ବାଂଲା କ୍ରିକେଟରଙ୍କ ନିଆରା ବିବାହ ଫଟୋସୁଟ୍

ଢାକା : ବାଂଲାଦେଶର ମହିଳା କ୍ରିକେଟର ସଞ୍ଜିଦା ଇସଲାମଙ୍କ ବିବାହ ଫଟୋ ଇଣ୍ଟରନେଟ୍‌ରେ ବେଶ୍ ଲୋକପ୍ରିୟ ହୋଇଛି। ସଞ୍ଜିଦା ଏଥିରେ ପାରମ୍ପରିକ ସାଢ଼ୀ ଓ ଅଳଙ୍କାର ପିନ୍ଧି ବ୍ୟାଟିଂ କରିବାର ବିଭିନ୍ନ ପୋଜ୍ ଦେଉଥିବାର ଦେଖିବାକୁ ମିଳୁଛନ୍ତି। କେତେବେଳେ ସେ ପୁଲ୍ ସଟ୍ ଖେଳୁଛନ୍ତି ତ ଆଉ କେତେବେଳେ ଷ୍ଟ୍ରେଟ୍ ଡ୍ରାଇଭ୍ ଖେଳୁଛନ୍ତି। ଡିଫେନ୍ସ କରୁଥିବାର ଫଟୋ ମଧ୍ୟ ଉଠାଉଛନ୍ତି। ଏଭଳି ଏକ ନିଆରା ଫଟୋ ସୁଟ୍ କ୍ରିକେଟ୍ ପ୍ରତି ଥିବା ତାଙ୍କ ଅଗାଢ଼ ଭଲପାଇବା ଓ ସମ୍ମାନକୁ ମଧ୍ୟ ଦର୍ଶାଉଛି।

୨୪ ବର୍ଷୀୟା ସଞ୍ଜିଦା ଏହି କୌତୁକିଆ, ମଜାଦାର ଓ ଆକର୍ଷଣୀୟ ଫଟୋଗୁଡ଼ିକୁ ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରକାଶ କରିବା ପରେ ତାଙ୍କ ପ୍ରଶଂସକଙ୍କ ସହ ସାଧାରଣ କ୍ରିକେଟ୍‌ପ୍ରେମୀଙ୍କୁ ମଧ୍ୟ ସେଗୁଡ଼ିକ ଢେର ପସନ୍ଦ ଆସୁଛି। ସଞ୍ଜିଦା ନିକଟରେ ବାଂଲାଦେଶର ପ୍ରଥମ ଶ୍ରେଣୀ କ୍ରିକେଟର ମିମ୍ ମୋସାଦେକଙ୍କୁ ବିବାହ କରିଛନ୍ତି। ଏହା ପୂର୍ବରୁ ହିଁ ସେ ବ୍ୟାଟିଂ କରିବା ଥିମ୍‌ରେ ପ୍ରାକ୍-ବିବାହ ଫଟୋସୁଟ୍ କରିଥିଲେ। ତାଙ୍କର ଏହି ଫଟୋଗୁଡ଼ିକ ଏତେ ଲୋକପ୍ରିୟ ହୋଇଛି ଯେ ଆଇସିସି ମଧ୍ୟ ନିଜ ଟ୍ବିଟର ପୃଷ୍ଠାରେ ଏହାକୁ ସ୍ଥାନ ଦେଇଛି। କ୍ରିକେଟରଙ୍କ ବିବାହ ଫଟୋସୁଟ୍ ଠିକ୍ ଏଭଳି ହେବା ଉଚିତ ବୋଲି ମଧ୍ୟ ଆଇସିସି ଲେଖିଛି।

ସମ୍ବନ୍ଧିତ ଖବର