷ କରି ରହସ୍ୟମୟ କାରବୀୟ ବୋଲର ସୁନିଲ ନାରାୟଣଙ୍କ ଚକ୍ରବ୍ୟୂହରେ ଫସି ଆର୍ସିବିର ପ୍ରମୁଖ ବ୍ୟାଟର୍ମାନେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। କୋହଲିଙ୍କ ସହ ଶ୍ରୀକର ଭରତ, ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଏବି ଡିଭିଲିୟର୍ସଙ୍କୁ ଆଉଟ୍ କରି ନାରାୟଣ ହିଁ ଆର୍ସିବି ବ୍ୟାଟିଂକ୍ରମକୁ ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲେ। ଦେବିଦତ୍ତ ପଡ଼ିକଲ ଓ ଶହାବାଜ ଅହମ୍ମଦଙ୍କୁ ଲୋକି ଫର୍ଗୁସନ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ପ୍ରଥମ ୱିକେଟ୍ରେ କିନ୍ତୁ କୋହଲି ଓ ପଡ଼ିକଲ ଦ୍ରୁତ ୪୯ ରନ୍ ସଂଗ୍ରହ କରି ନେଇଥିଲେ। ତେବେ ଏହା ପରେ ଆର୍ସିବି ପାଳି ପୂରା ଭୁଶୁଡ଼ି ଯାଇଥିଲା। ମାତ୍ର ୯୦ ରନ୍ ଭିତରେ ୭ ୱିକେଟ୍ ହରାଇବା ପରେ ଆର୍ସିବି ଆଶାଜନକ ଭାବେ ରନ୍ ଗତି ବଢ଼ାଇ ପାରିନଥିଲା। ତେବେ ମାତ୍ର ୧୫ ରନ୍ କରିଥିବା ମ୍ୟାକ୍ସୱେଲ୍ ଚଳିତ ଋତୁରେ ୫୦୦ ରନ୍ କରିବାରେ ଆର୍ସିବିର ପ୍ରଥମ ଏବଂ ମୋଟ ଉପରେ ପଞ୍ଚମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଚଳିତ ଆଇପିଏଲ୍ରେ ୫୦୦ରୁ ଅଧିକ ରନ୍ କରିଥିବା ଅନ୍ୟ ଖେଳାଳିମାନେ ହେଲେ କେଏଲ୍ ରାହୁଲ (୬୨୬), ଋୁତରାଜ ଗାଏକ୍ବାଡ୍ (୬୦୩), ଶିଖର ଧାୱନ (୫୫୧) ଓ ଫାଫ୍ ଡୁ’ପ୍ଲେସିସ୍ (୫୪୭)।